Trending Photos
)
ନୂଆଦିଲ୍ଲୀ: ଲଦାଖରେ ଆକ୍ରମଣ ପରେ ଏବେ ତମାମ ଦେଶରେ ଚୀନକୁ ଘୋର ବିରୋଧ କରିବା ଆରମ୍ଭ ହୋଇଯାଇଛି। ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଚୀନକୁ ବିରୋଧ କରିବା ଆରମ୍ଭ ହୋଇଛି। ତୃଣମୂଳସ୍ତରରେ ଲୋକମାନେ ମଧ୍ୟ ଚୀନକୁ ଘୋର ବିରୋଧ କରିବା ଆରମ୍ଭ କରିଦେଇଛନ୍ତି। ସେପଟେ କନଫଡରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ(Confederation of All India Traders) ଗୁରୁବାର ସେଲିବ୍ରିଟି, କ୍ରୀଡ଼ା ବ୍ୟକ୍ତିତ୍ୱଙ୍କୁ ଚୀନ ଉତ୍ପାଦର ବିଜ୍ଞାପନ ନ କରିବାକୁ ନିର୍ଦ୍ଦେଶ ଦେଇଛି। ସେହିପରି ଚୀନ ସାମଗ୍ରୀକୁ ବହିଷ୍କାର କରିବା ପାଇଁ ଭାରତୀୟ ସମ୍ମାନ-ହମାରା ଅଭିମାନ ଭଳି ଏକ ଆନ୍ଦୋଳନ ଆରମ୍ଭ କରିଛି। ଆଉ ଏଥିରେ ସାମିଲ ହେବାକୁ ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ଶିଳ୍ପା ସେଟ୍ଟି, ମାଧୁରୀ ଦୀକ୍ଷିତ, ମହେନ୍ଦ୍ର ସିଂହ ଧୋନୀ, ସଚିନ ତେନ୍ଦୁଲକର ତଥା ଅନ୍ୟ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ଆହ୍ୱାନ ଦେଇଛି CAIT।
ସେପଟେ CAITର ଅଧ୍ୟକ୍ଷ ବିସି ଭରତୀୟ ଓ ରାଷ୍ଟ୍ରୀୟ ମହାମନ୍ତ୍ରୀ ପ୍ରବୀଣ ଖଣ୍ଡେଲଓ୍ୱାଲ କହିଛନ୍ତି କି, ସିନେମା ଓ ଖେଳ ଜଗତର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କ ନାମ ଜାରି କରିଛନ୍ତି। ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି କି, ଏଭଳି ସଂକଟ ସମୟରେ ଚୀନ ଯେଉଁଭଳି ଭାବରେ ବର୍ବରୋଚିତ କାଣ୍ଡ ଘଟାଇଛି, ଉକ୍ତ ଘଟଣାରେ ଦେଶବାସୀ ବେଶ ଆକ୍ରୋଶ ମନୋଭାବ ପୋଷଣ କରିଛନ୍ତି। ଏପରିକି ଦେଶବାସୀ ଚୀନକୁ ଘୋର ବିରୋଧ କରିବା ଆରମ୍ଭ କରିଦେଇଛନ୍ତି। CAIT କହିଛି ଯେ,ଚୀନ ଉତ୍ପାଦର ବିଜ୍ଞାପନ ନ କରିବାକୁ ବରିଷ୍ଠ ଅଭିନେତା, କ୍ରୀଡ଼ା ଜଗତର ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କୁ ଅନୁରୋଧ କରାଯାଇଛି।
ଡିସେମ୍ବର ୨୦୨୧ ସୁଦ୍ଧା ଚୀନରୁ ଆମଦାନୀକୁ ୧୩ ବିଲିୟନ ଡଲାରକୁ ହ୍ରାସ କରିବାକୁ CAIT ପ୍ରତିଶ୍ରୁତି ଦେଇଛି। ଅର୍ଥାତ୍ ପ୍ରାୟ ୧ ଲକ୍ଷ କୋଟି ଆମଦାନୀକୁ କମ କରିବାକୁ ପ୍ରତିଶ୍ରୁତି ନିଆଯାଇଛି । ବର୍ତ୍ତମାନ ଭାରତରେ ଚୀନ ଉତ୍ପାଦର ବାର୍ଷିକ ଆମଦାନୀ ପ୍ରାୟ ୭୦ ବିଲିୟନ ଡଲାର ବା ୫.୨୫ ଲକ୍ଷ କୋଟି ଟଙ୍କା ରହିଛି । ଭରତ ଏବଂ ଖଣ୍ଡେଲୱାଲ କହିଛନ୍ତି ଯେ ଚୀନର ଉତ୍ପାଦକୁ ବିରୋଧ କରିବା ଅଭିଯାନରେ ବଲିଉଡ ତଥା କ୍ରୀଡା ବ୍ୟକ୍ତିତ୍ୱଙ୍କ ଯୋଗଦାନ ଏହି ଅଭିଯାନକୁ ଅଧିକ ଦୃଢ କରିବ। ଏହି ପରିପ୍ରେକ୍ଷୀରେ, CAIT ଗୁରୁବାର ସେଲିବ୍ରିଟିଙ୍କୁ ଚୀନ ଉତ୍ପାଦର ବିଜ୍ଞାପନ ବନ୍ଦ କରିବାକୁ ନିବେଦନ କରିଛି। ଭାରତୀୟ ସମ୍ବିଧାନ ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତି ଆଇନ ଅନୁଯାୟୀ ଟଙ୍କା ରୋଜଗାର କରିବାର ଅଧିକାର ପାଇଛନ୍ତି। କିନ୍ତୁ ଯେଉଁଠାରେ ଆୟର ପନ୍ଥା ଦେଶର କ୍ଷତି କରିଥାଏ, ସେଠାରେ ଆମକୁ ଦେଶ ପ୍ରତି କର୍ତ୍ତବ୍ୟକୁ ପ୍ରାଧାନ୍ୟ ଦେବାକୁ ହେବ ବୋଲି ସେ କହିଥିଲେ।