ଏ ପୁରୁଣା କାଗଜ କହୁଛି ସତେଜ ଖବର
Advertisement
Article Detail0/zeeodisha/odisha677087

ଏ ପୁରୁଣା କାଗଜ କହୁଛି ସତେଜ ଖବର

ବୟସର ଅପରାହ୍ନରେ ବି ଜାରି ରହିଛି ସଂଘର୍ଷ

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ସୌମ୍ୟ ରଞ୍ଜନ ନାୟକ, ନୂଆଦିଲ୍ଲୀ: ସାଇକେଲ୍ ଆଗରେ ଦୁଇଟି ବ୍ୟାଗ୍ । ପଛରେ କିଛି ଅଦରକାରୀ ଖବର କାଗଜ । ଆଉ ସାଇକେଲ ଚାଳକ ଜଣେ ବୟସ୍କ ବ୍ୟକ୍ତି । ହାଫ୍ ପ୍ୟାଣ୍ଟ ଟେ ପିନ୍ଧିଛନ୍ତି । ଗାମୁଛା ଟେ ପକାଇଛନ୍ତି । ଏଇଠୁ ହିଁ ଆମ ଷ୍ଟୋରୀ ଆରମ୍ଭ । ଆପଣଙ୍କ ଭିତରେ ପ୍ରଶ୍ନ ଉଠୁଥିବ, କିଏ ଏହି ବ୍ୟକ୍ତି । ଖବର କେଉଁଠି ? ଏ ଖବର ଜଣେ ସ୍ୱାଭିମାନୀ ବ୍ୟକ୍ତିଙ୍କ । ଏ ଖବର ଜଣେ ସ୍ୱାବଲମ୍ବି ମଣିଷର । ଦିବ୍ୟାଙ୍ଗ ସତ, ହେଲେ କେବେ ଦଇବ ଆଗରେ ହାର ମାନିନଥିବା ଜଣେ ବୟସ୍କ ବ୍ୟକ୍ତିଙ୍କ ଖବର । ସ୍ୱାବଲମ୍ବି ହୋଇ ବଞ୍ଚିବାର କଳା ତାଙ୍କ ପାଖରେ ରହିଛି । 

ନାଁ- ସଦାନନ୍ଦ ବେହେରା । ବୟସ- ୬୨ ବର୍ଷ । ଘର ଗଞ୍ଜାମ ଛତ୍ରପୁର ବଡ଼ମାଧପୁର ଗାଁରେ । ପିଲାଟି ଦିନରୁ ସଦାନନ୍ଦଙ୍କ ଆରମ୍ଭ ହୋଇଥିଲା ସଂଘର୍ଷର କାହାଣୀ । ପୋଲିଓରେ ଆକ୍ରାନ୍ତ ହୁଅନ୍ତି ସେ । ଏପରିକି ଗୋଟିଏ ହାତ ସମ୍ପୂର୍ଣ୍ଣ ବିକଳାଙ୍ଗ ହୋଇଯାଏ । ହେଲେ ପିଲା ବେଳୁ ଆଜି ପର୍ଯ୍ୟନ୍ତ କେବେ ସେ ହାର ମାନିନାହାଁନ୍ତି । ସ୍ୱାବଲମ୍ବି ହୋଇ ବଞ୍ଚିବା ପାଇଁ ସତେ ଯେମିତି ସେ ପଣ କରିଛନ୍ତି । ରକ୍ତକୁ ପାଣି କରି ପରିଶ୍ରମ କରୁଥିଲେ । ଆଉ ସେଥିରେ ନିଜ ପରିବାର ପ୍ରତିପୋଷଣ କରୁଥିଲେ । 

ସଦାନନ୍ଦଙ୍କ ଦୁଇ ପୁଅ । ଉଭୟେ ବାହା ମଧ୍ୟ ହେଲେଣି । ଆପଣ ଭାବୁଥିବେ, ଏବେ ଆଉ ସଦାନନ୍ଦଙ୍କ ଦୁଃଖ କ'ଣ । ସ୍ତ୍ରୀ, ଦୁଇ ପୁଅ, ଦୁଇ ବୋହୂଙ୍କୁ ନେଇ ଖୁସିରେ ଦିନ କାଟୁଥିବେ । ପୂର୍ବ ଦୁଃଖ ସବୁ ନାତି ନାତୁଣୀଙ୍କୁ ଦେଖି ଭୁଲି ଯାଇଥିବେ ।  ସଦାନନ୍ଦ ମଧ୍ୟ ଏମିତି କିଛି ଆଶା ରଖିଥିଲେ । ମୁଣ୍ଡ ଝାଳ ତୁଣ୍ଡରେ ମାରି ଦୁଇ ପୁଅଙ୍କୁ ବଡ଼ କରିଥିଲେ । ହାତକୁ ଦୁଇ ହାତ ମଧ୍ୟ କରାଇଲେ । ହେଲେ ପୁଅମାନେ ବାହା ହେବା ପରେ ସତେ ଯେମିତି ବାପା ମାଆଙ୍କୁ ଅଲୋଡା ମଣିଛନ୍ତି । ଯେଉଁ ବାପା ଦିନେ ରକ୍ତକୁ ପାଣି କରି ଖୁଆଇ ପିଆଇ ମଣିଷ କରିଥିଲେ, ଆଜି ତାଙ୍କୁ ପଚାରୁନାହାଁନ୍ତି । 

ହେଲେ ଏତିକିରେ ସରିନି କାହାଣୀ । ହାରିନାହାଁନ୍ତି ସଦାନନ୍ଦ । ଆଗ ଭଳି ବୟସ ସିନା ନାହିଁ, ହେଲେ ସ୍ତ୍ରୀକୁ ମୁଠାଏ ଖାଇବାକୁ ଦେବା ପାଇଁ ସଦାନନ୍ଦଙ୍କ ପାଖରେ ଆତ୍ମବିଶ୍ୱାସ ରହିଛି । ଖରା ହେଉ କି ବର୍ଷା, ସବୁ ଦିନ ସକାଳୁ ମୁଠେ ପଖାଳ ଖାଇ ପୁରୁଣା ଖବର କାଗଜ ସଂଗ୍ରହ କରିବାକୁ ବାହାରି ପଡ଼ନ୍ତି । ଦିନ ବଢ଼ିବା ସହ ସଦାନନ୍ଦଙ୍କ ସାଇକେଲ ଚକ ମଧ୍ୟ ଆଗକୁ ବଢ଼େ । ଘର ଘର ବୁଲି ପୁରୁଣା ଖବର କାଗଜ ଏବଂ ଅନ୍ୟନ୍ୟ ଅଦରକାରୀ କାଗଜପତ୍ର କିଣିଥାନ୍ତି ସଦାନନ୍ଦ । ଆଉ ସେସବୁକୁ ଗୋଦାମରେ ବିକ୍ରି କରି ଘରକୁ ଫେରନ୍ତି । ଦିନଯାକ ପରିଶ୍ରମ କଲେ ୨ଶହ ରୁ ୩ଶହ ଟଙ୍କା ରୋଜଗାର ହୁଏ । ଆଉ ସେତିକିକି ଚଳେ ସଦାନନ୍ଦଙ୍କ ତେଲ ଲୁଣର ସଂସାର । 

fallback

ଏବେ ବୃଦ୍ଧ ହେଲେଣି । ଅଧିକ ଗାଁ ଯାଇପାରୁନାହାଁନ୍ତି । ଅଧିକ ମାତ୍ରାରେ ଖବର କାଗଜ ସଂଗ୍ରହ କରିବା ମୁସକିଲ ହୋଇପଡ଼ୁଛି । ହେଲେ ଏତିକିରେ ଯାହା ରୋଜଗାର ହୁଏ, ସ୍ତ୍ରୀ ସହ ଶାଗ ପଖାଳ ଖାଇ ଦିନ କାଟୁଛନ୍ତି । ପୁଅମାନେ ସିନା ପଚାରିଲେ ନାହିଁ, ମାତ୍ର ଦିବ୍ୟାଙ୍ଗ ବାପ ହାର ମାନିନି । ହାତ ଗୋଡ଼ ଥାଇ ରାସ୍ତା କଡ଼ରେ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କ ପାଇଁ ଏକ ଆହ୍ୱାନ ସଦାନନ୍ଦ । ନିଜେ କିଛି ନକରି ସରକାରୀ ସହାୟତାକୁ ଅପେକ୍ଷା କରୁଥିବା ଲୋକେ ଅନ୍ତତଃ ସଦାନନ୍ଦଙ୍କ ଠାରୁ ବହୁ କିଛି ଶିଖିବାର ଆବଶ୍ୟକତା ରହିଛି । ହାତ ଗୋଡ଼ ଥାଇ ସମାଜ ପାଇଁ ବୋଝ ପାଲଟିଥିବା ଲୋକଙ୍କ ପାଇଁ ସଦାନନ୍ଦ ଏକ ଶକ୍ତ ଚାପୁଡ଼ା । ଆଉ ବୟସର ଅପରାହ୍ନରେ ବାପା ମାଆଙ୍କୁ ପଚାରୁନଥିବା ସେ ପୁଅ ବୋହୂ ଅନ୍ତତଃ ଏ କାହାଣୀକୁ କିଛି ଶିଖିବା ଦରକାର । 

;