ରଥଯାତ୍ରା: ଆରମ୍ଭରୁ ଶେଷ ଯାଏ....

ପୌରାଣିକ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ତାହା ସ୍ନାନ ଉତ୍ସବ, ଅନବସର, ନେତ୍ରୋତ୍ସବ, ଶ୍ରୀଗୁଣ୍ଡିଚା, ହେରାପଞ୍ଚମୀ, ଆଡ଼ପ ପର୍ବ, ବାହୁଡ଼ାଯାତ୍ରା, ନୀଳାଦ୍ରିବିଜେ ଭାବେ ପରିଚିତ।

ରଥଯାତ୍ରା: ଆରମ୍ଭରୁ ଶେଷ ଯାଏ....
ଫାଇଲ ଫଟୋ

ତପନ କୁମାର କର, ନୂଆଦିଲ୍ଲୀ: ରଥଯାତ୍ରା ଶ୍ରୀ ଜଗନ୍ନାଥଙ୍କର ଏକ ପ୍ରମୁଖ ବାର୍ଷିକ ଉତ୍ସବ ଯାହାକି ପୁରୀ ଜଗନ୍ନାଥ ମନ୍ଦିର ତଥା ବିଶ୍ଵର ବାକି ଅନେକ ସ୍ଥାନରେ ଥିବା ମନ୍ଦିରଗୁଡ଼ିକରେ ପାଳନ କରାଯାଏ । ଓଡ଼ିଶାର ପ୍ରମୁଖ ଯାତ୍ରା ରୂପେ ପୁରୀର ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ଵାଦଶ ଯାତ୍ରା ମଧ୍ୟରେ ପ୍ରଧାନ ଯାତ୍ରା । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଦକ୍ଷିଣାମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥା ମାନଙ୍କରେ ଅଭିହିତ ହୋଇଛି । ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ତିନିଗୋଟି ରଥରେ ପୁଷ୍ୟାନକ୍ଷତ୍ରଯୁକ୍ତ ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ ବିଜେ କରି ଗୁଣ୍ଡିଚା ମନ୍ଦିରକୁ ଯାଇ ସେଠାରେ ସପ୍ତାହକାଳ ଅବସ୍ଥାନ କରି ଦଶମୀ ଦିନ ସେଠାରୁ ବଡ଼ଦେଉଳକୁ ଫେରିଆସିଥାନ୍ତି । ଗୁଣ୍ଡିଚା ମନ୍ଦିରକୁ ମାଉସୀ ମା ମନ୍ଦିର ନାମରେ ମଧ୍ୟ ଜଣା । ଗୁଣ୍ଡିଚା ମନ୍ଦିରକୁ ଯିବା ଦିନକୁ 'ରଥଯାତ୍ରା' ବା 'ଗୁଣ୍ଡିଚା ଯାତ' ଓ ଫେରିବା ଦିନକୁ 'ବାହୁଡ଼ା ଯାତ୍ରା ବା ବାହୁଡ଼ା ଯାତ' ବୋଲି କୁହାଯାଇଥାଏ । ପରମ୍ପରା ଅନୁସାରେ ଘୋଷଯାତ୍ରାର ଆଗେ ଆଗେ ବଡ଼ଭାଇ ବଳଭଦ୍ରଙ୍କ ରଥ ‘ତାଳଧ୍ଵଜ’, ତାଙ୍କ ପଛେ ପଛେ ଦେବୀ ସୁଭଦ୍ରାଙ୍କ ‘ଦର୍ପଦଳନ’ ଓ ସର୍ବଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥାନ୍ତି ।

ପୌରାଣିକ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ତାହା ସ୍ନାନ ଉତ୍ସବ, ଅନବସର, ନେତ୍ରୋତ୍ସବ, ଶ୍ରୀଗୁଣ୍ଡିଚା, ହେରାପଞ୍ଚମୀ, ଆଡ଼ପ ପର୍ବ, ବାହୁଡ଼ାଯାତ୍ରା, ନୀଳାଦ୍ରିବିଜେ ଭାବେ ପରିଚିତ।
       
ପୁରୀରେ ପ୍ରତିବର୍ଷ ସମ୍ପୂର୍ଣ୍ଣ ଭାବେ ନୂଆ କାଠରେ ରଥ ତିଆରି ହୋଇଥାଏ । କିନ୍ତୁ ସାରଥି, ଘୋଡ଼ା, ପାର୍ଶ୍ଵ ଦେବଦେବୀ, ସଖୀ ଆଦିମୂର୍ତ୍ତି, ଦେବାଦେବୀ, ଗୁଡ଼ିକ ପ୍ରତ୍ୟେକ ନବକଳେବର ହୋଇଥିବା ବର୍ଷ ନୂତନ ଭାବରେ ନିର୍ମାଣ କରାଯାଇଥାଏ । ନିମ୍ବ କାଠରେ ମୋଟ ୨୭ ଗୋଟି ପାର୍ଶ୍ଵ ଦେବଦେବୀଙ୍କର ବିଗ୍ରହ ନିର୍ମାଣ କରାଯାଏ । ପ୍ରତିବର୍ଷ ରଥଯାତ୍ରାର ଅଳ୍ପ ଦିନ ପୂର୍ବରୁ ଚିତ୍ରକାର ସେବକମାନେ ଏହି ମୂର୍ତ୍ତିଗୁଡିକୁ ରଙ୍ଗ କରିଥାନ୍ତି । ଆବଶ୍ୟକ ପଡିଲେ ରୂପକାର ସେବକମାନଙ୍କ ଦ୍ଵାରା ଏହାର ମରାମତି କାର୍ଯ୍ୟ ହୋଇଥାଏ । ରଥଯାତ୍ରାର ଦୁଇ ଦିନ ପୂର୍ବରୁ ପ୍ରତି ରଥରେ ୯ ମୂର୍ତ୍ତି ଲେଖାଏଁ ପାର୍ଶ୍ଵଦେବତାଙ୍କୁ ଅଧିଷ୍ଠିତ କରାଯାଇଥାଏ । ପ୍ରତିବର୍ଷ ରଥଯାତ୍ରା ପରେ ରଥଗୁଡ଼ିକୁ ଭାଙ୍ଗି ଦିଆଯାଏ । ପ୍ରତିବର୍ଷ ପୁରୀ ବଡ଼ଦାଣ୍ଡରେ ଥିବା ଶ୍ରୀନଅର ଆଗରେ ଥିବା ରଥଖଳାଠାରେ ଶ୍ରୀଜଗନ୍ନାଥଙ୍କର ଏହି ରଥଯାତ୍ରା ନିମନ୍ତେ ତିନିରଥର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଥାଏ । ରଥଯାତ୍ରାର ପାରମ୍ପରିକ ବିଧି ଓ ରଥନିର୍ମାଣର  ଧାରାକୁ ଲକ୍ଷ୍ୟ କଲେ କେତେ ଜଟିଳ ଓ କେତେ କଷ୍ଟର ସହିତ ମହାରଣା ସେବକ ମାନେ ରଥ ନିର୍ମାଣ କରିଥାନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ ।

ରଥକାଠ ପୁରୀରେ ପହଞ୍ଚିବା ଠାରୁ ଆରମ୍ଭ କରି ରଥଟଣା ପର୍ଯ୍ୟନ୍ତ ସବୁ କାର୍ଯ୍ୟ ଏକ ନିର୍ଦ୍ଦିଷ୍ଟ ତିଥିରେ ପାଳନ ହୋଇଥାଏ ।

  • ରଥକାଠ ପୁରୀରେ ପହଞ୍ଚିବା ପରେ ରଥଖଳରେ ଅନୁକୂଳ ପୂଜା ହୋଇଥାଏ ଆଉ ତାହା ଶ୍ରୀପଞ୍ଚମୀ ଦିନ ହେଇଥାଏ ।
  • କାଠଚିରା - ଶ୍ରୀରାମ ନବମୀ ଦିନ ହେଇଥାଏ । 
  • ରଥନିର୍ମାଣ ଅନୁକୂଳ - ଅକ୍ଷୟ ତୃତୀୟା ଦିନ ହେଇଥାଏ । 
  • ଗୁଜ ଅନୁକୂଳ - ନୃସିଂହ ଚତୁର୍ଦ୍ଦଶୀ ଦିନ ହୋଇଥାଏ । 
  • ଚକ ତିଆରି ହୋଇ ଆଜ୍ଞାମାଳ ଲାଗି ହେବା (ସର୍ବନିମ୍ନ ୬ଟି ଚକ)- ଭଉଁରୀ ଦିନ ହୋଇଥାଏ । 
  • ଚାରି ନାହକା ଡେରା ଅନୁକୂଳ -  ଦେବସ୍ନାନ ପୂର୍ଣ୍ଣିମା ଦିନ । 
  • ରଥଖଳାରୁ ସିଂହଦ୍ଵାର ଯାଏଁ ରଥଟଣା - ନେତ୍ରୋତ୍ସବ (ଶ୍ରୀଗୁଣ୍ଡିଚା ପୂର୍ବଦିନ ହୋଇଥାଏ) । 

ରଥ ନିର୍ମାଣର ପରମ୍ପରା ଖୁବ ନିଆରା । ଯେପରିକି ପ୍ରଥମେ ବଡ଼ଠାକୁରଙ୍କ ରଥ କାମ ଆରମ୍ଭ କରାଯାଉଥିବା ବେଳେ ପ୍ରଥମେ ଦେବୀଙ୍କ ରଥର ଚକ ନିର୍ମାଣ ହୋଇଥାଏ । ଏହା ପଛରେ ପାରମ୍ପରିକ ମତାମତ ନଥିଲେ ମଧ୍ୟ ଏକ ସ୍ୱତନ୍ତ୍ର ବୈଷୟିକ ମତ ରହିଥାଏ । ରଥର ଚକ ଫାସୀ କାଠରେ ନିର୍ମାଣ କରାଯାଇଥାଏ । ପରମ୍ପରା ଦୃଷ୍ଟିରୁ ଦେବୀରଥର ଚକ ସବୁଠାରୁ ବଡ଼ (୧୨ ଟି ଚକ ମଧ୍ୟରୁ ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ୮ ଇଞ୍ଚ) ହୋଇଥାଏ । ତେଣୁ ଏପରେ ଏକ ଜଟିଳ ଓ କଷ୍ଟ ସାଧ୍ୟ କମକୁ ଆଗ କରାଯାଇଥାଏ ।