ବଦଳିଛି ରାକ୍ଷୀର ପରିଭାଷା

ଲକଡାଉନରେ ପସନ୍ଦ ପାଲଟିଛି ଇ-ରାକ୍ଷୀ

ବଦଳିଛି ରାକ୍ଷୀର ପରିଭାଷା

ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଭାଇ ଭଉଣୀର ପବିତ୍ର ସମ୍ପର୍କ ସେତୁ। ଆଜିର ଦିନକୁ ଭଉଣୀ ଚାହିଁ ରହିଥାଏ ଭାଇକୁ। ଭାଇର ଶୁଭମନାସୀ ଭାଇ ହାତରେ ବାନ୍ଧି ଦେଇଥାଏ ରାକ୍ଷୀଟିଏ। ପ୍ରତିବଦଳରେ ଭଉଣୀର ସ୍ୱାଭିମାନ, ସୁରକ୍ଷାପାଇଁ ମଧ୍ୟ ପ୍ରତିଶୃତି ଦେଇଥାଏ ଭାଇ। କାହିଁ କେଉଁ କାଳରୁ ଏହାକୁ ପାଳନ କରାଯାଉଛି। ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା। ବଳଭଦ୍ରଙ୍କ ଜନ୍ମୋତ୍ସବ ଭାବେ ମଧ୍ୟ ଏହି ପର୍ବକୁ ପାଳନ କରାଯାଇଥାଏ। ବଳଦ, ଗୋମାତାଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧି ଏହି ପର୍ବକୁ ପାଳନ କରାଯାଇଥାଏ। 

ତେବେ ସମୟ ବଦଳିବା ସହିତ ବଦଳିଛି ରାକ୍ଷୀର ପରିଭାଷା। ପୂର୍ବରୁ ସୂତା ଖଣ୍ଡେ ରାକ୍ଷୀର ମାନ୍ୟତା ପାଉଥିବା ବେଳେ ଏବେ କିନ୍ତୁ ବଦଳିଛି ଏହି ରାକ୍ଷୀର ଭାଷା। ଟ୍ରେଣ୍ଡିଂରେ ରହୁଛି ଇ-ରାକ୍ଷୀ। ଏହାକୁ ତାଳ ଦେଇଛି ଚଳିତ ବର୍ଷ କୋରୋନା ପାଇଁ ହୋଇଥିବା ଲକଡାଉନ। ଲକଡାଉନ କାରଣରୁ ଏବେ ସମସ୍ତେ ଘରେ ବନ୍ଦୀ। କେହି ବାହାରକୁ ବାହାରୁନଥିବା ବେଳେ କୋରୋନା ଭୟ ମଧ୍ୟ ଘାରିଛି। ବାହାରକୁ ବାହାରୁ ନଥିବାରୁ ବର୍ତ୍ତମାନ ଅନଲାଇନରେ ଆସୁଛି ରାକ୍ଷୀ। ଭାଇ ପାଖକୁ ଇ-ରାକ୍ଷୀ ସହିତ ଉପହାର ପଠାଉଛନ୍ତି ଭଉଣୀମାନେ। 

ଅନଲାଇନ ବଜାରରେ ଭଉଣୀମାନେ ଏହି ରାକ୍ଷୀକୁ ପଠାଉଛନ୍ତି। ଆମାଜନ, ଫ୍ଲିପକାର୍ଟ ଭଳି ଅନେକ ଅନଲାଇନ ମାର୍କେଟରେ ଏବେ ଭଳିକି ଭଳି ଡିଜାଇନ ଉପଲବ୍ଧ ହେଉଛି। ରାକ୍ଷୀ ସହିତ ବିଭିନ୍ନ ଉପହାର ମଧ୍ୟ ଉପଲବ୍ଧ ହେଉଥିବା ବେଳେ ଶସ୍ତାରେ ମଧ୍ୟ ତାହା ମିଳିଯାଉଛି। ଏହି ରାକ୍ଷୀକୁ ଅନଲାଇନରେ ନିଜ ଭାଇମାନଙ୍କ ନିକଟକୁ ପଠାଉଛନ୍ତି ସେମାନଙ୍କର ଭଉଣୀମାନେ। ଇଣ୍ଟରନେଟରେ ହର୍ବାଲ ରାକ୍ଷୀ ମଧ୍ୟ ମିଳିଯାଉଛି। ବିନା ପରିଶ୍ରମରେ ମଧ୍ୟ ଏହା ସୁବିଧାରେ ଉପଲବ୍ଧ ହେଉଛି। 

ସେପଟେ ଆଜିର ଦିନରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ। ଏହି ଦିନ ଶ୍ରୀଜିଉଙ୍କ ପାଇଁ ବାସୁଙ୍ଗାପାଟର ସାମଗ୍ରୀ ତିଆରି କରିବାକୁ ୧୫ କେଜି ବାସୁଙ୍ଗା ପାଟର ଆବଶ୍ୟକ ପଡ଼ିଥାଏ। ମହାପ୍ରଭୁଙ୍କ ପାଇଁ ୪ଟି ରାକ୍ଷୀ ସହିତ ୫୪ଟି ଲେଖାଏଁ ଗୁଆ ଦେଇ ୪ଟି ଗୁଆମାଳ ବି ତିଆରି କରିଥାନ୍ତି। ଗହ୍ମାପୂର୍ଣ୍ଣିମାରେ ଗୋପାଳବଲ୍ଲଭ ଧୂପ ପରେ ପାଟରା ବିଶୋଇ ମନ୍ଦିରରେ ରାକ୍ଷୀ ମେକାପ ସେବାୟତଙ୍କୁ ପ୍ରଦାନ କରିଥାନ୍ତି। ସିହାରି ସେବକ ଏହାକୁ ମହାପ୍ରଭୁଙ୍କୁ ଲାଗି କରିଥାନ୍ତି।