ଦିବ୍ୟାଙ୍ଗ ଉର୍ମିଳାଙ୍କ ସଂଘର୍ଷମୟ କାହାଣୀ

୫ବର୍ଷ ବୟସ ରେ ପୋଲିଓ ରୋଗରେ ଆକ୍ରାନ୍ତ ହୋଇଥିଲେ । ସେବେଠାରୁ ତାଙ୍କର ଦୁଇ ଗୋଡ ଅଚଳ ହେବା ସହ ପାଠପଢାରେ ଡୋରି ଲାଗିଥିଲା । ହେଲେ ସେ ଜୀବନ ସଂଗ୍ରାମରେ ହାର ମାନି ନଥିଲେ ।

ଦିବ୍ୟାଙ୍ଗ ଉର୍ମିଳାଙ୍କ ସଂଘର୍ଷମୟ କାହାଣୀ
ଫାଇଲ ଫଟୋ

ସୋର: କୁହାଯାଏ ମଣିଷର ଯଦି ନିଜର ଇଛା ଶକ୍ତି ଓ ମନୋବଳ ଦୃଢ଼ କରେ ତେବେ ଅସମ୍ଭବକୁ ସମ୍ଭବ କରେ । ନିଜେ ବଞ୍ଚିବା ସହ ଅନ୍ୟଙ୍କୁ ବଞ୍ଚିବାର ରାହା ଦେଖାଇଥାଏ । ଏହାର ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ଵରର ଖଇରା ବ୍ଲକ ଓସଙ୍ଗ ଗାଁର ଉର୍ମିଳା ଧଳଙ୍କ ପାଖରେ । ଜଣେ ଦିବ୍ୟାଙ୍ଗ ହୋଇ କର୍ମକ୍ଷେତ୍ରରେ ଆଗେଇ ଚାଲନ୍ତି । ସିଲେଇ ମେସିନ ପକାଇ ନିଜେ ସିଲେଇ କରିବା ସହ ୧୦ ଜଣ ମହିଳାଙ୍କୁ କରିପାରିଛନ୍ତି ଆତ୍ମନିର୍ଭରଶୀଳ । ଛୋଟ ବେଳେ ପୋଲିଓ ରୋଗରେ ପୀଡିତ ହୋଇ ୨ ଗୋଡ ଅଚଳ ହୋଇଥିଲା । ହେଲେ ହାର ନମାନି ଜାରି ରଖିଛନ୍ତି ସଂଘର୍ଷ ।
 
୫ବର୍ଷ ବୟସ ରେ ପୋଲିଓ ରୋଗରେ ଆକ୍ରାନ୍ତ ହୋଇଥିଲେ । ସେବେଠାରୁ ତାଙ୍କର ଦୁଇ ଗୋଡ ଅଚଳ ହେବା ସହ ପାଠପଢାରେ ଡୋରି ଲାଗିଥିଲା । ହେଲେ ସେ ଜୀବନ ସଂଗ୍ରାମରେ ହାର ମାନି ନଥିଲେ । ମନୋବଳକୁ ଦୃଢ କରି ପରିବାର ଉପରେ ବୋଝ ନହୋଇ ସିଲେଇ ଶିଖିବା ଆରମ୍ଭ କରିଥିଲେ । ସିଲେଇ ଶିଖିବା ପରେ ତାଙ୍କ ବାପା ତାଙ୍କୁ ଏକ ସିଲେଇ ମେସିନ ଆଣି ଦେଇଥିଲେ । ଦୀର୍ଘ ୨୫ ବର୍ଷ ଧରି ସିଲେଇ କାମରେ ନିୟୋଜିତ ହେଇଛନ୍ତି ସେ । ଏବେ ଉର୍ମିଳା ଅନ୍ତରାରେ ଏକ ଘର ଭଡା ନେଇ ୧୦ରୁ ଅଧିକ ମହିଳାକୁ ସିଲେଇ ଶିଖେଇବା ସହ ନିଜେ ସିଲେଇ କାମ କରୁଛନ୍ତି । ସେଥିରୁ ସେ ମାସିକ ୧୦ରୁ ୧୫ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି ।

ସରକାରଙ୍କ ତରଫରୁ ସହାୟତା ମିଳିଲେ ଅଧିକ ସିଲେଇ ମେସିନ କିଣି ଅଞ୍ଚଳର ମହିଳାଙ୍କୁ ସ୍ୱାବଲମ୍ବୀ କରିପାରନ୍ତେ । ଏଥି ସହ ଏକ ଟ୍ରାଇ ସାଇକେଲର ବ୍ୟବସ୍ଥା ହୋଇପାରିଲେ ସୁବିଧାରେ ଯିବା ଆସିବା କରିପାରିବ । ଏତେ ଅସୁବିଧା ମଧ୍ୟରେ ବି ଜୀବନ ସଂର୍ଘଷରେ ହାରି ନଯାଇ ସଫଳତାର ପାହାଚ ଚଢି ଚାଲିଛନ୍ତି । ସ୍ଥାନୀୟ ଗ୍ରାମବାସୀ ଉର୍ମିଳାଙ୍କ କାମକୁ ପ୍ରଶଂସା କରିଛନ୍ତି । ସେପଟେ ଉର୍ମିଳାଙ୍କୁ ଦିବ୍ୟାଙ୍ଗ ଭତ୍ତା ଦିଆଯାଉଛି । ପଞ୍ଚାୟତ ସ୍ତରେ ଏକ ଘର ଯୋଗାଇ ଦେବା ପାଇଁ ଚେଷ୍ଟା କରାଯିବ ବୋଲି ପଞ୍ଚାୟତର ସମିତି ସଭ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ଉର୍ମିଳା ଜଣେ ଦିବ୍ୟାଙ୍ଗ ମହିଳା ହୋଇ ମଧ୍ୟ ନିଜେ ଆତ୍ମନିର୍ଭର ହେବା ସହ ଅନ୍ୟମାନଙ୍କୁ ସ୍ୱାବଲମ୍ୱୀ କରୁଥିବାରୁ ତାଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି ।