ମାଉସୀ ଘରେ ପହଞ୍ଚିଲେ ତିନି ଠାକୁର, ନବଦିନାତ୍ମକ ଯାତ୍ରା ଆରମ୍ଭ

ବିନା ଭକ୍ତରେ ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଛନ୍ତି ରଥଯାତ୍ରା |

ମାଉସୀ ଘରେ ପହଞ୍ଚିଲେ ତିନି ଠାକୁର, ନବଦିନାତ୍ମକ ଯାତ୍ରା ଆରମ୍ଭ

ପୁରୀ: ନବଦିନାତ୍ମକ ଯାତ୍ରାରେ ଯାଇଛନ୍ତି ତିନି ଠାକୁର | ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ମାଉସୀ ଘର ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛନ୍ତି ତିନି ଠାକୁର | ଶରଧାବାଲିରେ ଲାଗିଛି ତିନି ରଥ | ବିନା ଭକ୍ତରେ ପ୍ରଥମ ଥର ପାଇଁ ସେବକ, ସେବାୟତ ଓ ପୋଲିସ କର୍ମଚାରୀ ତିନି ରଥକୁ ଟାଣି ନେଇଥିବା ଦେଖିବାକୁ ମିଳିଥିଲା | ପ୍ରଥମେ ବଳଭଦ୍ରଙ୍କ ରଥ ଲାଗିଥିବା ବେଳେ ପରେ ସୁଭଦ୍ରା, ଶେଷରେ ବିଶ୍ୱନିଅନ୍ତା କଳା ସାଆନ୍ତ ଜଗନ୍ନାଥଙ୍କ ରଥ ଶରଧାବାଲିରେ ପହଞ୍ଚିଥିଲା | 

ବହୁ ଦ୍ୱନ୍ଦ୍ୱ ସତ୍ତ୍ୱେ ଆଜି ସୁରୁଖୁରୁରେ ସମାପନ ହୋଇଛି ଚଳିତ ବର୍ଷ ରଥଯାତ୍ରା | ଗତକାଲି ଦିନ ପ୍ରାୟ ସାଢେ ୩ଟା ବେଳେ ରଥଯାତ୍ରା କରିବାକୁ ସୁପ୍ରିମ କୋର୍ଟ ଗ୍ରୀନ ସିଗନାଲ ଦେଇଥିଲେ | କୋର୍ଟରୁ ସବୁଜ ସଙ୍କେତ ମିଳିବା ପରେ ପ୍ରଶାସନ ଠାରୁ ଆରମ୍ଭ କରି ଦଇତାଙ୍କ ପର୍ଯ୍ୟନ୍ତ ରଥଯାତ୍ରା ଆୟୋଜନରେ ଲାଗି ପଡ଼ିଥିଲେ | ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ସକାଳୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇ ଯାଇଥିଲା | 

ଠିକ ସମୟରେ ସମସ୍ତ କାର୍ଯ୍ୟ ଶେଷ ହେବା ପରେ ମଧ୍ୟାନ୍ନ ପ୍ରାୟ ୧୨ଟାରୁ ରଥ ଟଣା ଆରମ୍ଭ ହୋଇଥିଲା | ଇତିହାସରେ ପ୍ରଥମ ଥର ପାଇଁ ଦଇତା, ପୋଲିସ କର୍ମଚାରୀ ପ୍ରମୁଖ ରଥକୁ ଟାଣି ଟାଣି ନେଇଥିଲେ | କୋରୋନା ସଂକଟ ଦେଶରେ ଜାରି ରହିଥିବା ବେଳେ ଗତକାଲି କଡ଼ାକଡ଼ି ନିୟମ ମଧ୍ୟରେ ରଥଯାତ୍ରା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ | 
ଏପରିକି ଏହି ଯାତ୍ରାରେ ସାଧାରଣ ଲୋକ ସାମିଲ ହୋଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶନାମା ଜାରି କରିଥିଲେ| ଏହାକୁ ଦୃଷ୍ଟିରେ ରଖି ରଥଯାତ୍ରା ଅନୁଷ୍ଠିତ ହୋଇଛି | ସେପଟେ ସୁପ୍ରିମକୋର୍ଟ ରଥଯାତ୍ରା ଉପରେ ପୁନଃବିଚାର କରି ଦେଇଥିବା ରାୟକୁ ସବୁ ମହଲରେ ସ୍ୱାଗତ କରାଯାଇଥିଲା |