ବ୍ରହ୍ମପୁର ସୁନା ବଜାରରେ ଛନକା

ବ୍ରହ୍ମପୁର ସୁନା ବ୍ୟବସାୟୀଙ୍କ ଉପରେ ଏବେ ସରକାରଙ୍କ କଡା ନଡର  

ବ୍ରହ୍ମପୁର ସୁନା ବଜାରରେ ଛନକା
ବ୍ରହ୍ମପୁର ସୁନା ବ୍ୟବସାୟୀଙ୍କ ଉପରେ ଏବେ ସରକାରଙ୍କ କଡା ନଡର

ଜିନୁ ଜେନା, ବ୍ରହ୍ମପୁର: ବ୍ରହ୍ମପୁର ସୁନା ବ୍ୟବସାୟୀଙ୍କ ଉପରେ ଏବେ ସରକାରଙ୍କ କଡା ନଡର । ଦକ୍ଷିଣ ଓଡ଼ିଶାର ସର୍ବବୃହତ ବ୍ରହ୍ମପୁର ସୁନା ବଜାର ଓ ଭୁବନେଶ୍ୱର ସୁନା ବଜାର ଉପରେ କେତେ ଥର ଚଢାଉ ହୋଇଛି ତାର ରିପୋର୍ଟ ତଲବ କରିବା ଲାଗି ନିର୍ଦେଶ ଦେବା ପରେ ଏବେ ଆରମ୍ଭ ହୋଇଛି ଧରପଗଡ । ହୋଲଗ୍ରାମ ସୁନା ବିକ୍ରି ଓ ଓଜନ ଉପରେ ଠକେଇ ହେଉଥିବା ନେଇ ଅନେକ ସମୟରେ ଅଭିଯୋଗ ଆସୁଥିବା ବେଳେ ବିଧାନ ସଭାରେ ଉଠିଥିବା ପ୍ରସଙ୍ଗ ବ୍ୟବସାୟୀଙ୍କୁ ହରଡ଼ଘଣାରେ ପକାଇଛି । ସେପଟେ କିଛି ମୁନାଫାଖୋର ବ୍ୟବସାୟୀଙ୍କ ଯୋଗୁଁ ପୂରା ବଜାର ବଦନାମ ହେବାକୁ ପଡୁଥିବା ବେଲେ ଯେକେହି ବି ଖିଲାପ କରୁଥିବ ସେ ଦଣ୍ଡ ପାଇବା ଦରକାର ବୋଲି କହିଛନ୍ତି ସୁନା ବ୍ୟବସାୟ ସଂଘ ସଭାପତି ପି ସତ୍ୟ ନାରାୟଣ ସେନାପତି ଽ

ଗୋଟିଏ ପଟେ ସୁନା ବ୍ୟବସାୟୀଙ୍କ ଉପରେ କଡା ନଜର ରଖିବା ଲାଗି ସାଧାରଣରେ ଦାବି ହୋଇଥିବା ବେଳେ ଓଜନ ମାପ ବିଭାଗ ସର୍ବଦା ସଜାଗ ରହିଥିବା ସୂଚନା ଦେଇଛି । କର୍ମଚାରୀଙ୍କ ଅଭାବ ସତ୍ତ୍ୱେ ଜିଲ୍ଲାରେ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ସହାୟତାରେ ଚଢାଉ କରାଯାଇ ନିୟମ ଖିଲାପକାରୀଙ୍କ ଠାରୁ ଫାଇନ୍ ମଧ୍ୟ ଆଦାୟ କରାଯାଉଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ଅଧିକ ଥର ବଜାର ଉପରେ ଚଢାଉ କରିବା ସହ ସର୍ବାଧିକ ଫାଇନ ଆଦାୟ କରାଯାଇଥିବା ଓଜନ ମାପ ବିଭାଗର ଅଧିକାରୀ ଦାବି କରିଛନ୍ତି ।            

ପୂର୍ବବର୍ଷ ଗୁଡ଼ିକୁ ଯଦି ନଜରକୁ ନିଆଯାଏ ତେବେ ୨୦୧୭-୧୮ ମସିହାରେ ଜିଲ୍ଲାରେ ସୁନା ବଜାର ଉପେରେ ଚଢାଉ କରାଯାଇ ୮୧ଟି ମାମଲା ରୁଜୁ କରାଯାଇଥିବା ବେଳେ ୨,୫୨,୫୦୦ ଟଙ୍କା ଫାଇନ୍ ଆଦାୟ କରାଯାଇଛି । ସେହିପରି ୨୦୧୮-୧୯ ମସିହାରେ ୮୦ଟି ମାମଲା ରୁଜୁ ହୋଇଥିବା ବେଳେ ୨,୨୬, ୮୦୦ ଟଙ୍କା ଫାଇନ୍ ଆଦାୟ କରାଯାଇଥିଲା । ୨୦୧୯ ମାସ ନଭେମ୍ବର ସୁଦ୍ଧା ୪୯ଟି ମାମଲା ରୁଜୁ ହୋଇ ସାରିଥିବା ବେଳେ ୨, ୧୦, ୦୦୦ ଟଙ୍କା ଫାଇନ୍ ଆଦାୟ ହୋଇଛି । ସରକାରୀ ନିୟମର ଖିଲାପ କରୁଥିବା ବ୍ୟବସାୟୀଙ୍କ ଠାରୁ ଏହି ଫାଇନ ଆଦାୟ କରାଯାଇଥିବା ବେଳେ କଳା ବଜାରି ଉପରେ କଡ଼ା ନଜର ରଖାଯାଉଥିବା ଓଜନ ମାପ ବିଭାଗ ପକ୍ଷରୁ ସୂଚନା ମିଳିଛି । ତଥାପି ଗ୍ରାହକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅଭିଯୋଗ ମୁତାବକ ବଜାର ଉପରେ ରେଡ୍ କରାଯିବା ସହ ମୁନାଫାଖୋର ବ୍ୟବସାୟୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି । ଏବେ କେବଳ ଅପେକ୍ଷା ଆଗାମୀ ଦିନରେ ବଜାରରେ କେତେ ସଚ୍ଚୋଟ କାରବାର ହେଉଛି ଆଉ ଗ୍ରାହକ କେତେ ସଚେତନ ହେଉଛନ୍ତି ଽ