ଭୁବନେଶ୍ୱର: ରାଜ୍ୟକୁ ପଶିବନି ଛତିଶଗଡି ଧାନ। ସୀମାନ୍ତବର୍ତ୍ତୀ ଜିଲ୍ଲାକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଲେ ସରକାର। ଯେଭଳି ଓଡିଶା ମଣ୍ଡିରେ ଛତିଶଗଡରୁ ଆସୁଥିବା ଧାନ ବିକ୍ରି ନହୁଏ ତାହାକୁ ସୁନିଶ୍ଚିତ କରିବାକୁ ଆଜି ରାଜ୍ୟ ସରକାର ୮ଟି ସୀମାନ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନୋଟିସ କରିଛନ୍ତି।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସମ୍ୱଲପୁର, ବରଗଡ, କଳାହାଣ୍ଡି, ନୂଆପଡା, ବଲାଙ୍ଗିରି, ଝାରସୁଗୁଡା, ସୁନ୍ଦରଗଡ ଓ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ନୋଟିସ କରାଯାଇଛି। ସେଥିରେ କୁହାଯାଇଛି ଯେ, ବାହାର ରାଜ୍ୟରୁ ଧାନ ଓଡିଶାରେ ବିକ୍ରି ହେଉଥିବାରୁ ସ୍ଥାନୀୟ ଚାଷୀ ସର୍ବନିମ୍ନ ସହାୟକ ମୁଲ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି। ତେଣୁ ଓଡିଶା ସୀମାକୁ ଜଗିବା ସହ କେବଳ ପଞ୍ଜିକୃତ ଚାଷୀଙ୍କଠୁ ଧାନ କିଣାଯାଉ।
ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ ଏମଏସପିରେ ଖରିଫ ଧାନ କିଣା ଚାଲିଛି। ଏହା ଆସନ୍ତାବର୍ଷ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବଷ କିଛି ଅସାଧୁ ବ୍ୟବସାୟୀ ଛତିଶଗଡରୁ ଧାନ ଅଣି ଓଡିଶା ମଣ୍ଡିରେ ବିକ୍ରି କରୁଛନ୍ତି। ତେଣୁ ଜିଲ୍ଲାପାଳମାନେ ନିଜ ସୀମାରେ ଯେଭଳି ବାହାର ରାଜ୍ୟରୁ ଧାନ ପ୍ରବେଶ ନକରେ ସେଥିପ୍ରତି ଧ୍ୟାନ ଦିଅନ୍ତୁ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ କହିଛି।