ଖଣି ପାଇଁ ସମସ୍ୟାରେ ଅନୁଗୋଳ

ଅନୁଗୋଳ ଜିଲ୍ଲାରେ ଦେଖାଦେଉଛି ଖଣି ସମସ୍ୟା। କେତେବେଳେ ଖଣି ପାଇଁ ମାଟି ଧସୁଛି ତ ପୁଣି କେତେବେଳେ ଖଣି ପାଇଁ ଜୀବିକା ପ୍ରଭାବିତ ହେଉଛି। ଏହାର ସମାଧାନ ପାଇଁ ସରକାରଙ୍କ ନିକଟରେ ଦାବି ହୋଇ ଆସୁଛି। 

ଖଣି ପାଇଁ ସମସ୍ୟାରେ ଅନୁଗୋଳ
ଖଣି ପାଇଁ ସମସ୍ୟାରେ ଅନୁଗୋଳ

ରଘୁନାଥ ସାହୁ, ଅନୁଗୁଳ: ଅନୁଗୋଳ, ଏକ ଖଣି ବହୁଳ ଜିଲ୍ଲା। ରାଜ୍ୟକୁ ସର୍ବାଧିକ ରାଜସ୍ୱ ଦେବାରେ ପ୍ରମୁଖ ଭୁମିକା ତୁଲାଇଥାଏ। ତେବେ ଖଣିକୁ ନେଇ ଯେତିକି ରାଜସ୍ୱ ଆଦାୟ ହେଉ ନାହିଁ, ସେତିକି ସମସ୍ୟା ସୃଷ୍ଟି ହେଉଛି। ବାୟୁପ୍ରଦୂଷଣ ଠାରୁ ଆରମ୍ଭ କରି ଯାତାୟତ ସମସ୍ୟା। ଏହା ସହିତ ମାଟି ଧସିବା ଭଳି ଘଟଣା ଦୈନନ୍ଦିନ ଘଟଣା ପାଲଟିଗଲାଣି। ଏହି ମାଟି ଧସିବା ଘଟଣା କାରଣରୁ କେବଳ ଅନୁଗୋଳ ନୁହେଁ, ଅନୁଗୋଳର ତାଳଚେର, ଡେରା, ବଲଣ୍ଡା, ହିଙ୍ଗୁଳା ପ୍ରଭୃତି ଅଞ୍ଚଳର ବାସିନ୍ଦାମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି। 

ବୁଧବାର ସନ୍ଧ୍ୟାରେ ତାଳଚେର ଅନ୍ତର୍ଗତ ଦେଉଳବେଡ଼ା ତେଲି ସାହିରେ ମାଟି ଦବିଯାଇଛି। ପ୍ରାୟ ୧୫ ଫୁଟ ଓସାର ଓ ୧୦୦ ଗଭୀରର ଗର୍ତ୍ତ ସୃଷ୍ଟି ହୋଇଛି। ଗ୍ରାମର ଅକ୍ଷୟ ସାହୁଙ୍କ ଚାଷ ଜମିରେ ଏହି ଗର୍ତ୍ତ ସୃଷ୍ଟି ହୋଇଛି ଚାଷ ଜମିରେ ମଡ଼ାଯାଉଥିବା ପାଣି ବର୍ତ୍ତମାନ ଉକ୍ତ ଗର୍ତ୍ତରେ ପଶୁଛି। ସେପଟେ ଏହି ବୃହତ୍ତକାୟ ଗର୍ତ୍ତ ଠାରୁ ମାତ୍ର ୫୦୦ ମିଟରଦୂରରେ ରହିଛି ଦେଉଳବେଡ଼ା ଗ୍ରାମ। ଫଳରେ ଏହି ଗର୍ତ୍ତକୁ ଦେଖି ଗ୍ରାମବାସୀ ଭୟଭୀତ ହୋଇ ପଡ଼ିଛନ୍ତି। 

ଏହି ଗର୍ତ୍ତ ସୃଷ୍ଟି ହେବା ପରେ ଗ୍ରାମବାସୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେମାନେ ଦାବି କରିଛନ୍ତି ଯେ, ଖଣି ଖନନ ଯୋଗୁଁ ଏଭଳି ସମସ୍ୟା ବାରମ୍ବାର ସୃଷ୍ଟି ହେଉଛି। ଏବାବଦରେ ଆମକୁ କ୍ଷତିପୂରଣ ଦେବା ସହିତ ଥଇଥାନର ବ୍ୟବସ୍ଥା କରିବାକୁ ମଧ୍ୟ ଦାବି କରିଛନ୍ତି ଗ୍ରାମବାସୀ। ଏହା ସହିତ ଗ୍ରାମବାସୀମାନେ ହାଣ୍ଡିଧୁଆ ଏବଂ ଡେରା ରାସ୍ତାକୁ ଅବରୋଧ ମଧ୍ୟ କରିଛନ୍ତି। 

ସେପଟେ ଗ୍ରାମବାସୀଙ୍କ ଅଭିଯୋଗକୁ ସମର୍ଥନ ଜଣାଇଛନ୍ତି ମହାନଦୀ କୋଲ ଫିଲ୍ଡ ବା ଏମସିଏଲର କର୍ତ୍ତୃପକ୍ଷ। ଏମସିଏଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ଯେ, ତୁରନ୍ତ ଏହି ଅଞ୍ଚଳକୁ ବ୍ୟାରିକେଡ ଦ୍ୱାରା ବନ୍ଦ କରିବା ସହିତ ବାଲି ଫିଲଂ କରାଯିବ। ଏହା ସହିତ ସୁରକ୍ଷାକୁ ଅଗ୍ରାଧିକାର ଦିଆଯାଇ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଏମସିଏଲର ଜେନେରାଲ ମ୍ୟାନେଜର ସୂଚନା ଦେଇଛନ୍ତି। 

ସୂଚନାଯୋଗ୍ୟ ମାଟି ଧସିବା ଘଟଣା ଏଠାରେ ନୂଆ ନୁହେଁ। ଅଧିକାଂଶ ସମୟରେ ଏଠାରେ ଏହି ସମସ୍ୟା ଦେଖା ଦେଇଥାଏ। ଅନୁଗୋଳ ଜିଲ୍ଲା ଏକ ଖଣିଖାଦାନ ପ୍ରବଣ ଜିଲ୍ଲା। ଜିଲ୍ଲାରେ ଏକାଧିକ ଖଣି ରହିଥିବା ବେଳେ ଅଧିକାଂଶ ଖଣି ବର୍ତ୍ତମାନ ବନ୍ଦ ରହିଛି। ତେବେ ଖୋଳା ଯାଇଥିବା ଏହି ଖଣିକୁ ବାଲି ଦ୍ୱାରା ଫିଲିଂ କରାଯାଇନାହିଁ। ଫଳରେ ବିଭିନ୍ନ ସମୟରେ ତାଳଚେର, ଡେରା, ବଲଣ୍ଡା ଆଦି ଅଞ୍ଚଳରେ ମାଟି ଧସିଥାଏ। ଏହି କ୍ରମରେ ଲିଙ୍ଗରାଜ ଖଣି ଖୋଲାଯାଇଥିବା ବେଳେ ଏହାକୁ ୧୯୯୮ ମସିହାରେ ଗ୍ରାମବାସୀମାନେ ବନ୍ଦ କରିଦେଇଥିଲେ। ଲିଙ୍ଗରାଜ ଖଣି ବନ୍ଦ ହୋଇଥିଲେ ମଧ୍ୟ ଫିଲିଂ ହୋଇନାହିଁ। ଫଳରେ ଅଧିକାଂଶ ସମୟରେ ମାଟି ଧସିବା ଭଳି ଘଟଣା ସାମ୍ନାକୁ ଆସୁଛି।