)
ନୂଆଦିଲ୍ଲୀ: ପାନାମା ପେପର ଲିକ୍ ମାମଲାରେ ବଚ୍ଚନ ପରିବାରର ସମସ୍ୟା ବୃଦ୍ଧି ପାଇଛି। ଏହି ମାମଲାରେ ଅମିତାଭ ବଚ୍ଚନଙ୍କ ବୋହୂ ତଥା ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ଇଡି ସମନ ପଠାଇଛି। ପାନାମା ପେପର ଲିକ୍ ମାମଲାରେ ଐଶ୍ୱର୍ଯ୍ୟା ରାୟଙ୍କୁ ଇଡି ଏହି ସମନ ଜାରି କରି ଦିଲ୍ଲୀ ଡକାଇଛି।
ସୂଚନାଯୋଗ୍ୟ, ପାନାମା ପେପର ଲିକ୍ (Panama Paper Leak) ମାମଲାରେ ବଚ୍ଚନ ପରିବାରର ନାମ ମଧ୍ୟ ଆସିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଏହାକୁ ନେଇ ମନି ଲଣ୍ଡରିଂ (PMLA) ମାମଲା ରୁଜୁ କରିଥିଲା। ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର HIU ଏହାର ତଦନ୍ତ କରୁଛି। ବର୍ତ୍ତମାନ ଐଶ୍ୱର୍ଯ୍ୟା ରାୟ (Aishwarya Rai) ଙ୍କୁ ଇଡି ସମନ କରିବା ସହ ପଚରା ଉଚରା ପାଇଁ ଦିଲ୍ଲୀ ଡକାଇଥିବା ଜଣାପଡିଛି। ପୂର୍ବରୁ ମଧ୍ୟ ଇଡି ସମନ କରିଥିଲା କିନ୍ତୁ ସେ ଉପସ୍ଥିତ ହୋଇନଥିଲେ।
୨୦୧୬ରେ ପାନାମା ଲ ଫର୍ମର ୧୧.୫ କୋଟି ଟ୍ୟାକ୍ସ ଡକ୍ୟୁମେଣ୍ଟ ବ୍ରିଟେନରେ ଲିକ୍ ହୋଇଥିଲା। ଏଥିରେ ବିଶ୍ୱର ବିଭିନ୍ନ ସ୍ଥାନରୁ ବଡ ନେତା, ବ୍ୟବସାୟୀ ଏବଂ ବଡ ବ୍ୟକ୍ତିତ୍ୱ, ସେଲିବ୍ରିଟିଙ୍କ ନାମ ପ୍ରକାଶ ପାଇଥିଲା। ଏହି ମାମଲାରେ ଭାରତର ପ୍ରାୟ ୫୦୦ ଲୋକଙ୍କ ନାମ ଏହି ତାଲିକାରେ ଥିବା ଜଣାପଡିଛି। ଏଥିରେ ବଚ୍ଚନ ପରିବାରର ନାମ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା।
ଏକ ରିପୋର୍ଟ ଅନୁଯାୟୀ, ଯେଉଁମାନଙ୍କର ନାମ ପାନାମା ପେପର ତାଲିକାରେ ଅଛି, ସେମାନଙ୍କ ବିରୁଦ୍ଧରେ ଟିକସ ଫାଙ୍କିବା ଅଭିଯୋଗ ହୋଇଛି। ଆଉ ଟିକସ କର୍ତ୍ତୃପକ୍ଷ ଏହାର ତଦନ୍ତରେ ନିୟୋଜିତ ଅଛନ୍ତି। ଏହି ପରିପ୍ରେକ୍ଷୀରେ ଐଶ୍ୱର୍ଯ୍ୟା ରାୟଙ୍କୁ ପ୍ରଥମେ ଏକ କମ୍ପାନୀର ନିର୍ଦ୍ଦେଶକ କରାଯାଇଥିଲା। ପରେ ତାଙ୍କୁ କମ୍ପାନୀର ଅଂଶୀଦାର ଘୋଷଣା କରାଯାଇଥିଲା।