• ସୁନ୍ଦରଗଡ଼ ବାଲିଶଙ୍କରା ପଞ୍ଚାୟତର ସବୁ ଗାଁ ଲକ୍‌ଡାଉନ୍
  • କାଲିଠୁ ୭ ଦିନ ପାଇଁ ଲକ୍‌ଡାଉନ୍ ଘୋଷଣା କଲେ ସରପଞ୍ଚ
  • କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦିୟୁରପ୍ପା କୋରୋନା ପଜିଟିଭ
  • ଏଣିକି ପ୍ରତି ଶନିବାର ଓ ରବିବାର ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ବନ୍ଦ
  • ଆସନ୍ତା ୨୪ ତାରିଖଠାରୁ ଲାଗୁ ହେବ କଟକଣା
  • କଟକ DCP ଅଫିସରେ ହେଲା ହାଇଦରର କୋଭିଡ ଟେଷ୍ଟ
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କୋରୋନା
  • ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୩ ହଜାର ଟପିଲା
  • ମାସ୍କ ପ୍ରସଙ୍ଗରେ ଉତ୍ତରପ୍ରଦେଶ ସରକାରଙ୍କ ବଡ ନିଷ୍ପତ୍ତି
  • ମାସ୍କ ନ ପିନ୍ଧିଲେ ପ୍ରଥମ ଥର ୧୦୦୦, ୨ୟ ଥର ୧୦ହଜାର ଜରିମାନା

'ମନ୍ଦିର ମାଙ୍ଗେ.. ଆଜାଦୀ !'

ବିଶ୍ୱ ହିନ୍ଦୁ ପରିଷଦ (Vishwa Hindu Parishad) ବିଗତ ୨୦ ବର୍ଷ ହେଲା ମନ୍ଦିର ସ୍ୱତନ୍ତ୍ରତା ଆନ୍ଦୋଳନରେ ଜଡିତ ରହିଛି। ହିନ୍ଦୁ ମନ୍ଦିର ବ୍ୟତୀତ ଦେଶର ଅନ୍ୟ ସମସ୍ତ ପୂଜାସ୍ଥଳୀ ଯଥା ଗୀର୍ଜା, ମସଜିଦ, ଗୁରୁଦ୍ୱାର (Gurudwara) ଆଦି ସମ୍ପୂର୍ଣ୍ଣ ସରକାରୀ ନିୟନ୍ତ୍ରଣରୁ ମୁକ୍ତ ଓ ନିଜସ୍ୱ ପ୍ରବନ୍ଧନ ସଂସ୍ଥା ଦ୍ୱାରା ପରିଚାଳିତ ହେଉଛି। 

 'ମନ୍ଦିର ମାଙ୍ଗେ.. ଆଜାଦୀ !'
ଡିଜାଇନ ଫଟୋ

କିଛିଦିନ ହେଲା ସାମାଜିକ ଗଣମାଧ୍ୟମର ପ୍ରଥମ ଦଶଟି ଟ୍ରେଣ୍ଡିଙ୍ଗ ମଧ୍ୟରେ #FreeHinduTemple ଅଗ୍ରୀମ ସ୍ଥାନ ବଜାୟ ରଖିଥିଲା। ମହାପ୍ରଭୁ ଜଗନ୍ନାଥଙ୍କ ୩୪ ହଜାର ଏକର ଜମି ବିକ୍ରି ହେବାକୁ ଯାଉଥିବା ଖବର ରାଷ୍ଟ୍ରୀୟ ବିତର୍କ ପାଲଟିଛି। ଅପୱାର୍ଡ, ଇଣ୍ଡିକ କଲେକ୍ଟିଭ, ଇଶା ଫାଉଣ୍ଡେସନ ପରି ବିଭିନ୍ନ ସାମାଜିକ ସଂସ୍ଥା ସହ ଦେଶ ବିଦେଶର ବିଭିନ୍ନ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ହିନ୍ଦୁ ମନ୍ଦିରର ସ୍ୱାୟତ୍ତତା ପାଇଁ ଅପିଲ କରିସାରିଛନ୍ତି। ୨୦୧୭ ରେ ଅଖିଳ ଭାରତୀୟ ସନ୍ଥ ସମିତି ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ହିନ୍ଦୁ ମନ୍ଦିରର ଦୟନୀୟ ସ୍ଥିତି ବିଷୟରେ ବିସ୍ତୃତ ବିବରଣୀ ଦିଆ ଯାଇଅଛି। 

ବିଶ୍ୱ ହିନ୍ଦୁ ପରିଷଦ (Vishwa Hindu Parishad) ବିଗତ ୨୦ ବର୍ଷ ହେଲା ମନ୍ଦିର ସ୍ୱତନ୍ତ୍ରତା ଆନ୍ଦୋଳନରେ ଜଡିତ ରହିଛି। ହିନ୍ଦୁ ମନ୍ଦିର ବ୍ୟତୀତ ଦେଶର ଅନ୍ୟ ସମସ୍ତ ପୂଜାସ୍ଥଳୀ ଯଥା ଗୀର୍ଜା, ମସଜିଦ, ଗୁରୁଦ୍ୱାର (Gurudwara) ଆଦି ସମ୍ପୂର୍ଣ୍ଣ ସରକାରୀ ନିୟନ୍ତ୍ରଣରୁ ମୁକ୍ତ ଓ ନିଜସ୍ୱ ପ୍ରବନ୍ଧନ ସଂସ୍ଥା ଦ୍ୱାରା ପରିଚାଳିତ ହେଉଛି। ଏମାନଙ୍କ ଆୟ ତଥା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଉପରେ କେବଳ ଏହି ମତାବଲମ୍ବୀ ବ୍ୟକ୍ତିବିଶେଷଙ୍କ ଅଧିକାର ରହିଛି, ଯେଉଁଥିରେ ସ୍ଥାନୀୟ ପ୍ରଶାସନ କିମ୍ବା କେନ୍ଦ୍ର ସରକାର (Central Govt) କୌଣସି ହସ୍ତକ୍ଷେପ କରି ପାରିବେ ନାହିଁ। 

Also Read: ଜଗା ଜମିର ସତ-ମିଛ ଦ୍ୱନ୍ଦ୍ୱ

ଆଜି ଭାରତର ଗ୍ରାମ୍ୟ ମନ୍ଦିର ଠାରୁ ଆରମ୍ଭ କରି କାଶୀ ବିଶ୍ୱନାଥ (Kashi Viswanath) ଓ ତିରୁପତି (Tirupati) ପର୍ଯ୍ୟନ୍ତ ପ୍ରାୟ ସବୁ ହିନ୍ଦୁ ପୂଜାସ୍ଥଳୀ ଯେନ ତେନ ପ୍ରକାରେ ସରକାରୀ ଶାସନକଳ ଦ୍ୱାରା ନିୟନ୍ତ୍ରିତ। ସହସ୍ର ବର୍ଷ ଧରି ହିନ୍ଦୁ (Hindu) ନିଜ ଆୟର ଏକ ମୁଖ୍ୟ ଅଂଶ ମନ୍ଦିରକୁ ଦାନ କରୁଛି। ସେହି ସହାୟତାରେ ସନାତନ (Sanatan) ସମାଜର ଶିକ୍ଷା, ସ୍ୱାସ୍ଥ୍ୟ, ସମ୍ପର୍କ, ସଂସ୍କାର ତଥା ସଂସ୍କୃତି (culture) ର ରକ୍ଷା ହୋଇପାରିବ ଓ ଭାରତବର୍ଷ ଆହୁରି ବିକଶିତ ସଭ୍ୟତାରେ ପରିଣତ ହେବ। କିନ୍ତୁ ବିଭିନ୍ନ ଅଣଧାର୍ମିକ ଓ ରାଜନୈତିକ (Political) ବ୍ୟକ୍ତିଙ୍କୁ ସରକାରୀ ମନୋନୟନ ମାଧ୍ୟମରେ ମନ୍ଦିର ଟ୍ରଷ୍ଟର ସଦସ୍ୟ କରାଇବା ଏହି ଉଦେଶ୍ୟରେ ବ୍ୟାଘାତ ସୃଷ୍ଟି କରିଛି।

ମନ୍ଦିରର ଆୟ (Teample Income) କୁ ରାଜନୈତିକ ଯୋଜନାରେ ବ୍ୟୟ କରିବା ହିନ୍ଦୁ ସଂସ୍କୃତି ଓ ପରମ୍ପରାରେ ବ୍ୟାପକ କ୍ଷତି ଘଟାଇଛି। ୮ ଅପ୍ରେଲ ୨୦୧୯ ଚିଦାମ୍ବରମ ନଟରାଜ ମନ୍ଦିର (Chidambaram Natraj Temple) ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ (Supreme Court) ଖଣ୍ଡପୀଠ କହିଥିଲେ ଯେ ମନ୍ଦିର-ମସଜିଦ-ଗୀର୍ଜା-ଗୁରୁଦ୍ୱାର ଆଦି ସରକାରୀ କର୍ତ୍ତୃପକ୍ଷଙ୍କ ଅଧୀନସ୍ଥ ନୁହେଁ ବରଂ ଏହା ସମ୍ପୃକ୍ତ ଆରାଧନାସ୍ଥଳୀ ପ୍ରତି ଆସ୍ଥା ରଖୁଥିବା ଓ ଦାନ ସ୍ୱରୂପ ଅର୍ଥ ଖର୍ଚ୍ଚ କରୁଥିବା ଜନସମାଜ ଦ୍ଵାରା ପରିଚାଳିତ ହେବା ଉଚିତ। ସେହି ସମାଜ ହିଁ ନିଜ ପୂଜାସ୍ଥଳୀର ଉପଯୁକ୍ତ ସଂରକ୍ଷଣ ଓ ପ୍ରବନ୍ଧନ କରିପାରିବ।

Also Read: ବାରମ୍ବାର ବ୍ୟାରିକେଡରେ ଫସୁଛି ମୁଣ୍ଡ, କେବେ ଚେତିବ ଶ୍ରୀମନ୍ଦିର ପ୍ରଶାସନ?

ସାମ୍ପ୍ରତିକ ହିନ୍ଦୁ ସମାଜ (Hindu Society) ୧୨୮ ଗୋଟି ସମ୍ପ୍ରଦାୟ ମଧ୍ୟରେ ସମ୍ମିଳିତ ଭାବେ କାର୍ଯ୍ୟ କରୁଛି। ସମସ୍ତଙ୍କ ପୂଜା ପଦ୍ଧତି ଭିନ୍ନ ହୋଇଥିଲେ ମଧ୍ୟ, ସବୁର ଆଧାର ବେଦ ହିଁ ଅଟେ। ଅଖିଳ ଭାରତୀୟ ସନ୍ଥ ସମିତି ତଥ୍ୟ ମୁତାବକ ଭାରତରେ ହିନ୍ଦୁ ମନ୍ଦିର ସଂଖ୍ୟା ପ୍ରାୟ ସାଢ଼େ ନଅ ଲକ୍ଷ। ସେଥିରୁ ସାଢ଼େ ଚାରି ଲକ୍ଷ ପ୍ରତ୍ୟକ୍ଷ ଭାବେ ବିଭିନ୍ନ ରାଜ୍ୟ ସରକାରଙ୍କ କବଜାରେ ରହିଛି। ବାକି ପାଞ୍ଚ ଲକ୍ଷ ମନ୍ଦିର ମୁଖ୍ୟତଃ ଟ୍ରଷ୍ଟ ଦ୍ୱାରା ପରିଚାଳିତ, ଯେଉଁଥିରେ ସ୍ଥାନୀୟ ପ୍ରଶାସନ ଓ ରାଜନୈତିକ ଶକ୍ତି ନିଜ ପ୍ରଭାବ ବଜାୟ ରଖିଛନ୍ତି। ଅବଶ୍ୟ କିଛି ମନ୍ଦିର ମଠ, ଆଖଡା ଓ ସନ୍ଥଙ୍କ ତତ୍ୱାବଧାନରେ ଅଛି, କିନ୍ତୁ ସେହି ସଂଖ୍ୟା ନିମିତ୍ତ ମାତ୍ର। ସରକାର ଓ ଟ୍ରଷ୍ଟ ଗୁଡିକ ମନ୍ଦିରକୁ ରାଜସ୍ୱ ହାସଲର ସହଜ ସାଧନ ବନାଇ ଦେଇଛନ୍ତି।

ତେବେ ମନ୍ଦିରକୁ ନେଇ ଏତେ ଟଣା ଓଟରା କଣ ପାଇଁ ? କାରଣ ମନ୍ଦିର ହେଉଛି ଭାରତୀୟ ସଭ୍ୟତା ଓ ସଂସ୍କୃତିର ପ୍ରାଣକେନ୍ଦ୍ର। ଅନାଦି କାଳରୁ ଏହା ସନାତନ ସମାଜ, ରାଜନୀତି ଓ ଅର୍ଥନୀତିର ମୂଳପିଣ୍ଡ ସାଜିଛି। ସୁଲତାନ ଓ ମୋଗଲମାନେ ଭାରତରେ ପ୍ରବେଶ କରିବା ମାତ୍ରେ ମନ୍ଦିର ଆକ୍ରମଣ ଓ ଧ୍ୱଂସସାଧନ ଆରମ୍ଭ କରିଦେଇଥିଲେ। କାଶ୍ମୀର ଓ ଗୋଆରେ ଧର୍ମାନ୍ତରୀକରଣ ସମୟରେ ସମସ୍ତ ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦିଆ ଯାଇଥିଲା। ଅଣହିନ୍ଦୁ ଶାସକଙ୍କ ଜଗନ୍ନାଥ ମନ୍ଦିର ଆକ୍ରମଣ ଆମ ପାଇଁ ଆଦୌ ଅଜଣା ନୁହେଁ। ବ୍ରିଟିଶମାନେ ମାଡ୍ରାସ ହିନ୍ଦୁ ଟେମ୍ପଲ ଆକ୍ଟ ୧୮୪୩ ମାଧ୍ୟମରେ ହିନ୍ଦୁ ମନ୍ଦିରରେ ଗଚ୍ଛିତ ଟଙ୍କା ଓ ସୁନାକୁ ଲଣ୍ଡନ ପଠାଇବା ଆରମ୍ଭ କରିଥିଲେ, ଯେଉଁଥିରେ ୧୮୫୭ ସଶସ୍ତ୍ର ଆନ୍ଦୋଳନ ଆଂଶିକ ରୋକ ଲଗାଇଥିଲା।

Also Read: ଦଣ୍ଡରେ ଗଲା ଦଣ୍ଡୁଆ ଜୀବନ; ମୃତ୍ୟୁକୁ ଚ୍ୟାଲେଞ୍ଜ କରୁଛି ମଣିଷ!

ପରବର୍ତ୍ତୀ କାଳରେ ସୋସାଇଟି ଆକ୍ଟ ୧୮୬୦, ଟ୍ରଷ୍ଟ ଆକ୍ଟ ୧୮୮୨ ଆଦି ଆଇନ ମନ୍ଦିର କ୍ଷମତାକୁ ସଙ୍କୁଚିତ କରିଥିଲା। ପୁନଶ୍ଚ ମାଡ୍ରାସ ହିନ୍ଦୁ ଟେମ୍ପଲ ଆଣ୍ଡ ରିଲିଜିଅସ ପ୍ଲେସ ଏଣ୍ଡଉମେଣ୍ଟ ଆକ୍ଟ ୧୯୨୩ ଲାଗୁ କରାଯାଇ ମନ୍ଦିର ସମ୍ପତ୍ତିକୁ ବ୍ରିଟିଶ ରାଜକୋଷରେ ଜମା କରାଯାଇଥିଲା। ୧୯୨୩ରୁ ୧୯୪୭ ମଧ୍ୟରେ ଲକ୍ଷାଧିକ ହେକ୍ଟର ମନ୍ଦିର ଜମି ଚାରିଟେବୁଲ ଟ୍ରଷ୍ଟ ନାମରେ ନୂତନ ଚର୍ଚ୍ଚ ନିର୍ମାଣ ଓ କବରସ୍ଥାନ ବିସ୍ତାରୀକରଣ ପାଇଁ ପ୍ରଦତ୍ତ ହୋଇଥିଲା। ସ୍ୱାଧୀନତା ପରେ କଂଗ୍ରେସ ମଧ୍ୟ ବ୍ରିଟିଶ ଦେଖାଇଥିବା ରାସ୍ତାରେ ଆଗକୁ ବଢ଼ିଲା ଏବଂ ଯେହେତୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁ ନିଜକୁ ହିନ୍ଦୁ ମାନୁ ନଥିଲେ ତେଣୁ ମନ୍ଦିର ପ୍ରତି ତାଙ୍କର ବୈମାତୃକ ମନୋଭାବ ସ୍ପଷ୍ଟ ପ୍ରତୀତ ହୋଇଥିଲା। 

୧୯୫୧ରେ ସ୍ୱାଧୀନ ଭାରତର ପ୍ରଥମ ନିର୍ବାଚନ ପୂର୍ବରୁ ହିନ୍ଦୁ ରିଲିଜିଅସ ଆଣ୍ଡ ଚାରିଟେବୁଲ ଏଣ୍ଡଉମେଣ୍ଟ ଆକ୍ଟ ପାରିତ ହୋଇଥିଲା। ଫଳରେ ରାଜ୍ୟ ସରକାର ବିନା କୌଣସି କାରଣ ଦର୍ଶାଇ ହିନ୍ଦୁ ମନ୍ଦିରକୁ ନିଜ ଅଧିନସ୍ଥ କରିପାରିଲେ ଓ ମନ୍ଦିର ସମ୍ପତ୍ତି ମଧ୍ୟ ତାଙ୍କ ନିୟନ୍ତ୍ରଣ ଭୁକ୍ତ ହୋଇଥିଲା। ଏହି ଆଇନ ବଳରେ ଆନ୍ଧ୍ର ସରକାର ପ୍ରାୟ ୩୪ ହଜାର ମନ୍ଦିରକୁ ନିଜ ଅକ୍ତିଆରକୁ ନେଇ ଯାଇଥିଲେ। ବର୍ତ୍ତମାନ ଏହି ମନ୍ଦିର ଗୁଡିକର ବାର୍ଷିକ ରାଜସ୍ବର କେବଳ ୧୮ ପ୍ରତିଶତ ମନ୍ଦିରକୁ ମିଳୁଥିବା ବେଳେ ଅନ୍ୟ ୮୨ ପ୍ରତିଶତ ଅର୍ଥ ରାଜନୈତିକ ପ୍ରସାର, ଚର୍ଚ୍ଚ ସଂପ୍ରସାରଣ, ଧର୍ମାନ୍ତରୀକରଣ ଆଦିରେ ବିନିଯୋଗ ହେଉଛି। ତିରୁପତି ବାଲାଜୀ ମନ୍ଦିରର ବାର୍ଷିକ ଆୟ ପ୍ରାୟ ୩୫୦୦ କୋଟି ହୋଇଥିଲେ ମଧ୍ୟ ମନ୍ଦିରକୁ ଏହାର ପରିଚାଳନା ପାଇଁ ମାତ୍ର ୨୪୫ କୋଟି ଟଙ୍କା ପାଣ୍ଠି ମିଳି ପାରୁଛି। 

Also Read: ଅଶାନ୍ତ ସମୁଦ୍ରକୁ ଶାନ୍ତ କରିବାକୁ ବ୍ରହ୍ମଧ୍ୱନୀ ଯଜ୍ଞ

ଚତୁର୍ଦ୍ଦଶ ଶତାବ୍ଦୀ ପର୍ଯ୍ୟନ୍ତ ଭାରତର ପ୍ରାୟ ପ୍ରତ୍ୟେକ ମନ୍ଦିର ପାଖରେ ଗ୍ରାମର ୬୦ ପ୍ରତିଶତ ଜମିର ମାଲିକାନା ରହୁଥିଲା। କିନ୍ତୁ ଲଗାତାର ବୈଦେଶିକ ଆକ୍ରମଣ, ୨୦୦ ବର୍ଷର ବ୍ରିଟିଶ ଶାସନ ଓ କଂଗ୍ରେସର ଛଦ୍ମ ଧର୍ମନିରପେକ୍ଷତା ନୀତି ପାଇଁ ଆଜି ଅନେକ ମନ୍ଦିର ବନ୍ଦ ହେବାକୁ ଯାଉଛି। କେବଳ କର୍ଣ୍ଣାଟକରେ ୫୦ ହଜାର ମନ୍ଦିର ରକ୍ଷଣାବେକ୍ଷଣ ଅଭାବରୁ ବନ୍ଦ ହୋଇ ସାରିଲାଣି। ଅଧିକାଂଶ ମନ୍ଦିର କେବଳ ଜଣେ ପୂଜକଙ୍କ ଦ୍ୱାରା ଦେଖାଶୁଣା ହେଉଛି, ତାହାବି କୌଣସି ସ୍ଥାୟୀ ଓ ନିୟମିତ ବେତନ ବିନା। ମୂର୍ତ୍ତି ଚୋରି ଏକ ନିତିଦିନିଆ ଘଟଣା ପାଲଟିଗଲାଣି। ବାମପନ୍ଥୀଙ୍କ ମଧ୍ୟ ଏଥିରେ ପ୍ରମୂଖ ଯୋଗଦାନ ରହିଛି। ହିନ୍ଦୁ ଶ୍ରଦ୍ଧାଳୁଙ୍କ ଆସ୍ଥା ଓ ଆରାଧନାକୁ ଅନ୍ଧବିଶ୍ୱାସର ଆଖ୍ୟା ଦେବା ସହ ମନ୍ଦିରକୁ ବ୍ରାହ୍ମଣ ପ୍ରାଧାନ୍ୟ ଅନୁଷ୍ଠାନ ବୋଲି କହି ଏମାନେ ବିଭେଦତା ସୃଷ୍ଟି କରୁଛନ୍ତି। 

ପ୍ରଶ୍ନ ଉଠେ ଯେ ସଂଖ୍ୟାଗରିଷ୍ଠ ହିନ୍ଦୁ ସମାଜ ସହିତ ଏପରି ପାତର ଅନ୍ତର କାହିଁକି ? ଧର୍ମନିରପେକ୍ଷ ସମ୍ବିଧାନରେ ଅନୁଶାସିତ ହେଉଥିବା ସରକାର ଗୋଟିଏ ନିର୍ଦ୍ଦିଷ୍ଟ ବର୍ଗର ଧାର୍ମିକ ଅଧିକାର କାହିଁକି ହନନ କରୁଛି ? ଆମେରିକୀୟ ଗବେଷକ ଷ୍ଟିଫେନ ନେପ ନିଜ ପୁସ୍ତକ "କ୍ରାଇମ ଏଗନେଷ୍ଟ ଇଣ୍ଡିଆ ଆଣ୍ଡ ଦ ନିଡ ଟୁ ପ୍ରୋଟେକ୍ଟ ଆନସିଏଣ୍ଟ ବେଦିକ ଟ୍ରାଡିସନ" ରେ ହିନ୍ଦୁ ମନ୍ଦିରର ଦୁର୍ଦ୍ଦଶା ସମ୍ପର୍କରେ ବିସ୍ତୃତ ଆଲୋଚନା ରଖିବା ସହ ସନାତନ ସଂସ୍କୃତିର ସଂରକ୍ଷଣ କେବଳ ମନ୍ଦିରର ସ୍ୱତନ୍ତ୍ରତା ଦ୍ୱାରା ସମ୍ଭବ ବୋଲି ଦର୍ଶାଇଛନ୍ତି। ମନ୍ଦିରର ଆୟ କେବଳ ଏହାର ରକ୍ଷଣାବେକ୍ଷଣ, ପୂଜାରୀ ଓ ସେବାୟତଙ୍କ ପାରିଶ୍ରମିକ, ଯଜ୍ଞ-ପାର୍ବଣ ଆୟୋଜନ ଏବଂ ସଂଲଗ୍ନ ପରିସର ବିକାଶରେ ଖର୍ଚ୍ଚ ହେବା ଉଚିତ। ବଳକା ରାଶି ଭକ୍ତଙ୍କ ନିମନ୍ତେ ଧର୍ମଶାଳା, ଗରିବ ଲୋକଙ୍କୁ ଖାଦ୍ୟ ବଣ୍ଟନ ଓ ଶିକ୍ଷାନୁଷ୍ଠାନ ନିର୍ମାଣରେ ଖର୍ଚ୍ଚ କରାଯାଇ ପାରିବ।

Also Read: ରାମାୟଣରେ ଡିପ୍ଲୋମା: ବିଜ୍ଞାନ କହିବ ପୁଷ୍ପକ ବିମାନ ଓ ହନୁମାନଙ୍କ ଲାଞ୍ଜର ରହସ୍ୟ

ସୁପ୍ରିମକୋର୍ଟର ଆଦେଶ ଅନୁଯାୟୀ ଭାରତ ସରକାର ସମସ୍ତ ହିନ୍ଦୁ ପୂଜାସ୍ଥଳୀର ପ୍ରବନ୍ଧନ ହିନ୍ଦୁ ସମାଜ ଉପରେ ଛାଡି ଦେବା ଆବଶ୍ୟକ। ଏଥିପାଇଁ ଏକ ସ୍ୱତନ୍ତ୍ର ଅଧ୍ୟାଦେଶ ଆଣି ୧୯୫୧ କଳା ଆଇନକୁ ବରଖାସ୍ତ କରିବାକୁ ହେବ। ଆଶା ଯେ ମନ୍ଦିର ଗୁଡିକ ଖୁବ ଶୀଘ୍ର ମୁଷ୍ଟିମେୟ ରାଜନୈତିକ ବ୍ୟକ୍ତିଙ୍କ ସ୍ବେଚ୍ଛାଚାରିତାରୁ ମୁକ୍ତ ହୋଇ ପୂର୍ବଭଳି ସମାଜ କଲ୍ୟାଣରେ ସକ୍ରିୟ ସହଭାଗୀ ହୋଇପାରିବ।