ବ୍ରହ୍ମପୁରରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚକାଜାମ ଡାକରା
Advertisement

ବ୍ରହ୍ମପୁରରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚକାଜାମ ଡାକରା

ବ୍ରହ୍ମପୁର ସିଟି ବସଷ୍ଟାଣ୍ଡର ସମସ୍ତ ବସକୁ ହଳଦିଆପଦର ନୂତନ ବସ ଟର୍ମିନାଲକୁ ସ୍ଥାନାନ୍ତର କରିବା ଲାଗି ପ୍ରଶାସନ ପକ୍ଷରୁ ନିଆଯାଇଥିବା ନିଷ୍ପତିକୁ ଅସ୍ୱିକାର କରିଛି ଘରୋଇ ବସ ମାଲିକ ସଙ୍ଘ । ପ୍ରଶାସନକୁ ଅସହଯୋଗ କରି ଆଜି ଚକାଜାମ ଡାକରା ଦେଇଛି ବସ ମାଲିକ ସଙ୍ଘ

berhampur bus strike

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ବ୍ରହ୍ମପୁର ସିଟି ବସଷ୍ଟାଣ୍ଡର ସମସ୍ତ ବସକୁ ହଳଦିଆପଦର ନୂତନ ବସ ଟର୍ମିନାଲକୁ ସ୍ଥାନାନ୍ତର କରିବା ଲାଗି ପ୍ରଶାସନ ପକ୍ଷରୁ ନିଆଯାଇଥିବା ନିଷ୍ପତିକୁ ଅସ୍ୱିକାର କରିଛି ଘରୋଇ ବସ ମାଲିକ ସଙ୍ଘ । ପ୍ରଶାସନକୁ ଅସହଯୋଗ କରି ଆଜି ଚକାଜାମ ଡାକରା ଦେଇଥିବା ବେଳେ ଜିଲ୍ଲାର ସମସ୍ତ ଅଞ୍ଚଳକୁ ଘରୋଇ ବସ ଚଳାଚଳ ବନ୍ଦ କରାଯାଇଛି । ଯାହା ଫଳରେ ଆଜି ହଜାର ହଜାର ଯାତ୍ରୀ ବସଷ୍ଟାଣ୍ଡରେ ଘଣ୍ଟାଘଣ୍ଟା ଅପେକ୍ଷା କରିବା ସହ ହନ୍ତସନ୍ତ ହୋଇଥିବା ଦେଖିବାକୁ ମିଳିଛି । ସେପଟେ ଯାତ୍ରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ବିଡିଏ ଅଧକ୍ଷ ।

ପ୍ରଶାସନର ନିଷ୍ପତିକୁ ଘରୋଇ ବସ ମାଲିକ ସଙ୍ଘ ବିରୋଧ କରିଛନ୍ତି । ବାରମ୍ବାର ଆଲୋଚନା ସତ୍ତ୍ୱେ ସମାଧାନର ବାଟ ଫିଟି ନ ଥିଲା । ଶେଷରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚକାଜାମର ଡାକରା ଦେଇଛି ବସ ମାଲିକ ସଙ୍ଘ । ହଟହଟା ହେଲେ ହଜାର ହଜାର ଯାତ୍ରୀ । ଆଜି ସକାଳୁ ସକାଳୁ ବ୍ରହ୍ମପୁର ସିଟି ବଷ୍ଟାଣ୍ଡରେ ଦେଖା ଦେଇଥିଲା ଏଭଳି ଅଚଳ ଅବସ୍ଥା । ପୂର୍ବ ନିଷ୍ପତି ମୁତାବକ ସିଟିବଷ୍ଟାଣ୍ଡର ପୂର୍ଣ୍ଣ ଉଦ୍ଧାର କାର୍ଯ୍ୟ ବିଡିଏ ପକ୍ଷରୁ ଆରମ୍ଭ ହୋଇଥିବା ବେଳେ ୨ ମାସ ପର୍ଯ଼୍ୟନ୍ତ ସହର ମଧ୍ୟରେ ଚଳାଚଳ କରୁଥିବା ସମସ୍ତ ବସକୁ ହଳଦିଆ ପଦର ବସ ଟର୍ମିନାଲକୁ ସ୍ଥାନାନ୍ତର କରିବା ଲାଗି ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆ ଯାଇଥିଲା । ଏ ନେଇ ଗତକାଲି ମିଳିତ ବୈଠକ ବସିଥିବା ବେଳେ କୌଣସି ସମାଧାନର ବାଟ ଫିଟି ପାରି ନ ଥିବା ହେତୁ ସଙ୍ଘର ନିଷ୍ପତି ଅନୁସାରେ ଆଜି ସକାଳୁ ସକାଳୁ ଚକାଜାମର ଡାକରା ଦେଇ ନିଜ ନିଜ ବସକୁ ଘର ସମ୍ମୁଖରେ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ଆନୁସଙ୍ଗିକ ସୁବିଧା ନ ମିଳିବା ପର୍ଯ଼୍ୟନ୍ତ ନୂତନ ବସ ଟର୍ମିନାଲକୁ ବସ କଦାପି ନେବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛି ସଙ୍ଘ ।

ବ୍ରହ୍ମପୁର ସିଟି ବଷ୍ଟାଣ୍ଡ ପରିସରରୁ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଚାରି ସହରୁ ଉର୍ଦ୍ଧ ଘରୋଇ ବସ ଚଳା ଚଳ କରୁଥିବା ବେଳେ ଆଜି ସମସ୍ତ ବସ ଛିଡା ହୋଇ ରହିଛି । ଯାହା ଫଳରେ ଯାତ୍ରୀମାନେ ନାନା ସମସ୍ୟାର ସମ୍ମୁଖିନ ହୋଇଛନ୍ତି । ପ୍ରଶାସନ ଓ ବସ ମାଲିକ ସଙ୍ଘର ଛକାପଞ୍ଝା ଭିତରେ ଯ଼ାତ୍ରୀ ହଟ ହଟା ହେଉଥିବା କିଛି ଯାତ୍ରୀ କହିଛନ୍ତି । ସେପଟେ ଅଣ ଓସାରିଆ ରାସ୍ତାରେ ଏତେ ପରିମାଣର ବସ ସହର ମଧ୍ୟରେ ଚଳାଚଳ କରିବା ଯୋଗୁଁ ଟ୍ରାଫିକ ସମସ୍ୟା ଉଦବେଗ ଜନକ ହୋଇ ପଡିଥିବା ବେଳେ ହଳଦିଆ ପଦାଠାରେ ୧୪ କୋଟି ଟଙ୍କା ଅଟକଳ ବ୍ୟୟରେ ୨୦୧୬ ମସିହାରେ ନୂତନ ବସ ଟର୍ମିନାଲ ନିର୍ମାଣ ହୋଇଥିଲା । ହେଲେ ବସ ମାଲିକଙ୍କ ମନମାନି ଯୋଗୁଁ ବର୍ଷବର୍ଷ ଧରି ନୂତନ ବସ ଟର୍ମିନାଲ ଟି ବନ୍ଦ ପଡି ଖତ ଖାଉଛି । ଏଭଳି ସ୍ଥିତିରେ ସିଟି ବସଷ୍ଟାଣ୍ଡର ମରାମତି ଓ ପୂର୍ଣ୍ଣ ଉଦ୍ଧାର କାମ ଆରମ୍ଭ ହୋଇଥିବା ବେଳେ ବସ ମାଲିକ ଏଥିରେ ସହଯୋଗ କରିବା ଲାଗି ପ୍ରଶାସନ ନିବେଦନ କରିଛି ।