PFI Controversy: କେବେ କେବେ ବିବାଦ ଘେରକୁ ଆସିଛି ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ
Advertisement
Article Detail0/zeeodisha/odisha1364572

PFI Controversy: କେବେ କେବେ ବିବାଦ ଘେରକୁ ଆସିଛି ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ

Popular Front of India: ଏହା ପ୍ରଥମ ଥର ପାଇଁ ହୋଇନାହିଁ ଯେତେବେଳେ ପିଏଫଆଇ ବିବାଦ ଘେରକୁ ଆସିଛି। ପୂର୍ବରୁ ଏପରି ଅନେକ ଘଟଣା ଘଟିଛି ଯେତେବେଳେ ପିଏଫଆଇ ବିବାଦୀୟ ହୋଇାସାରିଛି। 

PFI Controversy: କେବେ କେବେ ବିବାଦ ଘେରକୁ ଆସିଛି ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ

Controversy of PFI: ଦେଶରେ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଅଣ୍ଟା ଭିଡ଼ିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏନେଇ ଉଭୟ କେନ୍ଦ୍ରୀୟ ଏଜେନ୍ସି ପକ୍ଷରୁ ଗୁରୁବାର ଦେଶର ମୋଟ ୧୧ ରାଜ୍ୟରେ ଚରମପନ୍ଥୀ ଇସଲାମୀୟ ସଙ୍ଗଠନ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ ଆଡ୍ଡା ଉପରେ ହୋଇଥିଲା ଚଢାଉ। ପିଏଫଆଇ ବିରୋଧରେ ହୋଇଥିବା ଚଢାଉ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି ଏନଆଇଏ-ଇଡ଼ି। ହେଲେ ଏହା ପ୍ରଥମ ଥର ପାଇଁ ହୋଇନାହିଁ ଯେତେବେଳେ ଏନଆଇଏ-ଇଡ଼ି ପକ୍ଷରୁ ହୋଇଥିବା କାର୍ଯ୍ୟାନୁଷ୍ଠାନ ପରେ ପିଏଫଆଇ ବିବାଦ ଘେରକୁ ଆସିଛି। ପୂର୍ବରୁ ଏପରି ଅନେକ ଘଟଣା ଘଟିଛି ଯେତେବେଳେ ପିଏଫଆଇ ବିବାଦୀୟ ହୋଇାସାରିଛି। 

ଗତ ୨୦୦୬ ବର୍ଷରେ କେରଳରେ ଗଠିତ ହୋଇଥିଲା ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (Popular Front of India) ପିଏଫଆଇ (PFI)। ଏହି ସଙ୍ଗଠନର ମୁଖ୍ୟାଳୟ ଦିଲ୍ଲୀ ଠାରେ ଅବସ୍ଥିତ। ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟର ସଶକ୍ତିକରଣ ପାଇଁ ଏକ ନୂତନ ସାମାଜିକ ଆନ୍ଦୋଳନ ଚଳାଇବାକୁ ଚେଷ୍ଟା କରୁଥିବା ଦାବି କରିଛି ପିଏଫଆଇ। ମାତ୍ର ଏହି ସଙ୍ଗଠନ ବିରୋଧରେ ଅନେକ ଥର ଅଶାନ୍ତି ବିସ୍ତାର କରି ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି। ଏପରି ଅନେକ ଘଟଣା ପଛରେ ସଙ୍ଗଠନର ବିବାଦୀୟ ଭୂମିକା ରହିଥିବା କୁହାଯାଉଛି। ପିଏଫଆଇ ସହିତ ଜଡିତ ଅନେକ ଲୋକଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସି ପକ୍ଷରୁ ଚାଲିଛି ଅନୁସନ୍ଧାନ। ଦୀର୍ଘ ଦିନ ଧରି ଦେଶର ପିଏଫଆଇ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ହୋଇଆସୁଛି। 

Also Read: PFI Exposed: ଉପସାଗରୀୟ ଦେଶ ସହ ରହିଛି ସମ୍ପର୍କ, ପାଣ୍ଠି ବାବଦରେ ମିଳିଲା ଚକିତ କରିବା ଭଳି ଖବର

ଦେଶରେ ନାଗରିକତା ସଂଶୋଧନ ଆଇନ (Citizenship Amendment Act) ସିଏଏ (CAA) ବିରୋଧରେ ହୋଇଥିବା ବିରୋଧ ପ୍ରଦର୍ଶନ ସମୟରେ ଏହି ସଙ୍ଗଠନର ନାମ ଲୋକ ଲୋଚନ ଆସିଥିଲା। ନିକଟରେ ଏନଆଇଏ ବିହାର ରାଜଧାନୀ ପାଟନାସ୍ଥିତ ଫୁଲୱାଡ଼ି ସରିଫ ଠାରେ 'ଗଜୱା-ଏ-ହିନ୍ଦ' (Ghazwa e Hind) ଷଡଯନ୍ତ୍ରପର ପର୍ଦ୍ଦାଫାଶ କରିଥିଲା। ଏହା ପଛରେ ପିଏଫଆଇ ଜଡ଼ିତ ରହିଥିବା କୁହାଯାଉଥିଲା। ଅନ୍ୟପଟେ ତେଲେଙ୍ଗାନା ନିଜାମାବାଦ ଜିଲ୍ଲାର କରାଟେ ଟ୍ରେନିଂ ସେଣ୍ଟର ନାମରେ ଲୋକଙ୍କୁ ଅସ୍ତ୍ରଶସ୍ତ୍ର ବ୍ୟବହାର ପାଇଁ ତାଲିମ ଦିଆଯାଉଥିଲା। ଯେଉଁଥିରେ ପିଏଫଆଇ ଜଡ଼ିତ ରହିଥିବା କୁହା ଯାଇଥିଲା। ଏନେଇ ଖବର ମିଳିବା ପରେ ପିଏଫଆଇ ବିରୋଧରେ ତଦନ୍ତ କରିଥିଲା ଜାତୀୟ ଯାଞ୍ଜ ଏଜେନ୍ସି। ଅନ୍ୟପଟେ କର୍ଣ୍ଣାଟକରେ ହିଜାବ ବିବାଦକୁ ନେଇ ପିଏଫଆଇ ବିରୋଧରେ ଅଭିଯୋଗ ମଧ୍ୟ ହୋଇଛି। ଜୁଲାଇରେ କର୍ଣ୍ଣାଟକରେ ବିଜେପି ନେତା ପ୍ରବୀଣ ନେତାରୁଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପିଏଫଆଇ ଜଡି଼ତ ରହିଥିବା କୁହାଯାଉଛି।

ବିବାଦ ସହିତ ପିଏଫଆଇ ଭଳି ସଙ୍ଗଠନର ଏକ ପୁରୁଣା ସମ୍ପର୍କ ଅଛି। ଗତ ୨୦୧୦ ବର୍ଷରେ  ସଙ୍ଗଠନ ଷ୍ଟୁଡେଣ୍ଟସ୍ ଇସଲାମିକ୍ ମୁଭମେଣ୍ଟ ଅଫ୍ ଇଣ୍ଡିଆ (Students Islamic Movement of India) ସିମି (SIMI) ଭଳି ନିଷିଦ୍ଧ ଆତଙ୍କୀ ଗୋଷ୍ଠୀ ସହିତ ଜଡ଼ିତ ରହିଥିବା ଅଭିଯୋଗ ହୋଇଥିଲା। ଏକ ସମୟରେ ଅନେକ ପିଏଫଆଇ ନେତା ସିମି ସଙ୍ଗଠନ ସହ ଜଡ଼ିତ ରହିଥିଲେ। ତତ୍କାଳୀନ ପିଏଫଆଇ ସଭାପତି ଅବଦୁଲ ରେହମାନ ଏକଦା ସିମି ସଙ୍ଗଠନର ଜାତୀୟ ସଚିବ ଏବଂ ପିଏଫଆଇ ରାଜ୍ୟ ସଚିବ ଅବଦୁଲ ହମିଦ ମଧ୍ୟ ସିମି ସଚିବ  ପଦରେ ରହିଥିଲେ। ହେଲେ ପିଏଫଆଇ ସିମି ସହିତ କୌଣସି ସମ୍ପର୍କ ରହିଥିବା ଅଭିଯୋଗ ଅସ୍ୱୀକାର କରିଆସୁଛି।

Also Read: NIA-ED Raid: ଟେରର ଫଣ୍ଡି ମାମଲାରେ ପିଏଫଆଇ ବିରୋଧରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ, ୧୧ ରାଜ୍ୟରୁ ୧୦୬ ଗିରଫ

ଗତ ୨୦୧୨  ବର୍ଷରେ କେରଳ ସରକାର ପିଏଫଆଇ ବିରୋଧରେ ୨୭ ହତ୍ୟା ମାମଲା ଦାଏର କରିଥିଲେ। କେରଳ ସରକାର ରାଜ୍ୟ ଉଚ୍ଚନ୍ୟାୟାଳୟରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଅଧିକାଂଶ ମାମଲାରେ ଆରଏସଏସ ଏବଂ ସିପିଏମ କର୍ମକର୍ତ୍ତାଙ୍କ ହତ୍ୟା କରାଯାଇଛି। ଗତ ୨୦୧୨ ଜୁଲାଇରେ, ପିଏଫଆଇ କନ୍ନୁର ଛାତ୍ର ସଚିନ ଗୋପାଳ ଏବଂ ଚେଗାନ୍ନୁର ଏବିଭିପି ନେତା ବିଶାଲଙ୍କୁ ଛୁରୀ ମାରି ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା। ସେହି ବର୍ଷ କେରଳ ସରକାର ରାଜ୍ୟ ଉଚ୍ଚନ୍ୟାୟାଳୟରେ ଦାବି କରିଥିଲେ ଯେ ପିଏଫଆଇ ହେଉଛି ସିମି  ଭଳି ନିଷିଦ୍ଧ ସଙ୍ଗଠନର ନୂଆ ରୂପ। 

ଗତ ୨୦୧୨ ଜୁଲାଇରେ ହୋଇଥିବା ଆସାମ ଦଙ୍ଗା ପଛରେ ପିଏଫଆଇ ନାଁ ସାମ୍ନାକୁ ଆସିଥିଲା। ଏହି ଦଙ୍ଗରେ ମୁହାଁମୁହିଁ ହୋଇଥିଲେ ବୋଡୋ ସମ୍ପ୍ରଦାୟ ଏବଂ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଦଙ୍ଗା ଆରମ୍ଭ ହୋଇଥିଲା। ଏହି କାରଣରୁ ଉତ୍ତର ଭାରତୀୟଙ୍କୁ ଦକ୍ଷିଣ ଭାରତରୁ ବିତାଡିତ କରିବାର ଅଭିଯାନ ଆରମ୍ଭ ହୋଇଥିଲା। ପିଏଫଆଇ ଏବଂ ହରକତ-ଉଲ-ଜିହାଦ-ଅଲ-ଇସଲାମୀ (Harkat-ul-Jihad-ul-Islami) ହୁଜି ସଙ୍ଗଠନ (HuJI) ଅଶାନ୍ତି ସୃଷ୍ଟି କରିବା ଭଳି ବାର୍ତ୍ତା ପଠାଇଥିବା ଅଭିଯୋଗ ହୋଇଥିଲା। ସେହିବର୍ଷ ଅଗଷ୍ଟ ୧୩ ତାରିଖରେ ୬ କୋଟି ଅଧିକ ଉତ୍ତେଜକ ବାର୍ତ୍ତା ପଠା ଯାଇଥିଲା। ଏହା ମଧ୍ୟରୁ ପ୍ରାୟ ୩୦ ପ୍ରତିଶତ ପାକିସ୍ତାନରୁ ପଠାଯାଇଥିଲା। ଖବର ଅନୁଯାୟୀ, ସେହି ସମୟରେ ୩୦ ହଜାରରୁ ଅଧିକ ଉତ୍ତର ଭାରତୀୟଙ୍କୁ ୩ ଦିନ ମଧ୍ୟରେ ବାଙ୍ଗାଲୁରୁ ଛାଡ଼ିବାକୁ ପଡ଼ିଥିଲା।

Also Read: PFI Module Exposed: ବିହାରରେ ଏନଆଇଏ ଗ୍ରହଣ କଲା ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ, ସାମ୍ନାକୁ ଆସିଲା ଏହି କାରଣ

ଗତ ୨୦୨୩ ବର୍ଷରେ କେରଳ ପୋଲିସ ରାଜ୍ୟର କନ୍ନୁର ଜିଲ୍ଲାର ଏକ ସ୍ଥାନରେ ଚଢାଉ କରି ୨୧ ଜଣଙ୍କୁ ଗିରଫ କରିଥିଲା। ପୋଲିସ ଘଟଣାସ୍ଥଳରୁ ଦେଶୀ ବୋମା, ଖଣ୍ଡା, ବୋମା ତିଆରି ସାମଗ୍ରୀ ଏବଂ କିଛି ସାହିତ୍ୟ ଉଦ୍ଧାର କରିଛି। ଗିରଫ ହୋଇଥିବା ବ୍ୟକ୍ତି ପିଏଫ୍ଆଇ କର୍ମକର୍ତ୍ତା ବୋଲି କୁହାଯାଉଛି। ଏହି ମାମଲାର ଜାତୀୟ ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର କରା ଯାଇଥିଲା। ଏହା ବ୍ୟତୀତ ଅନେକ ଅଶାନ୍ତିର ଘଟଣା ପଛରେ ପିଏଫଆଇ ନାଁ ସାମ୍ନାକୁ ଆସିସାରିଛି।