ଗଞ୍ଜାମରେ ୧୫ଜଣଙ୍କ ସମୁହ ବିବାହ

ବାପା ମାଆ ଛେଉଣ୍ଡ ତଥା ଅସହାୟ ଗରିବ ପରିବାରକୁ ଚିହ୍ନଟ କରି ସେମାନଙ୍କ ପାଇଁ ନୂଆ ସଂସାରଟିଏ ଗଢିଦେଇଛନ୍ତି ମୁସଲମାନ କଲଚରାଲ ଆସୋସିଏସନ

ଗଞ୍ଜାମରେ ୧୫ଜଣଙ୍କ ସମୁହ ବିବାହ
ଗଞ୍ଜାମରେ ୧୫ଜଣଙ୍କ ସମୁହ ବିବାହ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: କଥାରେ ଅଛି କନ୍ୟାଦାନ ମହାପୁଣ୍ୟ । ଯାହାକୁ ଭଲସେ ବୁଝି ପାରିଛନ୍ତି ଗଞ୍ଜାମ ମୁସଲମାନ କଲଚରାଲ ଆସୋସିଏସନ । ବାପା ମାଆ ଛେଉଣ୍ଡ ତଥା ଅସହାୟ ଗରିବ ପରିବାରକୁ ଚିହ୍ନଟ କରି ସେମାନଙ୍କ ପାଇଁ ନୂଆ ସଂସାରଟିଏ ଗଢିବା ଲାଗି ବଢାଇଛନ୍ତି ସହାୟତାର ହାତ । ହିନ୍ଦୁ ମୁସଲମାନ ଭେଦଭାବକୁ ପଛରେ ପକାଇ ପରସ୍ପର ସହ ଭାଇଚାରା ସୃଷ୍ଟି କରିବା ସହ ଖାଜା ସାହିଠାରେ ଆୟୋଜିତ କରିଥିଲେ ସାମୁହିକ ବିବାହ ଉତ୍ସବ।
ହାତରେ ମେହେନ୍ଦି ମଥାରେ ଓଢଣୀ ନାଇ କନ୍ୟା ବେଶରେ ଗୋଟିଏ ମଣ୍ଡପରେ ସଜେଇ ହୋଇ ବସିଥିଲେ ୧୫ ଜଣ ନବବଧୂ । ସେପଟେ ଗୋଟିଏ ମଞ୍ଚରେ ନିକାହ କରିବା ଲାଗିବର ବେସର ସଜେଇ ହୋଇ ବସି ରହିଛନ୍ତି ବର । ବର କନ୍ୟାକୁ ନେଇ ଗୋଟିଏ ସ୍ଥାନରେ ବେସ ଆଡମ୍ବର ସହ ଆୟଜିତ ହୋଇଥିଲା ସମୁହ ବିବାହ ଉତ୍ସବ । ୧୧ ଜଣ ମୁସଲମାନ ସମ୍ପ୍ରଦାୟର ଦମ୍ପତି ନିକାହ କରିଥିବା ବେଳେ ୪ଜଣ ହିନ୍ଦୁ ଦମ୍ପତିଙ୍କ ପାଇଁ ବୈଦିକ ରୀତିନୀତିରେ ଆୟୋଜନ ହୋଇଥିଲା ବିବାହ ଉତ୍ସବ । ବନ୍ଧୁ ବାନ୍ଧବଙ୍କ ମଧ୍ୟ ଲାଗିଥିଲା ବେସ ଗହଳି ଚହଳି । ଏଦୃଶ୍ୟ ଦେଖିଲେ କାହାରିକୁ ବି ଟିକିଏ ନିୟାରା ଲାଗିବ ସତ । ବ୍ରହ୍ମପୁର ଖାଜା ସାହି ମୁସଲମାନ କୋଲନିରେ ଆୟଜିତ ହୋଇଥିଲା ଏଭଳି ଏକ ବିରଳ ବିବାହ ଉତ୍ସବ । ଆର୍ଥିକ ଅଭାବ ଅନଟନରୁ ଘରେ ରହିଯାଉଥିବା ଗରିବ ପରିବାର, ଭିନ୍ନକ୍ଷମ ଓ ବାପା ମାଁ ଛେଉଣ୍ଡ ଭଳି ଅସହାୟ ପରିବାରର ଝିଅ ମାନଙ୍କୁ ଚିହ୍ନଟ କରି ଏଭଳି ସମୁହ ବିବାହର ଆୟୋଜନ କରିଥିଲେ ଗଞ୍ଜାମ ଜିଲ୍ଲା ମୁସଲମାନ କମ୍ୟୁନିଟି । ୧୫ ଜଣ ବର, କନ୍ୟା ଏକ ନୂଆ ସଂସାର ଗଢିବାର ସୁଯୋଗ ପାଇଥିବା ହେତୁ ବେସ ଖୁସି ଜାହିର କରିଛନ୍ତି ନବଦମ୍ପତି । ମୁସଲମାନ କମ୍ୟୁନିଟିର ଅବଦାନ ଯେମିତି କିଛି ବି କମ ନ ଥିଲା । କନ୍ୟାଙ୍କ ସମ୍ପର୍କୀୟ ସାଜି ମୁସଲମାନ ଭାଇ ମାନେ ଗରିବ ଝିଅ ମାନଙ୍କ ପାଇଁ ଖୋଜି ଆଣିଥିଲେ ମନଲାଖି ବର । ଖାଲି ଓଡ଼ିଶା ନୁହେଁ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ ବାହାର ରାଜ୍ୟର ନବଦମ୍ପତି ।

 ଝିଅ ମାନେ ନିଜକୁ ଅସହାୟ ମନେ ନ କରିବେ ଓ ଭଲ ସଂସାରଟିଏ ଗଢିବେ ସେଥିଲାଗି ଯାନି ଯୌତୁକ ଠାରୁ ଆରମ୍ଭ କରି ଘରକରଣା ସାମଗ୍ରୀ ମଧ୍ୟ ପ୍ରଦାନ କରାଯାଇଥିଲା କମ୍ୟୁନିଟି ପକ୍ଷରୁ । ଏଭଳି ଏକ ସାମୁହିକ ବିବାହ ଉତ୍ସବରେ ଯୋଗ ଦେଇଥିଲେ ଗଞ୍ଜାମ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ସମେତ ରାଜନେତା ଓ ବଦାନ୍ୟ ବ୍ୟକ୍ତି ବିଶେଷ । ନବଦମ୍ପତିଙ୍କୁ ଆଶିର୍ବାଦ ପ୍ରଦାନ କରିବା ସହ ମୁସଲମାନ କମ୍ୟୁନିଟିର ଏଭଳି ପଦକ୍ଷେପକୁ ସ୍ୱାଗତ କରିଥିବା ବେଳେ ଆଗାମୀ ଦିନରେ ଏଭଳି ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି କମିଟି ସଦସ୍ୟ ।