)
ସମ୍ବଲପୁର: ଦନ୍ତା ଆକ୍ରମଣରେ ଗଲା ଦୁଇ ଜୀବନ। ଗତକାଲି ରାତିରେ ସମ୍ବଲପୁର ସଦର ରେଞ୍ଜ ଅଧୀନସ୍ଥ କୁଢ଼େରନିଶା ଗାଁକୁ ହାତୀ ପଶି ଦୁଇ ଜଣଙ୍କୁ ଦଳିଦେଇଛି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କ ସଦର ହସ୍ପିଟାଲରେ ମୃତ୍ୟୁ ହୋଇଛି। ମୃତ ଦୁଇ ଜଣ ହେଲେ ବରଗଡ଼ ଜିଲ୍ଲା ଅତବିରା ଥାନା ତୁଳିଆନ ଗାଁର ଜୟଲାଲ ମିରଧା ଓ ତେଲେଙ୍ଗା ଓରାମ।
ସୂଚନା ଅନୁସାରେ ବରଗଡ଼ର (Bargarh) ଜୟଲାଲ ମିରଧା ଓ ତେଲେଙ୍ଗା ଓରାମ ଏକ ଠିକା ସଂସ୍ଥା ପକ୍ଷରୁ ବାଉଁଶ କଟାଳି ଭାବେ କର୍ପୋରେସନରେ କାମ କରୁଥିଲେ। ଗତ କିଛି ଦିନ ହେବ ଗୋଟିଏ ଦନ୍ତା ହାତୀ ସନ୍ଧ୍ୟା ହେଲେ ବାରଲୋଇ, ବସିଆପଡା, ଝାଙ୍କରପାଲି ଆଦି ଆଖପାଖ ଗାଁରେ ପଶୁଛି। ଗତକାଲି ରାତିରେ ଜୟଲାଲ, ତେଲେଙ୍ଗା ଓ ଅନ୍ୟଜଣେ ବ୍ୟକ୍ତି ସେହି ଦନ୍ତା (Elephant) କବଳରେ ପଡ଼ିଥିଲେ।
Also Read: କିଏ ପିଇଗଲା ହୀରାକୁଦର ପାଣି?
ହାତୀ ଦଳା (Elephant Attack) ରେ ତେଲେଙ୍ଗାଙ୍କର ମୃତ୍ୟୁ ଘଟିଥିବା ବେଳେ ଜୟଲାଲ ଗୁରୁତର ଆହତ ହୋଇଥିଲେ। ଆଉ ଅନ୍ୟଜଣେ ଘଟଣାସ୍ଥଳରୁ ଖସିଯିବାରେ ସଫଳ ହୋଇଥିଲେ। ବର୍ତ୍ତମାନ ଗ୍ରାମବାସୀମାନେ ଭୟଭୀତ ଅଛନ୍ତି। ତେବେ ଏହି ହାତୀ ଉପଦ୍ରବର ସ୍ଥାୟୀ ସମାଧାନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି।