ଭୁଲ ମାଗିଲେ ଯୋଗେଶ ଜୋଜୋ

ନିଜ ୟୁ ଟ୍ୟୁବ ଚ୍ୟାନେଲରେ ପୋଷ୍ଟ କରିଥିବା ଏକ ଭିଡିଓକୁ ନେଇ ବିବାଦ ଦେଖାଦେବା ପରେ ଶେଷରେ ସେ ଭୁଲ ମାଗିଛନ୍ତି ।

ଭୁଲ ମାଗିଲେ ଯୋଗେଶ ଜୋଜୋ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଭୁବନେଶ୍ୱର: ଭୁଲ ମାଗିଲେ ଜଣାଶୁଣା ସମ୍ବଲପୁରୀ ହାସ୍ୟ ଅଭିନେତା ଯୋଗେଶ ଜୋଜୋ । ନିଜ ୟୁ ଟ୍ୟୁବ ଚ୍ୟାନେଲରେ ପୋଷ୍ଟ କରିଥିବା ଏକ ଭିଡିଓକୁ ନେଇ ବିବାଦ ଦେଖାଦେବା ପରେ ଶେଷରେ ସେ ଭୁଲ ମାଗିଛନ୍ତି ।  ଉକ୍ତ ଭିଡିଓରେ ବଜରଙ୍ଗ ଦଳ ପ୍ରତି ଆପତ୍ତିଜନକ ଶବ୍ଦ ବ୍ୟବହାର ହୋଇଥିବା ଅଭିଯୋଗ ହୋଇଥିଲା । ଯୋଗେଶଙ୍କ କହିବା ମୁତାବକ, ଏନେଇ ତାଙ୍କ ପାଖରେ ଅନେକ ବଜରଙ୍ଗ ଦଳର ସମର୍ଥକ ଆପତ୍ତି ଉଠାଇଥିଲେ । ଶେଷରେ ଯେଗେଶ ଭୁଲ ମାଗିଛନ୍ତି । କେବଳ ଏତିକି ନୁହେଁ, ଯେଉଁ ଭିଡିଓ ପୋଷ୍ଟ ହୋଇଥିଲା ତାକୁ ମଧ୍ୟ ପ୍ରାଇଭେଟ କରିଦେଇଛନ୍ତି ।

ଆଜି ନିଜର ୟୁ ଟ୍ୟୁବ ଚ୍ୟାନେଲରେ LIVE ଆସି ଯୋଗେଶ କହିଛନ୍ତି, ''ଉକ୍ତ କମେଡି ଭିଡିଓ (ଚଇତୁ ଗୁପାଲର ଭେଲେଣ୍ଟାଇନ ଡେ)ଟି ଗତ ଫେବୃଆରୀରେ ପୋଷ୍ଟ ହୋଇଥିଲା । ତେବେ ଏଥିରେ ବଜରଙ୍ଗ ଦଳକୁ ନେଇ ମଧ୍ୟ କିଛି ସଂଳାପ ଥିଲା । ହେଲେ କାହାକୁ ଆଘାତ ଦେବା ମୋର ଉଦ୍ଦେଶ୍ୟ ନଥିଲା । ମୁଁ ସବୁବେଳେ ବଜରଙ୍ଗ ଦଳର ସମର୍ଥନରେ ଅଛି । ମୁଁ ନିଜେ ବଜରଙ୍ଗ ଦଳର ସଦସ୍ୟ । କିନ୍ତୁ ଯଦି କାହା ମନରେ ଦୁଃଖ ପହଞ୍ଚିଛି, ମୁଁ କ୍ଷମା ମାଗୁଛି ।''

ଯେଗେଶ ଆହୁରି ମଧ୍ୟ କହିଛନ୍ତି, ମୁଁ ଉକ୍ତ ଭିଡିଓରେ କିଛି ଖରାପ କଥା କହି ନଥିଲି । ଖରାପ ଶବ୍ଦ ବ୍ୟବହାର କରି ନଥିଲି । ମୁଁ ହିନ୍ଦୁ ଧର୍ମ କିମ୍ବା ବଜରଙ୍ଗ ଦଳ ବିରୋଧରେ କିଛି କହିନି । କମେଡିକୁ କମେଡି ଭାବେ ହିଁ ଦେଖନ୍ତୁ । ମୁଁ ଜଣେ ହାସ୍ୟ ଅଭିନେତା । ଲୋକଙ୍କୁ ହସେଇବାକୁ ମୋତେ ଭଲ ଲାଗେ । କାହାକୁ ମଧ୍ୟ ଦୁଃଖ ଦେବାକୁ ମୁଁ ଚାହେଁ ନାହିଁ । କିନ୍ତୁ ଏ ପ୍ରକାର ଆପତ୍ତି ଦେଖି କମେଡିଗୁଡ଼ିକରେ ଭଗମାନଙ୍କୁ 'ଜୁହାର' କରିବାକୁ ମଧ୍ୟ ଡର ଲାଗିଲାଣି ବୋଲି କହିଛନ୍ତି ହାସ୍ୟ ଅଭିନେତା ଯୋଗେଶ ଜୋଜୋ । 

ସେହିପରି ଭିଡିଓକୁ ନେଇ ଆପତ୍ତି ଉଠାଇଥିବା ଲୋକଙ୍କୁ ନେଇ ମଧ୍ୟ ପରୋକ୍ଷରେ ପିନ୍ ମାରିଛନ୍ତି ଯୋଗେଶ । ନିଜ ଲାଇଭ ଭିଡିଓର ଡେସ୍କ୍ରିପଶନରେ ଅନ୍ୟ ୨ ଭିଡିଓର ଲିଙ୍କ ଦେବା ସହ ତାହା ମଧ୍ୟ ଦେଖିବାକୁ ଅନୁରୋଧ କରିଛନ୍ତି । ପ୍ରେମିକ-ପ୍ରେମିକାଙ୍କୁ ବଜରଙ୍ଗ ଦଳ କିପରି ହଇରାଣ କରୁଛନ୍ତି, ତାହାକୁ ନେଇ ସେହି ଭିଡିଓ ପ୍ରସ୍ତୁତ ହୋଇଛି । 

ଭଗବାନଙ୍କୁ ନେଇ, ଧର୍ମକୁ ନେଇ, ବଜରଙ୍ଗ ଦଳକୁ ନେଇ ପୂର୍ବରୁ ମଧ୍ୟ ଅନେକ ଭିଡିଓ ବଡ଼ ବଡ଼ ବ୍ୟାନରରେ ପ୍ରସ୍ତୁତ ହୋଇଛି । ବଡ଼ ବଡ଼ ଷ୍ଟାର ଅଭିନୟ କରିଛନ୍ତି । ଏନେଇ ବରୁଣ ଧୱନଙ୍କ ଅଭିନୀତ 'ଗଣପତି ବାପ୍ପା ମୋରିୟା'କୁ ଉଦାହରଣ ନିଆଯାଉ । ସେ ତ ନିଜେ(ଯୋଗେଶ) ଛୋଟ କଳାକାର । ସେହିପରି ବଜରଙ୍ଗ ଦଳ କେବଳ ଓଡ଼ିଶାରେ କାହିଁକି, ସମଗ୍ର ଦେଶରେ ଅଛି । ତେଣୁ ଯଦି ସମ୍ଭବ, ସେସବୁ ଭିଡିଓକୁ ନେଇ ମଧ୍ୟ ଆପତ୍ତି ଉଠାନ୍ତୁ । ପାରିବେ ଯଦି ୨/୪ ଦିନରେ ବନ୍ଦ କରନ୍ତୁ ବୋଲି ନମ୍ରତାର ସହ କହିଛନ୍ତି ଯୋଗେଶ ଜୋଜୋ । 

u

ଯେଉଁ ଭିଡିଓକୁ ନେଇ ବିବାଦ ଉଠିଛି, ତାକୁ ପ୍ରାଇଭେଟ କରିସାରିଥିବା ଯୋଗେଶ କହିଛନ୍ତି । ଆସନ୍ତାକାଲି ଉକ୍ତ ଭିଡିଓଟି ଆଉ ଥରେ ପୋଷ୍ଟ କରାଯିବ । ତେବେ ସେଥିରେ ପୂର୍ବର ସେହି ଡାଇଲଗ ଏବଂ ସେହି ଶବ୍ଦ ନଥିବ । ତାକୁ ମ୍ୟୁଟ କରି ପୋଷ୍ଟ କରାଯିବ ବୋଲି ସେ କହିଛନ୍ତି ।