Trending Photos
)
Nuapada Bye-Election: ଭୁବନେଶ୍ୱର: ନୂଆପଡ଼ା ଉପ ନିର୍ବାଚନ ପାଇଁ ଆଜି ହେଉଛି ପ୍ରଚାରର ଶେଷ ଦିନ। ସନ୍ଧ୍ୟା ୪ଟା ପରେ ଲାଗୁ ହେବ ସାଇଲେନ୍ସ ପିରିୟଡ଼। ନୀରବ ଅବଧି ପୂର୍ବରୁ ସମସ୍ତ ପ୍ରଚାର ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାହାର ଲୋକଙ୍କୁ ନୂଆପଡ଼ା ଛାଡ଼ିବାକୁ କଡ଼ା ନିର୍ଦ୍ଦେଶାନାମା ଜାରି ହୋଇଛି । ମତଦାନ ପୂର୍ବର ୪୮ ଘଣ୍ଟା ପୂର୍ବ ସମୟ ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।
ସେପଟେ ଆଜି ସନ୍ଧ୍ୟାସୁଦ୍ଧା ଜିଲ୍ଲା ବାହାରୁ ଆସିଥିବା ନେତା ମାନେ ଜିଲ୍ଲା ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ସନ୍ଧ୍ୟା ପରେ ପୁଲିସ ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ହୋଟେଲ, କଲ୍ୟାଣ ମଣ୍ଡପ ଆଦିକୁ ତନ୍ନତନ୍ନ କରି ଯାଞ୍ଚ କରିବ। ଲଜ୍ ଓ ଅତିଥି ଗୃହ ଗୁଡ଼ିକର ଅତିଥି ତାଲିକାର ମଧ୍ୟ ଯାଞ୍ଚ କରାଯିବ। ମତଦାନ ଶେଷ ହେବାର ୪୮ ଘଣ୍ଟା ପୂର୍ବରୁ କୌଣସି ସାଧାରଣ ସଭା କିମ୍ବା ଶୋଭାଯାତ୍ରା ଆୟୋଜନ ହେବ ନାହିଁ । ନିର୍ବାଚନ ମଣ୍ଡଳୀରେ କେବଳ ସ୍ଥାନୀୟ ଭୋଟରମାନେ ରହୁଛନ୍ତି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ପରିଚୟ ପତ୍ର ଯାଞ୍ଚ କରିବେ ।
ମତଦାନର ୪୮ ଘଣ୍ଟା ପୂର୍ବର ଅବଧି ଅର୍ଥାତ ନୀରବ ଅବଧି, କୌଣସି ରାଜନୈତିକ ପ୍ରଲୋଭନ କିମ୍ବା ପ୍ରଚାର ଦ୍ୱାରା ପ୍ରଭାବିତ ନ ହୋଇ, ଭୋଟରମାନଙ୍କୁ ସେମାନଙ୍କ ମତଦାନର ନିରପେକ୍ଷ ନିଷ୍ପତ୍ତି ନିର୍ଣ୍ଣୟ କରିବା ପାଇଁ ଯୋଗାଇ ଦିଆଯାଇଥାଏ ।
ଏଠାରେ କହି ରଖୁ କି ଆସନ୍ତା ୧୧ ତାରିଖରେ ନୂଆପଡ଼ାରେ ଉପନିର୍ବାଚନ ଅନୁଷ୍ଠିତ ହେବ। ସେହିପରି ବିହାରର ଅବଶିଷ୍ଟ ୧୨୨ଟି ବିଧାନସଭା ଆସନରେ ମତଦାନ ହେବ । ନଭେମ୍ବର ୧୪ ତାରିଖରେ ଭୋଟ୍ ଗଣତି ପରେ ଫଳାଫଳ ଘୋଷଣା କରାଯିବ । ପ୍ରଥମ ପର୍ଯ୍ୟାୟରେ ୧୨୧ଟି ଆସନ ପାଇଁ ହୋଇସାରିଛି ଭୋଟିଂ । ନଭେମ୍ବର ୨୨ରେ ସରୁଛି ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାର କାର୍ଯ୍ୟକାଳ ।