)
ରଘୁନାଥ ସାହୁ, ଅନୁଗୋଳ: ବନ୍ତଳା ଅଞ୍ଚଳରୁ ଶନିବାର ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ପରେ ସେହି ଅଞ୍ଚଳର ୬ ଟି ପଞ୍ଚାୟତକୁ ସଟଡାଉନ କରିବାକୁ ସ୍ଥାନୀୟ ସରପଞ୍ଚମାନେ ନିଷ୍ପତ୍ତି ନେଇଛନ୍ତି । ପୋକତୁଙ୍ଗା ସରପଞ୍ଚ ରିନାରାଣୀ ପ୍ରଧାନ, ନନ୍ଦପୁର ସରପଞ୍ଚ ଅନିତା ପ୍ରଧାନ, ଧୋକୁଟା ସରପଞ୍ଚ ସରୋଜିନୀ ପ୍ରଧାନ, ଶଙ୍ଖପୁର ସରପଞ୍ଚ ମନୋଜ ପ୍ରଧାନ, ବନ୍ତଳା ସରପଞ୍ଚ ହରିହର ସାହୁ ଓ କୁମୁରିସିଙ୍ଗା ସରପଞ୍ଚ ରଶ୍ମିତା ପ୍ରଧାନ ଏପରି ନିଷ୍ପତ୍ତି ନେଇଛନ୍ତି ।
କୋରୋନା ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ଓ ପଞ୍ଚାୟତର ସୁରକ୍ଷା ଦୃଷ୍ଟିରୁ ସଟଡାଉନ ଘୋଷଣା କରାଯାଇଛି । ଆଜିଠୁ(ମଙ୍ଗଳବାର) ଆସନ୍ତା ଶୁକ୍ରବାର ରାତ୍ରି ୧୨ ଟା ପର୍ଯ୍ୟନ୍ତ ପୋକତୁଙ୍ଗା, ଧୋକୁଟା, ନନ୍ଦପୁର, ସଙ୍ଖପୁର, ବନ୍ତଳା ଓ କୁମୁରିସିଙ୍ଗା ଆଦି ଛଅଟି ପଞ୍ଚାୟତର ସମସ୍ତ ଦୋକାନ ବଜାର ଆଦି ବନ୍ଦ ରହିବ । ଏହି ସବୁ ଅଞ୍ଚଳର ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ କେବଳ ଖୋଲା ରହିବାକୁ ନିଷ୍ପତ୍ତି ନିଆଯାଇଛି ।
ସେହିପରି ଅଞ୍ଚଳର ସାପ୍ତାହିକ ହାଟ ମଧ୍ୟ ବନ୍ଦ ରହିବ । ସଟଡାଉନ ସରିବା ପରେ ସରପଞ୍ଚମାନେ ସ୍ଥିତି ସମୀକ୍ଷା କରି ପରବର୍ତ୍ତୀ ନିଷ୍ପତ୍ତି ନେବେ । ଏହି ସମୟରେ କୋଭିଡ ନିୟମକୁ କଡ଼ାକଡ଼ା ପାଳନ କରିବାକୁ ସାଧାରଣ ଲୋକଙ୍କୁ ସରପଞ୍ଚମାନେ ଅନୁରୋଧ ମଧ୍ୟ କରିଛନ୍ତି ।