Trending Photos
)
ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର : ବ୍ରହ୍ମପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଗତ ଶୁକ୍ରବାର ଦୁଇ ଆଇପିଏଲ ବୁକିକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଲାଲି ଆଚାରି ଓ ତାର ସହଯୋଗୀ ପ୍ରଶାନ୍ତ ସୁବୁଦ୍ଧିକୁ ପୋଲିସ ଗିରଫ କରିଛି। ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ ଚଢାଉ କରି ଏହି ଦୁଇ ଜଣଙ୍କୁ ଗିରଫ କରିଥିଲେ। ଏହା ସହିତ ତାଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଜବତ କରିଛି। ସେପଟେ ଏହି ଦୁଇ ଜଣଙ୍କ ଅପରାଧ ସାମ୍ରାଜ୍ୟରେ ଅନେକ ଯୁବପିଢି ସାମିଲ ରହିଥିବା ପୋଲିସ ସୂଚନା ଦେଇଛି। ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଦକ୍ଷିଣାଞ୍ଚଳର ଡିଆଇଜି ସୂଚନା ଦେଇଛନ୍ତି।
ଦୀର୍ଘ ଦିନ ଧରି ବେଆଇନ ଭାବେ ଜୁଆଡ଼ି ଜୁଆ ସହ କଳାଧନ କାରବାର କରିଆସୁଥିଲେ। ଏହି ଜୁଆଡ଼ିଙ୍କ ବେଆଇନ କାରବାର ଦେଶ ତଥା ଦେଶ ବାହାରକୁ ଲମ୍ବିଛି ବୋଲି ପୋଲିସ ପ୍ରାଥମିକ ପର୍ଯ୍ୟାୟରେ ଜାଣିବାକୁ ପାଇଛି। ଦକ୍ଷିଣ ଓଡିଶାରେ ଦୀର୍ଘ ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଆଇପିଏଲରେ ଜୁଆର ଖୋଲା ସାମ୍ରାଜ୍ୟ ଚଲାଇ ଆସିବା ସହ ଅନେକ ଶିକ୍ଷିତ ଓ ବେକାରୀ ଯୁବକଙ୍କୁ ନିଜ ଫାସରେ ପକାଇ ସ୍ୱଳ୍ପ ସମୟରେ ଅଧିକ ଟଙ୍କା ଅର୍ଜନର ଲାଳସା ଦେଖାଇ ଅବାଟକୁ ଟାଣିନେବାରେ ମାହିର ଥିବା ବୁକିଙ୍କ ବାଦଶାହ ଲାଲି ଆଚାରି ନାଁରେ ପୋଲିସ ନିକଟରେ ଅଭିଯୋଗ ରହିଥିଲା।
ଯାହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ନେତୃତ୍ୱ କ୍ରମେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯିବ ସହ ଆଇପିଏଲ ଆରମ୍ଭରୁ ହିଁ ବିଭିନ୍ନ ସ୍ଥାନରେ ଜାଲ ବିଛା ଯାଇଥିଲା। ଆଉ ସୁଯୋଗ ଦେଖି ଚୌକା ମାରିବା ଭଲି ଦୁଇ ବୁକିଙ୍କ ବାଦଶାହ ଲାଲି ଆଚାରି ଓ ତାର ସହଯୋଗୀ ପ୍ରଶାନ୍ତ ସୁବୁଦ୍ଧିକୁ ବ୍ରହ୍ମପୁରରୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଗିରଫ ବେଳେ ତା ଠାରୁ ୩୩ ଲକ୍ଷ ୬୧ ହଜାର ନଗତ ଟଙ୍କା ୪ଟି ମୋବାଇଲ କିଛି ଖେଳ ସରଞ୍ଜାମକୁ ମଧ୍ୟ ଜବତ କରିଥିବା ଦକ୍ଷିଣାଞ୍ଚଳ ଡିଆଇଜି ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି।
ଖାଲି ଆଇପିଏଲ ନୁହେଁ ବିଭିନ୍ନ ଖେଳରେ ବିଦେଶୀ ଆପ ଜରିଆରେ ଜୁଆ ବେପାର କରି ଆସୁଥିଲା ଲାଲି ଆଚାରି। ଅନେକ ସମୟରେ ରାଜ୍ୟ ତଥା ରାଜ୍ୟ ବାହାରେ ଆତ୍ମଗୋପନ କରି ବଡବଡ ପଞ୍ଚ ତାରକା ହୋଟେଲରେ ବସି ଚଳାଉଥିଲା ନିଜର ରିମୋଟ । ଜୁଆ ଖେଳରେ ଲାଲିର ଚେର ଦେଶ ବାହାରକୁ ଲମ୍ବିଥିବା ବେଳେ ସହ ସହ ଯୁବପିଢି ଏହି ଖେଳରେ ସମ୍ପୃକ୍ତ ରହିଥିବା ପୋଲିସ ତଦନ୍ତ ବେଳେ ସୁରାକ ପାଇଛି।
ବିଭିନ୍ନ ସମୟରେ ଇଞ୍ଜିନିୟରିଂ ଛାତ୍ରଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ ଓ ସାଧାରଣ ଲୋକଙ୍କୁ ଏହି ବୁକିମାନେ ପ୍ରଭାବିତ କରି ଖେଳ ପ୍ରତି ଆକୃଷ୍ଟ କରୁଥିବା ଜଣାପଡିଛି । ଯାହାଫଳରେ ଖେଳରେ ହାରି କିଏ ଆତ୍ମହତ୍ୟାର ବାଟ ଆପଣାଉଥିଲା ତ ଆଉ କିଏ ସର୍ବହରା ହେବା ସହ ଅପରାଧ ଜଗତରେ ପାଦ ଥାପୁଥିଲା। ଯାହା ଅଭିଭାବକଙ୍କ ଚିନ୍ତା ବଢାଉଥିଲେ । ବିଳମ୍ବରେ ହେଲେ ମଧ୍ୟ ପୋଲିସର ଏଭଲି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ସହରର ବୁଦ୍ଧିଜୀବୀ।