ପଶ୍ଚିମାଞ୍ଚଳରେ କାହିଁକି ପାଳନ ହୁଏ ଗୁଁଡିଖାଇ ପର୍ବ?
Advertisement

ପଶ୍ଚିମାଞ୍ଚଳରେ କାହିଁକି ପାଳନ ହୁଏ ଗୁଁଡିଖାଇ ପର୍ବ?

ବର୍ଷର ପ୍ରଥମ ଫଳମୂଳ ଇଷ୍ଟଙ୍କ ଠାରେ ସମର୍ପିତ କରାଯାଏ। ଆମ୍ବ, ଚାର, ମହୁଲ ଇତ୍ୟାଦି ଫଳମୂଳ ଇଷ୍ଟଙ୍କ ଠାରେ ଭୋଗ ଅର୍ପଣ କରିବା ପରେ ଲୋକେ ଖାଇବା ଆରମ୍ଭ କରିଥାନ୍ତି। 

ଫାଇଲ ଫଟୋ

ସମ୍ବଲପୁର: ଫାଲ୍ଗୁନ ପୂର୍ଣ୍ଣିମା ବା ଦୋଳ ପୂର୍ଣ୍ଣିମା ଦିନ ପଶ୍ଚିମ ଓଡିଶାର ଏକ ବଡ଼ ପର୍ବ ପାଳନ କରାଯାଏ। ପଶ୍ଚିମ ଓଡ଼ିଶାରେ ଏହାକୁ ଫଗୁନ ପୁନୀ ବୋଲି କୁହାଯାଉଥିବା ବେଳେ ଏହି ଦିନକୁ ଗୁଁଡିଖାଇ ଭାବେ ପାଳନ  କରାଯାଇଥାଏ। ଏହି ଦିନ ବର୍ଷର ପ୍ରଥମ ଜଂଗଲଜାତ ଫଳମୂଳକୁ ଖାଇବା ପୂର୍ବରୁ ନିଜର ଇଷ୍ଟ ଦେବୀଙ୍କ ଠାରେ ଅର୍ପଣ କରାଯାଇଥାଏ। ନୂଆଖାଇ ଭଳି ପଶ୍ଚିମାଞ୍ଚଳରେ ଗୁଁଡିଖାଇ ମଧ୍ୟ ଏକ ସ୍ବତନ୍ତ୍ର ମର୍ଯ୍ୟାଦା ରଖୁଥିବା ଏକ ଗଣପର୍ବ ଅଟେ।

ଦିନକୁ ଦିନ ଜଂଗଲ ନଷ୍ଟ ହେବାକୁ ବସିଲାଣି। ଏଭଳି ପରିସ୍ଥିତିରେ ବଣ ଜଂଗଲ ସହ ଜଡିତ ପର୍ବ ପର୍ବାଣୀ ମଧ୍ୟ ହଜି ଯାଉଛି। ପଶ୍ଚିମାଞ୍ଚଳର ସ୍ବତନ୍ତ୍ର ପରିଚୟ ପାଇଥିବା ନୂଆଖାଇ, ପୁଅ ଜୁଇଁତିଆ, ଭାଇ ଜୁଇଁତିଆ ଭଳି ଗୁଁଡିଖାଇ ମଧ୍ୟ ଏକ ସ୍ବତନ୍ତ୍ର ପର୍ବ। ପୂର୍ବରୁ ସମଗ୍ର ପଶ୍ଚିମାଞ୍ଚଳରେ ବଣ ଜଂଗଲ ଭରି ରହିଥିଲା। ସାଧାରଣ ଲୋକଙ୍କ ପାଇଁ ଫଳମୂଳର ଅଭାବ ନଥିଲା। ସେଥିପାଇଁ ସେହି ଫଳମୂଳ ନିଜେ ଖାଇବା ପୂର୍ବରୁ ନିଜର ଇଷ୍ଟକୁ ସମର୍ପିତ କରୁଥିଲେ। ମହୁଲ ଜାତୀୟ ଫୁଲ ଫଳକୁ ସମ୍ବଲପୁରୀ ଭାଷାରେ ଗୁଁଡି କୁହାଯାଉଥିବାରୁ ଏହି ଉତ୍ସବ ଗୁଁଡିଖାଇ ଭାବରେ ପରିଚିତ। 

Also Read: Happy Holi 2022: ବିନ୍ଦାସ ଖେଳନ୍ତୁ ରଙ୍ଗ, କେଶ ଓ ମୁହଁରୁ ଏମିତି ଛଡ଼ାନ୍ତୁ ଦାଗ

 

ବର୍ଷର ପ୍ରଥମ ଫଳମୂଳ ଇଷ୍ଟଙ୍କ ଠାରେ ସମର୍ପିତ କରାଯାଏ। ଆମ୍ବ, ଚାର, ମହୁଲ ଇତ୍ୟାଦି ଫଳମୂଳ ଇଷ୍ଟଙ୍କ ଠାରେ ଭୋଗ ଅର୍ପଣ କରିବା ପରେ ଲୋକେ ଖାଇବା ଆରମ୍ଭ କରିଥାନ୍ତି। ଗୁଁଡିଖାଇ ଏବଂ ନୂଆଁଖାଇରେ ସମସ୍ତ ପରମ୍ପରା ସମାନ ରହିଥିବା ବେଳେ ନବାନ୍ନ  ବଦଳରେ ଆମ୍ବ, ମହୁଲ, ଚାର ଭଳି ଫଳମୂଳ, ଚଣା ଏବଂ ସାକରପଟି ଆଦି ପ୍ରସାଦ ଭାବେ  ବ୍ୟବହାର ହୁଏ। ଫଳମୂଳର ପ୍ରସାଦ ଲାଗି ସାରିବା ପରେ ବଡମାନଙ୍କୁ ଜୁହାର କରି ଅବିର ଲଗାଇ ଆଶୀର୍ବାଦ ଭିକ୍ଷା କରାଯାଇଥାଏ। 

fallback

ଗୁଁଡିଖାଇ ଅବସରରେ ହେଉଥିବା ପୂଜାରେ ପଳାସ ଫୂଳ ବ୍ୟବହାର ହୋଇଥାଏ। ପଳାସ ଫୁଲ ଭଳି ଜୀବନ ରଙ୍ଗୀନ ଓ ସୁନ୍ଦର ହେଉ ବୋଲି କାମନା କରି ଏହି ଫୁଲକୁ ଦେବୀ ଦେବତାଙ୍କଠାରେ ଅର୍ପଣ କରାଯାଇଥାଏ ବୋଲି କୁହାଯାଏ। ନୁଆଁଖାଇ ଭଳି କାହିଁ କେଉଁ କାଳରୁ ଗୁଁଡିଖାଇ ପର୍ବ ପଶ୍ଚିମ ଓଡିଶାର ଜନସାଧାରଣଙ୍କ ସମାଜିକ, ସାଂସ୍କୃତିକ ଜୀବନ ପ୍ରବାହର ଏକ ଅଭିନ୍ନ ଅଙ୍ଗ ହୋଇ ରହିଛି। ତେବେ ଧୀରେ ଧୀରେ ଜଂଗଲଜାତ ଫଳମୂଳର ଅଭାବ ଦେଖିବାକୁ ମିଳୁଥିବା ବେଳେ ଗୁଁଡିଖାଇ ପରମ୍ପରା ବି ହଜିବାକୁ ବସିଛି।