ସରୋଜ ବେହେରା, ଭୁବନେଶ୍ୱର: କ୍ରାଇମମବ୍ରାଞ୍ଚ ଏସଟିଏଫକୁ ମିଳିଛି ପୁଣି ଏକ ସଫଳତା । ବ୍ରାଉନସୁଗାର ଚୋରା ଚାଲାଣ ବେଳେ ଧରାପଡିଛନ୍ତି ଏମବିଏ ଛାତ୍ର ବାଲେଶ୍ୱରର ଶେଖ ରିୟାଜୁଦ୍ଦିନ । ତାଙ୍କ ନିକଟରୁ ଏକ କିଲୋ ୩୨୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ଏକ କୋଟି ୩୨ ଲକ୍ଷ ଟଙ୍କା । ଲକଡାଉନ ସମୟରେ ବ୍ରାଉନସୁଗର ଚୋରାଚାଲାଣ କିଭଳି ହେଉଛି ତାହାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଜଳେଶ୍ୱର ଆଇଆଇସିଙ୍କ ବ୍ରାଉନସୁଗର ବେପାରୀଙ୍କ ଲିଙ୍କ ପରେ କ୍ରାଇମବ୍ରାଞ୍ଚ ତଦନ୍ତର ଶିଥିଳତା ପଦାରେ ପଡିଛି ।
ପୁଣି ବାଲେଶ୍ୱରରୁ ଧରା ହେଲା ଧଳାଜହର । ଗିରଫ ହେଲା ଏମବିଏ ଛାତ୍ର ଶେଖ ରିୟାଜୁଦ୍ଦିନ । ଜବତ ହେଲା କୋଟି କୋଟି ଟଙ୍କାର ବ୍ରାଉନସୁଗର । ବିଶ୍ୱସ୍ତ ସୁତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ ଏସଟିଏଫ ରିୟାଜୁଦ୍ଦିନଙ୍କୁ ଗିରଫ କରିଛି । ଭୁବନେଶ୍ୱରରେ ପାଠ ପଢୁଥିବା ରିୟାଜୁଦ୍ଦିନ ଲକ ଡାଉନରେ ଘରକୁ ଯିବା ପରେ ଅଧିକ ଟଙ୍କା ଲୋଭରେ ଆରମ୍ଭ କରିଦେଇଥିଲା ଧଳା ଜହରର କଳା ବେପାର । ଟଙ୍କା ଅଧିକ ମିଳୁଥିବାରୁ ରିୟାଜୁଦ୍ଦିନ ଡିଲ ଆରମ୍ଭ କରିଦେଇଥିଲା । ହେଲେ ଶେଷରେ ଧରା ପଡିଲା କ୍ରାଇମବ୍ରାଞ୍ଚ ହାତରେ । ଏକ କୋଟି ୩୨ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରିବାପରେ ତାଙ୍କୁ କୋର୍ଟଚାଲାଣ କରିଛି କ୍ରାଇମବ୍ରାଂଚ । ଏତେ ମାତ୍ରାରେ ବ୍ରାଉନସୁଗର କିଏ ଦେଲା ତାହାକୁ ନେଇ କ୍ରାଇମବ୍ରାଞ୍ଚ ଚଲାଇଛି ତଦନ୍ତ । କ୍ରାଇମବ୍ରାଞ୍ଚକୁ ଭୁଆଁ ବୁଲାଉଥିବା ରିୟାଜୁଦ୍ଦିନକୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏସପି ।
ଲକଡାଉନ ବେଳେ ଏତେ ମାତ୍ରାରେ ବ୍ରାଉନସୁଗର ଆସିଲା କିଭଳି ତାହାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ପୋଲିସ ଓ ଅବକାରୀ ବିଭାଗୀୟ ଅଧିକାରୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୋଟାଏ ପଟେ ଜଳେଶ୍ୱରର ପୂର୍ବତନ ଥାନାଧିକାରୀ ଧନେଶ୍ୱର ସାହୁଙ୍କ ବ୍ରାଉନସୁଗର ବେପାରୀଙ୍କ ସମ୍ପର୍କ ପଦାରେ ପଡିଥିବା ବେଳେ କ୍ରାଇମବ୍ରାଞ୍ଚ ସେ ସବୁ ଘଟଣାରୁ ଆଖି ବୁଲାଇ ଦେଉଛି । କେବଳ ପୋଲିସ ନୁହେଁ ଅବକାରୀ ବିଭାଗର ଅଧିକାରୀଙ୍କ ସମ୍ପୃକ୍ତିକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଏ ସମସ୍ତ ସରକାରୀ ଅଧିକାରୀଙ୍କୁ ହାତ କରି ବ୍ରାଉନସୁଗର ବେପାରୀମାନେ ଚଳାଇଛନ୍ତି ସେମାନଙ୍କ କଳା ସାମ୍ରାଜ୍ୟ । ଆଉ ତା' ସହ ମାଲାମାଲ ହେଉଛନ୍ତି ସରକାରୀ ବାବୁ । ହେଲେ କ୍ରାଇମବ୍ରାଞ୍ଚ ସେମାନଙ୍କ ଲିଙ୍କ ବାହାର କରିବାରେ ସମ୍ପୁର୍ଣ୍ଣ ବିଫଳ ହୋଇଛି ।