ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର: ସରିଲା ରାଜ୍ୟସ୍ତରୀୟ ରୋଷେଇ ପ୍ରତିଯୋଗିତା ‘ଆମ ଘର ଆମ ହାଣ୍ଡିଶାଳ’। ରବିବାର ଏହି ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମାଣ୍ଡିଆ ପିଠା (Ragi cake) କୁ ଶ୍ରେଷ୍ଠ ବ୍ୟଞ୍ଜନ ଭାବେ ଚୟନ ଚୟନ କରାଯାଇଛି। ବିଚାରକମଣ୍ଡଳୀର ନିଷ୍ପତ୍ତି ଆଧାରରେ ବିଜୟୀ ପ୍ରତିଯୋଗୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଓ ପୁରସ୍କୃତ ସହ କାର୍ଯ୍ୟକ୍ରମ ଉଦଯାପିତ ହୋଇଛି।
ଗତ ଅଗଷ୍ଟ ୧୫ ତାରିଖରୁ ‘ଆମ ଘର ଆମ ହାଣ୍ଡିଶାଳ’ (Aama Ghara Aama Handishala) ରୋଷେଇ ପ୍ରତିଯୋଗିତା (Cooking comptition) ଚାଲିଥିଲା। ରାଜ୍ୟର ପାରମ୍ପରିକ ଖାଦ୍ୟକୁ ବିଶ୍ୱଦରବାରରେ ପରିଚିତ କରାଇବା ଲକ୍ଷ୍ୟରେ OTDC ଓ ପର୍ଯ୍ୟଟନ ବିଭାଗ (tourist deptt) ର ମିଳିତ ପ୍ରୟାସ କରିଥିଲେ। ଲକଡାଉନ୍ ଓ ସଟଡାଉନର କଠିନ ପରିସ୍ଥିତିରେ ଗୃହିଣୀଙ୍କ ମନୋବଳକୁ ବୃଦ୍ଧି କରିବାରେ ‘ଆମ ଘର ଆମ ହାଣ୍ଡିଶାଳ’ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ରୋଷେଇ କଳାର ନୈପୁଣ୍ୟତାକୁ ଚିହ୍ନଟ କରିବା ଓ ସୁସ୍ୱାଦୁ ଓଡ଼ିଆ ଖାଦ୍ୟର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ OTDC ମହିଳାଙ୍କୁ ଏହି ପ୍ଲାଟଫର୍ମ ଯୋଗାଇଛି।
ଏହି କାର୍ଯ୍ୟକ୍ରମରେ ସାମିଲ ପାଇଁ ପ୍ରାୟ ଏକ ହଜାରରୁ ଅଧିକ ପ୍ରତିଯୋଗୀ OTDC ନିକଟରେ ଆବେଦନ କରିଥିଲେ। ତେବେ ସେମାନଙ୍କ ମଧ୍ୟରୁ ବିଚାରକମଣ୍ଡଳୀ ଦ୍ୱାରା ମନୋନୀତ ଶ୍ରେଷ୍ଠ ୪୦ ଜଣ ପ୍ରତିଯୋଗୀଙ୍କୁ ଦୂରଦର୍ଶନ (Doordarshan) ଚ୍ୟାନେଲରେ ପ୍ରସାରିତ କାର୍ଯ୍ୟକ୍ରମକୁ ନିଆଯାଇଥିଲା। ସେମାନେ ସପ୍ତାହର ଦୁଇ ଦିନ ଘଣ୍ଟାଏ ଲେଖାଏଁ ନିଜର ରୋଷେଇ କଳାର ନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ (Ganeshi lal) ଙ୍କ ବୋହୂ ମଧ୍ୟ ଏହି ପ୍ରତିଯୋଗିତାରେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Pattnaik) କୃତ୍ତି ଫାଇନାଲିଷ୍ଟମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ‘ପଖାଳ’କୁ ତାଙ୍କର ଅଧିକ ପସନ୍ଦ ଓ ପ୍ରିୟ ଖାଦ୍ୟ ବୋଲି କହିଛନ୍ତି।
ପ୍ରାୟ ୪ ମାସ ଧରି ଚାଲିଥିବା ଏହି ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ ରବିବାର ଅନୁଷ୍ଠିତ ହୋଇଥିଲା। ଫାଇନାଲ ରାଉଣ୍ଡକୁ ମୋଟ ୬ ଜଣ ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା। ସମସ୍ତେ ନିଜର ଶ୍ରେଷ୍ଠ ରୋଷେଇ ଦକ୍ଷତା ପ୍ରତିପାଦନ କରିଥିଲେ। ତଥାପି ବିଚାରକମଣ୍ଡଳୀର ନିଷ୍ପତ୍ତିକୁ ଆଧାର କରି ୩ଙ୍କୁ ବିଜୟୀ ଘୋଷଣା କରାଯାଇଛି। ଭୁବନେଶ୍ୱରସ୍ଥିତ ବରମୁଣ୍ଡାର ତ୍ରିଶକ୍ତି ମହିଳା ସ୍ୱୟଂସହାୟକ ଗୋଷ୍ଠୀ (SHG) ର ସଦସ୍ୟା ଦେବଯାନୀ ଦାସ ମାଣ୍ଡିଆରେ ସୁସ୍ୱାଦୁ ପିଠା ପ୍ରସ୍ତୁତ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ମାଣ୍ଡିଆ ତମ୍ପା ପିଠା କରି ପ୍ରତିଭାପ୍ରିତୀ ପଣ୍ଡା ପ୍ରଥମ ରନର୍ସଅପ୍ ଓ ମାଛ ଆମ୍ବିଳ ପାଇଁ ସାଗରିକା ରାୟ ଦ୍ୱିତୀୟ ରନର୍ସଅପ୍ ହୋଇଛନ୍ତି।
ଶ୍ରେଷ୍ଠ ପ୍ରତିଯୋଗୀ ଦେବଯାନୀ ଦାସଙ୍କୁ ୨୫ ହଜାର ଟଙ୍କାର ପୁରସ୍କାର ରାଶି ସହ ଗିଫ୍ଟ ହାମ୍ପର ଓ OTDC ପକ୍ଷରୁ ହଲିଡେ ଟୁର ପ୍ୟାକେଜ୍ ମଧ୍ୟ ପ୍ରଦାନ କରାଯାଇଛି। ସେହିପରି ପ୍ରଥମ ଓ ଦ୍ୱିତୀୟ ରନର୍ସଅପଙ୍କୁ ଯଥାକ୍ରମେ ୧୫ ଓ ୧୦ ହଜାର ଟଙ୍କା ପୁରସ୍କାର ରାଶି ସହ ଗିଫ୍ଟ ହାମ୍ପର ଏବଂ OTDC ପକ୍ଷରୁ ହଲିଡେ ଟୁର ପ୍ୟାକେଜ୍ ପ୍ରଦାନ କରାଯାଇଛି। ଗ୍ରାଣ୍ଡ ଫିନାଲେ ଉତ୍ସବରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, OTDC ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।