)
ଭୁବନେଶ୍ୱର: ରାଜ୍ୟରେ ଶିକ୍ଷକ ପଦବୀ ପୂରଣ ଲାଗି ସରକାରୀ କଳ ତତ୍ପର ହେଉଥିବାବେଳେ ନିଯୁକ୍ତି ଏଜେନ୍ସୀ ଓଡ଼ିଶା ସବ୍ଅର୍ଡିନେଟ୍ ଷ୍ଟାଫ୍ ନିଯୁକ୍ତି ଆୟୋଗ ପାତର ଅନ୍ତର କରୁଥିବା ଅଭିଯୋଗ ହୋଇଛି। ବିଜ୍ଞାନ ଶିକ୍ଷକଙ୍କ ନିଯୁକ୍ତି ପାଇଁ ମେରିଟ୍ ତାଲିବା ବା ଫଳାଫଳ ପ୍ରକାଶ କରିଥିବାବେଳେ ସଂସ୍କୃତ ଶିକ୍ଷକ ନିଯୁକ୍ତିରେ ତାହା ପାଳନ କରୁନାହିଁ। କୋର୍ଟରେ ମାମଲା ବିଚାରାଧୀନ ରହିଥିବା ଦର୍ଶାଇ ଏପରି ନୀତି ଆପଣା ଯାଉଥିବା ସ୍ପଷ୍ଟ କରାଯାଉଥିଲେ ମଧ୍ୟ ଏହାକୁ ଏକ ବିଡ଼ମ୍ବନା ବୋଲି କହିଛନ୍ତି ଆଶାୟୀ ଶିକ୍ଷକ। ଏନେଇ ଆଜି ସଂସ୍କୃତ ଶିକ୍ଷକ ପଦବୀ ପାଇଁ ଆଶାୟୀମାନେ ଆଜି ଓଏସ୍ଏସ୍ସି ସମ୍ମୁଖରେ ଆନ୍ଦୋଳନ କରିଛନ୍ତି।
ଆନ୍ଦୋଳନରତ ଏହି ଆଶାୟୀମାନେ କହିଛନ୍ତି, କମିଶନ ବିଜ୍ଞାନ ଶିକ୍ଷକ ନିଯୁକ୍ତି ପାଇଁ ଯେଉଁଧାରାରେ ଫଳାଫଳ ପ୍ରକାଶ କରିଛନ୍ତି ତାହାକୁ ସଂସ୍କୃତ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଗ୍ରହଣ କରିପାରିବେ। କିନ୍ତୁ ତାହାକୁ କମିଶନ କରୁ ନାହାନ୍ତି। ଏହାଦ୍ୱାରା ଶହ ଶହ ଆଶାୟୀଙ୍କ ଭାଗ୍ୟ ସହ ଏଜେନ୍ସୀ ଖେଳୁଛି ବୋଲି ସେ କହିଛନ୍ତି।
ଗତବର୍ଷ ଡିସେମ୍ବର ୨୭ ତାରିଖରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମାର୍ଚ୍ଚ ଓ ମେକ୍’ ମାସରେ ଯଥାକ୍ରମେ ପ୍ରିଲିମ ଓ ମେନ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।
ସରକାରୀ ସ୍କୁଲ୍ଗୁଡ଼ିକରେ ଏହି ପରୀକ୍ଷାର ସଫଳ ପ୍ରାର୍ଥୀଙ୍କୁ ନିଯୁକ୍ତ କରିବାର ବ୍ୟବସ୍ଥା ରହିଛି। ଗତ ୪ ତାରିଖରେ ବିଜ୍ଞାନ, ତେଲୁଗୁ ଏବଂ ଉର୍ଦ୍ଦୁ ଶିକ୍ଷକଙ୍କ ଫଳାଫଳ ତାଲିକା ପ୍ରକାଶ ପାଇଥିବା ବେଳେ ସଂସ୍କୃତ ଶିକ୍ଷକଙ୍କ ବାବଦରେ ନୀରବ ରହିଛନ୍ତି କର୍ତ୍ତୃପକ୍ଷ।