ଭୁବନେଶ୍ୱର: ଲକଡାଉନ ସମୟରେ ଦେଶରେ ବଲିଉଡ଼ ଅଭିନେତା ସୋନୁ ସୁଦ ଦେବଦୂତ ପାଲଟିଥିବା ବେଳେ ରାଜ୍ୟରେ ସବ୍ୟସାଚୀ ମିଶ୍ର । ସବ୍ୟସାଚୀ ଲକଡାଉନ ପିରିୟଡ଼ରେ ଏକାଧିକ ପ୍ରବାସୀଙ୍କୁ ରାଜ୍ୟକୁ ଫେରାଇ ଆଣିଥିବା ବେଳେ ନିଜ ରାଜ୍ୟକୁ ମଧ୍ୟ ପଠାଇଛନ୍ତି ସେ । ତେବେ ଲକଡାଉନ ମଧ୍ୟରେ ତାଙ୍କର ଏକ କାହାଣୀ ବେଶ ଚର୍ଚ୍ଚାରେ ରହିଛି। ବୟସର ଅପରାହ୍ଣରେ ମଧ୍ୟ ଦୁଇ ପ୍ରେମୀଯୁଗଳଙ୍କୁ ଏକତ୍ରୀତ କରି ବେଶ ଚର୍ଚ୍ଚାରେ ରହିଛନ୍ତି ସବ୍ୟସାଚୀ। କାହାଣୀ ଏହିପରି।
ବାଲେଶ୍ୱର ସୋରର ଜଗବନ୍ଧୁ ସାହୁ ଓ ତାଙ୍କ ପତ୍ନୀ ଗୌରୀ ସାହୁ। ଗୌରୀ ଲକଡାଉନ ହେବା ପୂର୍ବରୁ ଗୁଜୁରାଟ ଯାଇଥିଲେ, ସମ୍ପର୍କୀୟଙ୍କୁ ଭେଟିବା ପାଇଁ। ତେବେ ସେଠାରେ ସମ୍ପର୍କୀୟଙ୍କୁ ଭେଟିବା ପରେ ଓଡ଼ିଶା ଫେରିବାକୁ ଚିନ୍ତା କରିଥିଲେ । କିନ୍ତୁ ସେତେବେଳକୁ ତମାମ ଦେଶରେ ଲକଡାଉନ ହୋଇଯାଇଥିଲା। ଓଡ଼ିଶା ଫେରିବା ପାଇଁ ପ୍ରୟାସ କରିଥିଲେ ଗୌରୀ ସାହୁ। ମାତ୍ର କୌଣସି ଉପାୟ ନ ପାଇଁ ଗୁଜୁରାଟରେ ଫସି ରହିଥିଲେ ।
ସେପଟେ ବୟସର ଅପରାହ୍ଣରେ ପହଞ୍ଚିଥିବା ଜଗବନ୍ଧୁ ପତ୍ନୀଙ୍କୁ ଝୁରି ଝୁରି ଖାଇବା ପିଇବା ମଧ୍ୟ ଏକ ପ୍ରକାର ଛାଡ଼ି ଦେଇଥିଲେ । ନିଜ ସହଧର୍ମିଣୀଙ୍କୁ ନ ଦେଖି ପାରିବା ନେଇ ଚିନ୍ତାମଗ୍ନରେ ରହୁଥିଲେ ଜଗବନ୍ଧୁ। ତେବେ ଜଗବନ୍ଧୁ ଓ ଗୌରୀଙ୍କ ସମ୍ପର୍କରେ କୌଣସୀ ସୂତ୍ରରୁ ଜାଣିବାକୁ ପାଇଥିଲେ ସବ୍ୟ। ସବ୍ୟ ଏହି ସୂଚନା ପାଇବା ପରେ ଗୁଜୁରାଟରୁ ଗୌରୀଙ୍କୁ ଆଣିବାକୁ ଅଣ୍ଟା ଭିଡ଼ିଥିଲେ ।
ଗୌରୀଙ୍କୁ ଫେରାଇ ଆଣିବା ପାଇଁ ଏକ ବସର ବ୍ୟବସ୍ଥା କରିଥିଲେ ସବ୍ୟ । ବସ ମାଧ୍ୟମରେ ଗୌରୀଙ୍କୁ ଫେରାଇ ଆଣିଥିଲେ ସବ୍ୟସାଚୀ । ଘରେ ପହଞ୍ଚିବା ପରେ ଜଗବନ୍ଧୁ ଓ ଗୌରୀଙ୍କ ମଧ୍ୟରେ ଖୁସିର ମାହୋଲ ଖେଳିଯାଇଥିଲା । ଯାହାର ମୂଲ୍ୟ ଅମୁଲ୍ୟ ବୋଲି ସବ୍ୟ କହିଛନ୍ତି । ଆଜି କାଲିକା ପ୍ରେମୀ ଯୁଗଳ ମାନଙ୍କ ପାଇଁ ଏମାନେ ଉଦାହରଣ । ମଉସା ଆଉ ମାଉସୀଙ୍କ ଦୀର୍ଘ ଆରୋଗ୍ୟ ଜୀବନ ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଛନ୍ତି ସବ୍ୟ ।