)
ନୂଆଦିଲ୍ଲୀ: କୋରୋନା ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରି ଦେଶବାସୀଙ୍କ ମନ ଜିଣିଥିବା ବଲିଉଡ ଅଭିନେତା ସୋନୁ ସୁଦ ପୁଣିଥରେ ସମସ୍ତଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିବାରେ ଲାଗିଛନ୍ତି । ଏବେ ଅଭିନେତା ସୋନୁ ସୁଦ 'Sonu For You' ନାମକ ଏକ ବ୍ଲଡ ବ୍ୟାଙ୍କ ଆପ୍ ଲଞ୍ଚ କରିବାକୁ ଯାଉଛନ୍ତି। ଦେଶରେ ଏହା ଏକ ବୃହତ ଆକାରରେ ଲଞ୍ଚ ହେବ । ଏହା ଏକ ଆପ୍ ମାଧ୍ୟମରେ ପରିଚାଳିତ କରାଯିବ। ଏହା ଦେଶର ସବୁଠାରୁ ବଡ ବ୍ଲଡ ବ୍ୟାଙ୍କ (Blood Bank) ହେବ ବୋଲି ଦାବି କରିଛନ୍ତି ସୋନୁ । ଏହି ଆପ୍ ସାହାଯ୍ୟରେ, ଯେଉଁମାନଙ୍କୁ ରକ୍ତ ଆବଶ୍ୟକ ସେମାନେ ତତକାଳ ଏହି ଆପ ଜରିଆରେ ରକ୍ତଦାତା ଖୋଜିପାରିବେ ।
ଏହି ଆପ ଜରିଆରେ ପ୍ରଥମେ ରକ୍ତଦାତା (Blood Donor) ଙ୍କ ନିକଟକୁ ରିକ୍ୱେଷ୍ଟ ବା ଅନୁରୋଧ ପଠାଯିବ। ପରେ ରକ୍ତଦାତା ହସ୍ପିଟାଲ ଯାଇ ରକ୍ତଦାନ କରିପାରିବେ । ଏହି କାରଣରୁ ଏହାକୁ ଦେଶର ସବୁଠାରୁ ବଡ଼ ବ୍ଲଡ ବ୍ୟାଙ୍କ ବୋଲି ଦାବି କରିଛନ୍ତି । ଅଭିନେତା ସୋନୁ ସୁଦ କହିଛନ୍ତି ଯେ, (Sonu For You App) ଚିନ୍ତାଧାରା ମୋର ଓ ମୋ ସାଙ୍ଗ ଜୋନସନର । ଆମ ଦେଶରେ ରକ୍ତ ଅଭାବରୁ ଅନେକଙ୍କ ଜୀବନ ଯାଉଛି । ତେବେ ଏଥିରେ ସହାୟକ ହେବା ସହ ରକ୍ତ ଆବଶ୍ୟକ କରୁଥିବା ଲୋକଙ୍କ ନିକଟରେ ରକ୍ତଦାତା ପହଞ୍ଚାଇବାକୁ ଏହି ଆପ୍ ଲଞ୍ଚ କରାଯିବ ।
ଅଭିନେତା (Sonu Sood) ଏକଥା ବି କହିଛନ୍ତି ଯେ, ଏକ ବିଶେଷ ବ୍ଲଡ ଗ୍ରୁପର ଲୋକ ଖୋଜିବାକୁ ବହୁତ ସମୟ ଲାଗିଯାଏ । ଏହି ଆପ ଜରିଆରେ ଦୁଲର୍ଭ ବ୍ଲଡ ଗ୍ରୁପ ଥିବା ଲୋକଙ୍କୁ ଅତି ସହଜରେ ଖୋଜାଯାଇପାରିବ । କାରଣ କେବଳ ରକ୍ତ ଖୋଜିବାରେ ଅଧିକ ସମୟ ଯାଉଥିବାରୁ ପ୍ରତି ବର୍ଷ ଆମ ଦେଶରେ ୧୨ ହଜାର ରୋଗୀ ଉପଯୁକ୍ତ ରକ୍ତ ନପାଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ଆଉ ଏହି ଆପ ଲଞ୍ଚ ହେବା ପରେ ମାତ୍ର ୨୦ ମିନିଟ ଭିତରେ କୌଣସି ରୋଗୀଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇପାରିବ ।
ସୂଚନାଯୋଗ୍ୟ, ଅଭିନେତା ସୋନୁ ସୁଦ୍ (Sonu Sood) ସମାଜର ବିଭିନ୍ନ କ୍ଷେତ୍ରର ଲୋକଙ୍କୁ ସାହାଯ୍ୟ କରିବା ପାଇଁ କ୍ରମାଗତ ଭାବରେ କାର୍ଯ୍ୟ କରୁଛନ୍ତି, କିନ୍ତୁ ସେ ଏହି ରିଲିଫ୍ କାର୍ଯ୍ୟଗୁଡ଼ିକର ପରିସର ମଧ୍ୟ ବୃଦ୍ଧି କରୁଛନ୍ତି । ସେ ଲକଡାଉନ୍ (LockDown) ସମୟରେ ପ୍ରବାସୀ ଶ୍ରମିକମାନଙ୍କୁ ଘରକୁ ଯିବାରେ ସାହାଯ୍ୟ କରି ଲାଇମ୍ ଲାଇଟ୍ ରେ ଆସିଥିଲେ ।