close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ମା' ଖମ୍ୱେଶ୍ୱରୀ ତନ୍ତ୍ରପୀଠର ମହାବଳି ପରମ୍ପରା

ସୁବର୍ଣ୍ଣପୁରରେ ଷୋହଳ ଦିନ ବ୍ୟାପି ବଳିଯାତ୍ରା ପାଳିତ ହୋଇଥାଏ । ସୁବର୍ଣ୍ଣପୁରରେ ବଳି କହିଲେ ସମର୍ପଣ ବା ଉତ୍ସର୍ଗକୁ ବୁଝାଏ । 

ମା' ଖମ୍ୱେଶ୍ୱରୀ ତନ୍ତ୍ରପୀଠର ମହାବଳି ପରମ୍ପରା
ସୁବର୍ଣ୍ଣପୁରରେ ଷୋହଳ ଦିନର ବଳି ପରମ୍ପରା

ସୁବର୍ଣ୍ଣପୁର: ଶାରଦୀୟ ପୂଜା ଆସିଲେ ଆଶ୍ୱିନ ମାସରେ ଅନେକ ସ୍ଥାନରେ ଦିନେ ଦୁଇଦିନ ପାଇଁ ବଳିଯାତ୍ରା ହେଉଛି ।  ହେଲେ ସୁବର୍ଣ୍ଣପୁରରେ ଷୋହଳ ଦିନ ବ୍ୟାପି ବଳିଯାତ୍ରା ପାଳିତ ହୋଇଥାଏ ।  ଅନ୍ୟତ୍ର ବଳି କହିଲେ ଛାଗ ବା ମଇଁଷିଙ୍କ ମାଆଙ୍କ ପାଖରେ ବଳି ପକାଯାଏ । ମାତ୍ର ସୁବର୍ଣ୍ଣପୁରରେ ବଳି କହିଲେ ସମର୍ପଣ ବା ଉତ୍ସର୍ଗକୁ ବୁଝାଇଥାଏ । ଆଶ୍ୱିନ ଅମାବାସ୍ୟାରୁ ପୂର୍ଣ୍ଣିମା ଯାଏ ତନ୍ତ୍ର ପଦ୍ଧତିରେ ଯନ୍ତ୍ର ଓ ମନ୍ତ୍ରକୁ ଆଧାର କରି ବଳିପର୍ବ ପାଳନ ଯାଏ । ସୁବର୍ଣ୍ଣପୁରର ତନ୍ତ୍ରପୀଠ ମାଆ ଖମ୍ବେଶ୍ୱରୀଙ୍କ ପୀଠରେ ସ୍ୱତନ୍ତ୍ର ରୀତିନୀତି ଅନୁସାରେ ହେଉଛି ମହାବଳି ଯାତ୍ରା ପାଳନ ।  ଏଠାକାର ମହାବଳି ଯାତ୍ରାର ରହିଛି ସ୍ୱତନ୍ତ୍ର ସ୍ଥାନ ।  ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ  ବଳିଯାତ୍ରା ପରମ୍ପରା ନବମୀ ମଧ୍ୟ ରାତ୍ରିରୁ ଆରମ୍ଭ ହୋଇ ବରୁଆର ଚୁଳ ବନ୍ଧନ ପର୍ବରେ ଏହି ଐତିହାସିକ ମହାବଳି  ପର୍ବ ସମ୍ପନ୍ନ ହୋଇଛି ।
ତନ୍ତ୍ର ପୀଠ ମାଆ ଖମ୍ବେଶ୍ୱରୀଙ୍କ ପୀଠରେରାଜାରାଜୁଡା ଅମଳରୁ ଶାକ୍ତ ପରମ୍ପରାରେ ପାଳିତ ହୋଇଆସୁଛି ବଳିଯାତ୍ରା । ସାଧାରଣତଃ ୯ ପ୍ରକାର ବଳି ଏଠାରେ ପାଳନ କରାଯାଏ । ସେଗୁଡିକ ହେଲା  ଉଆଁସ ବଳି, ନିଶାବଳି, ଖଉଳ ବଳି, ଡାଙ୍ଗୁଆ ବଳି, ଗାୟନ ବଳି, ନବମୀ ବଳି, ମହାବଳି, ଦଶହରାବଳି ଓ ପୂର୍ଣ୍ଣମୀ ବଳି । ଏହି ନଅ ପ୍ରକାର ପୂର୍ଣ୍ଣମୀ ତିଥିରେ ଶେଷ ହୋଇଥାଏ । ସେଥି ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ବଳି ହେଉଛି ମହାବଳୀ । ଏହି ବଳିଯାତ୍ରାରେ ଉଚ୍ଚନିଚ୍ଚ ଜାତି ନିର୍ବିଶେଷରେ ୩୬ ପାଟକର ଲୋକେ ନିୟୋଜିତ ହୋଇଥାନ୍ତି । ଏହି ବଳିଯାତ୍ରାରେ ମୁଖ୍ୟ ଭୂମିକା ରହିଥାଏ ବରୁଆଙ୍କର ( ଯାହା ଶରୀରରେ ଦୈବୀ ଶକ୍ତି ପ୍ରବେଶ କରନ୍ତି ) ।
ବରୁଆଙ୍କୁ  ଅରୁଆ ଚାଉଳରେ ତିଆରି ଯନ୍ତ୍ରରେ ଯନ୍ତ୍ରାରୁଢ କରି ମନ୍ତ୍ରପୂତ କରିବା ପରେ ଦୈବୀଶକ୍ତି ପ୍ରକଟିତ ହୁଏ । ଖଉଳ ଗାତର ମାଟି ବରୁଆର ନାଭି ମଣ୍ଡଳରେ ଦେଇ ପୁରୋହିତ ମହାବଳି କାର୍ଯ୍ୟ ଆରମ୍ଭ କରିଥାନ୍ତି । ଷୋହଳ ଭରନୀ ବାଦ୍ୟର ତାଳେ ତାଳେ ମହାବଳି ନୃତ୍ୟ ପରିବେଷଣ କରି ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ହାତରେ କଳା ଧଳା ଛତ୍ର ଧରି ଚେପଟା ଢୋଲରେ ଛିଡା ହୋଇ ଦହି ଦହନାରେ ମହମହ ବାସୁଥିବା ବରୁଆର ଚୁଳବନ୍ଧା କାର୍ଯ୍ୟରେ ସମାପିତ ହୁଏ ମହାନବମୀ ବଳି ।
ମହାବଳି ଯାତ୍ରାର ଅନ୍ୟ ଦିଗ ଟି ହେଲା ଆଚାଣ୍ଡଳ ବ୍ରାହ୍ମଣ ଦେବୀ ସେବାରେ ନିୟୋଜିତ ହୋଇଥାନ୍ତି । ବାଦ୍ୟକାରଠୁ ଆରମ୍ଭ କରି ଚାରିଘରିଆ, ଡାଙ୍ଗୁଆ, ଥନାପତି, ମଲ୍ଲିକ, ମଶାଲତି, କୁମ୍ଭାର, ଗୌଡ, ମାଳୀ, ଓ ପୁରୋହିତ ଆଦି ସେବାୟତମାନେ ରାଜାରାଜୁଡା ଅମଳରୁ ମହାବଳୀଙ୍କ ସେବାରେ ଏକତ୍ର ସେବା କରିବାର ସୁଯୋଗ ଲାଭ କରିଥାନ୍ତି ।  ଫଳରେ ଏକ ବନ୍ଧୁତ୍ୱପୁର୍ଣ୍ଣ ପରିବେଶରେ ଏହି ମହାବଳିଯାତ୍ରା ମହାସମାରୋରେ ପାଳିତ ହୋଇଥାଏ ।  ପ୍ରତିବର୍ଷ ନବମୀ ରାତ୍ରି ର ପାହନ୍ତିଆ ପ୍ରହରରେ ହେଉଥିବା ମହାନବମୀ ବଳି ପର୍ବ ଦେଖିବାକୁ ଖମ୍ବେଶ୍ୱରୀ ପୀଠରେ ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ଏଥିପାଇଁ  ଜିଲ୍ଲା ପ୍ରଶାସନ ତଥା ଦେବୋତ୍ତରର ବିଭାଗ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଏ ।
କେଉଁ ଆବାହମାନ କାଳରୁ ଯନ୍ତ୍ର, ମନ୍ତ୍ର ଓ ତନ୍ତ୍ରର ପ୍ରୟୋଗଶାଳା ଭାବରେ ପରିଚିତ ସୁବର୍ଣ୍ଣପୁରରେ ଅନେକ ଗୋପନୀୟ ଯନ୍ତ୍ର ଓ ତତ୍ ସମ୍ପର୍କିତ ମନ୍ତ୍ରରେ ମହାବଳି ଯାତ୍ରା ପାଳିତ ହେଉଛି । ସତରେ ମାଆ ଖମ୍ବେଶ୍ୱରୀ ପୀଠରେ ପାଳିତ ମହାବଳି ଯାତ୍ରା ସମାଜର ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଥିବା ସାମାଜିକ ବିଭିନ୍ନତା ଭିତରେ ଏକତା ସୃଷ୍ଟି କରିପାରିଛି ।