ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଜୀ ଓଡ଼ିଶାର ମହା ପ୍ରଭାବ । ଧିରେ ଧିରେ ଖୋଲୁଛି ଠକ୍ ଶିକ୍ଷକଙ୍କ ଜାଲ ସାଟିଫିକେଟର ଗୁମର । ପୁଣି ପଦାକୁ ଆସିଛି ଆଉ ୫ଜଣ ନକଲି ସାର୍ଟିଫିକେଟ ପ୍ରଦାନକାରୀ ଶିକ୍ଷକଙ୍କ କଳା କାରନାମା । ଶିକ୍ଷାଗତ ଯୋଗ୍ୟତା ନ ଥାଇ ବର୍ଷ ବର୍ଷ ଧରି ବିଭିନ୍ନ ସୁଲରେ ଜାଲ ସାଟିଫିକେଟ ପ୍ରଦାନ କରି ଶିକ୍ଷକତା କରି ଆସୁଥିବା ନକଲି ଶିକ୍ଷକଙ୍କ ଜାଳିୟାତି ଜି ଓଡ଼ିଶାରେ ଖୁଲାସା ହେବା ପରେ ଏବେ ଗୋଟିଏ ପରେ ଗୋଟିଏ ଶିକ୍ଷକ ଜାଲରେ ଛନ୍ଦି ହେବାରେ ଲାଗିଛନ୍ତି ।
ଶିକ୍ଷା ବିଭାଗର ସ୍କାନରରେ ପୁଣି ଛନ୍ଦି ହେଲେ ୫ ଜଣ ଠକ୍ ଶିକ୍ଷକ । ଖୋଳତାଡ ବେଳେ ପଦାକୁ ଆସିଲା ଜାଳିୟାତିର ଗୁମର। ଶିକ୍ଷା ଗତ ଯୋଗ୍ୟତା ନ ଥାଇ ବର୍ଷ ବର୍ଷ ଧରି ଭଦ୍ରମୁଖା ତଳେ ଚାଲିଥିଲା ଶିକ୍ଷାଦାନ । ପିଲାଙ୍କ ଭବିଷ୍ୟତ ସହ ସାଂଘାତିକ ଖେଳ ଖେଳୁଥିଲେ ଏହି ଅପାଠୁଆ ଶିକ୍ଷକ ମାନେ । ସାଟିଫିକେଟ ତଦନ୍ତ ବେଳେ ପର୍ଦାଫାସ ହୋଇଛି ଶିକ୍ଷକଙ୍କ ପ୍ରକୃତ ରହସ୍ୟ । ବେଗୁନିଆପଡା ବ୍ଲକର ସୁଜାତା ପଣ୍ଡା, ପରମାନନ୍ଦ ସାହୁ ଓ ଶେରଗଡ ବ୍ଲକର ସଞ୍ଜୟ କୁମାର କଟେଇବା, ଭୋଗବାନ ମହାନ୍ତିଙ୍କ ସମେତ କବିସୂର୍ୟ୍ୟନଗର ଆଠଗଡ ପାଟଣା ବିଦ୍ୟାଳୟର ଭୀକାରି ଚରଣ ସାହୁଙ୍କ ସାର୍ଟିଫିକେଟ ଯାଞ୍ଚ ବେଳେ ନକଲି ଥିବା ଧରା ପଡିଛି । ବୋର୍ଡ଼ ପକ୍ଷରୁ ଏନେଇ ସୁଚନା ମିଳିବା ପରେ ସମସ୍ତ ଠକ ଶିକ୍ଷକଙ୍କ ବିରୁଦ୍ଧରେ ଥାନାରେ ଏତଲା ଦିଆଯାଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି ।
ଗଞ୍ଜାମ ଜିଲ୍ଲାରେ ବର୍ଷ ବର୍ଷ ଧରି ଏଭଳି ବିଭିନ୍ନ ସରକାରୀ ଶିକ୍ଷାନୁଷ୍ଠାନରେ ପିଲାଙ୍କ ଭବିଷ୍ୟତ ସହ ଖେଳ ଚାଲୁଛନ୍ତି ସହ ସହ ନକଲି ସାର୍ଟିଫିକେଟ ପ୍ରଦାନକାରୀ ଶିକ୍ଷକ । ଯାହା ଫଳରେ ଜିଲ୍ଲାରେ ସରକାରୀ ଶିକ୍ଷାନୁଷ୍ଠାନରେ ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିଥିବା ନେଇ ଅନେକ ଥର ବିଭିନ୍ନ ସଂଗଠନ ଦାବି ଉଠାଇଛନ୍ତି । ଅଭିଭାବକ ମାନେ ଘରୋଇ ଶିକ୍ଷା ଅନୁଷ୍ଠାନ ମୁହାଁ ହେବା ସହ ଅନେକ ସ୍କୁଲରେ ଶିକ୍ଷକ ତୁଳନାରେ ଛାତ୍ର ଛାତ୍ରୀଙ୍କ ସଂଖ୍ୟା ବେସ କମ ରହିଥିବା ଚର୍ଚ୍ଚା ହୋଇଛି । ଏଭଳି ସ୍ଥିତିରେ ଏକ ବଡ ଧରଣର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଆବଶ୍ୟକ ହୋଇ ପଡିଛି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨୧ ଜଣ ଶିକ୍ଷକଙ୍କ ସାର୍ଟିଫିକେଟ୍ ଜାଲିଆତି ପଦାକୁ ଆସିଥିବା ବେଳେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ହେଲେ ଏଭଳି କଳଙ୍କିତ ଶିକ୍ଷକଙ୍କୁ ତୁରନ୍ତ ସମୀକ୍ଷା କରି ଦୃଢ କାର୍ଯ଼୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ହୋଇ ପଡିଛି ।