IPL 2020: ପଞ୍ଜାବର ବିଜୟ ରଥ ଅଟକାଇଲା ରାଜସ୍ଥାନ

ଚଳିତ ଆଇପିଏଲର ୫୦ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସର ଦମଦାର ବିଜୟ। ପ୍ଲେ ଅପକୁ ନେଇ ସଙ୍କଟରେ କିଙ୍ଗ୍ସ ଏକାଦଶ ପଞ୍ଜାବ।

IPL 2020: ପଞ୍ଜାବର ବିଜୟ ରଥ ଅଟକାଇଲା ରାଜସ୍ଥାନ
ସୌ: Twitter/@IPL

ନୂଆଦିଲ୍ଲୀ: ଶୁକ୍ରବାର ଆବୁଧାବିରେ ଆଇପିଏଲର ୫୦ତମ ମ୍ୟାଚ ଖେଳାଯାଇଛି। ଏଥିରେ କିଙ୍ଗସ ଏକାଦଶ ପଞ୍ଜାବ (KXIP)କୁ ରାଜସ୍ଥାନ ରୟାଲ୍ସ (RR) ୭ ୱିକେଟରେ ପରାସ୍ତ କରିଛି। ରାଜସ୍ଥାନ ପାଇଁ 'କର ବା ମର' ସ୍ଥିତି ଥିବା ମ୍ୟାଚ ଏବେ ପଞ୍ଜାବକୁ ସଙ୍କଟରେ ପକାଇଛି।

ପଞ୍ଜାବର ବିଜୟ ଧାରାରେ ବ୍ରେକ୍ ଲଗାଇଛି ରାଜସ୍ଥାନ। ଶୁକ୍ରବାର ରାଜସ୍ଥାନ ୭ ୱିକେଟରେ ପଞ୍ଜାବକୁ ପରାସ୍ତ କରିଛି। ମାତ୍ର ୧୭ ଓଭର ୩ଟି ବଲରେ ୧୮୬ରନ୍ ସଂଗ୍ରହ କରି ଦଳ ବିଜୟ ଲକ୍ଷ୍ୟ ହାସଲ କରିଛି। ରାଜସ୍ଥାନର ବିଜୟରେ ବେନ୍ ଷ୍ଟୋକ୍ସ (୫୦), ସଞ୍ଜୁ ସାମସନ୍ (୪୮), ଅଧିନାୟକ ଷ୍ଟିଭ୍ ସ୍ମିଥ୍ (୩୧) ଏବଂ ଜୋସ୍ ବଟଲର (୨୨)ଙ୍କ ଶ୍ରେଷ୍ଠ ବ୍ୟାଟିଂ ସହଯୋଗ କରିଥିଲା।

ଷଷ୍ଠ ବିଜୟ ସହିତ ରାଜସ୍ଥାନ ରୟାଲ୍ସ ପ୍ଲେ ଅଫ୍ ଆଶାକୁ ବଜାୟ ରଖିଛି। ୧୩ଟି ମ୍ୟାଚରୁ ୧୨ ପଏଣ୍ଟ ସହ ରାଜସ୍ଥାନ ପଞ୍ଚମ ସ୍ଥାନରେ ରହିଛି। ସେପଟେ ପରାଜିୟ ପଞ୍ଜାବର ରାସ୍ତା କଷ୍ଟସାଧ୍ୟ ହୋଇଛି। ଏହା କିଙ୍ଗସ ଏକାଦଶ ପଞ୍ଜାବର ସପ୍ତମ ପରାଜୟ। ପଞ୍ଜାବ ସମାନ ସଂଖ୍ୟକ ମ୍ୟାଚ୍ ଖେଳି ୧୨ ପଏଣ୍ଟ ସହ ନେଟ ରନ୍ ହାର ଆଧାରରେ ଚତୁର୍ଥ ସ୍ଥାନରେ ଅଛି। ପ୍ଲେ ଅଫ୍ ପାଇଁ ନେଟ୍ ରନ୍ ହାର ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ହେବ।

ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୧୮୫ ରନର ଏକ ବଡ଼ ଇନିଂସ ଖେଳିଥିଲା। ଦଳ ପକ୍ଷରୁ କ୍ରିସ ଗେଲ୍ ୬୩ଟି ବଲରେ ୯୯ ଓ କ୍ୟାପ୍ଟେନ ରାହୁଲ ୪୬ ରନ କରିଛନ୍ତି। ନିର୍ଦ୍ଧାରିତ ଓଭରରେ ୪ ୱିକେଟ ହରାଇ ପଞ୍ଜାବ ୧୮୫ ରନ କରିବାରେ ସଫଳ ହୋଇଥିଲା। କିନ୍ତୁ ବୋଲିଂରେ ଦଳକୁ ଘାଟାରେ ପକାଇଥିଲା ପାୱାର ପ୍ଲେ।

ପାୱାର ପ୍ଲେରେ ଗୋଟିଏ ୱିକେଟ୍ ପାଇଁ ରୟାଲ୍ସ ୬୬ ରନ କରିଥିଲା। ଓପନର ଯୋଡି ରୋବିନ ଓତ୍ଥାପା ଓ ବେନ ଷ୍ଟୋକ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି। ଉଭୟଙ୍କ ବ୍ୟକ୍ତିଗତ ସ୍କୋର କ୍ରମାଗତ ୩୦ ଓ ୫୦ ରହିଛି। ସେହିପରି ସଞ୍ଜୁ ସାମସନ ବି ଅର୍ଦ୍ଧ ଶତକଠୁ ମାତ୍ର ୨ରନ ପଛରେ ରହିଯାଇଛନ୍ତି। ଆଉ ଅଧିନାୟକ ସ୍ମିଥ୍ ଏବଂ ବଟଲର୍ ରାଜସ୍ଥାନର ବିଜୟ ଧ୍ୱଜା ଉଡାଇଥିଲେ।

ସେପଟେ ଆଇପିଏଲରେ ଆଉ ୬ଟି ଲିଗ୍ ମ୍ୟାଚ ବାକି ରହିଲା। ଆଜି ୨ଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚରେ ଦିଲ୍ଲୀ ବନାମ ମୁମ୍ୱାଇ ଓ ଦ୍ୱିତୀୟ ମ୍ୟାଚ ବାଙ୍ଗାଲୋର-ହାଇଦ୍ରାବାଦ ମଧ୍ୟରେ ହେବ। ସେହିପରି ଆସନ୍ତାକାଲି ଚେନ୍ନାଇକୁ ପଞ୍ଜାବ ଓ କୋଲକାତାକୁ ରାଜସ୍ଥାନ ଭେଟିବ। ନଭେମ୍ବର ୨ରେ ଦିଲ୍ଲୀ-ବାଙ୍ଗାଲୋର ଓ ୩ ତାରିଖ ଶେଷ ମ୍ୟାଚହାଇଦ୍ରାବାଦ ଓ ମୁମ୍ବାଇ ମଧ୍ୟରେ ଅନୁଷ୍ଠିତ ହେବ।