ଅଟିଜମ୍ ଏଭଳି ଏକ ପରିସ୍ଥିତି ଯେଉଁଠି ଶିଶୁଟିଏ ତାହାର ମସ୍ତିଷ୍କକୁ ଠିକ ଭାବେ କାମ କରିପାରି ନ ଥାଏ ।
Trending Photos
)
ସରୋଜ ବେହେରା, ଭୁବନେଶ୍ୱର: ମହାରାଷ୍ଟ୍ର ପରେ ଓଡିଶାରେ ଥିବା ଜଣେ ଅଟିଜମ ଶିଶୁ ପାଇଁ ରାଜସ୍ଥାନରୁ ଆସିଛି ଓଟ କ୍ଷୀର । ଲକଡାଉନ୍ ବେଳେ ସ୍ୱତନ୍ତ୍ର ଭାବେ ଭାରତୀୟ ରେଳ ସହାୟତାରେ ଏଭଳି ସହାୟତା ବଢ଼ାଇବା ଏହା ହେଉଛି ଦ୍ୱିତୀୟ ଘଟଣା । ଭାରତୀୟ ରେଳ ରାଜସ୍ଥାନରୁ ଓଟ କ୍ଷୀର ଦିଲ୍ଲୀ ଦେଇ ଭୁବନେଶ୍ୱରରେ ପହଞ୍ଚାଇଥିବାରୁ ଶିଶୁଟିର ପରିବାର ଲୋକେ ବେଶ କୃତଜ୍ଞ ପ୍ରକାଶ କରିଛନ୍ତି । ଶିଶୁଟି ବ୍ରହ୍ମପୁରରେ ଥିବାରୁ ପରିବାର ଲୋକେ ଓଟ କ୍ଷୀରକୁ ନେଇ ସେଠାକୁ ବାହାରିଛନ୍ତି ।
ଅଟିଜମ୍ ଏଭଳି ଏକ ପରିସ୍ଥିତି ଯେଉଁଠି ଶିଶୁଟିଏ ତାହାର ମସ୍ତିଷ୍କକୁ ଠିକ ଭାବେ କାମ କରିପାରି ନ ଥାଏ । ଏ ସମୟରେ ସେ ଖାଇବା ମଧ୍ୟ ଠିକ୍ ଭାବେ ଜାଣିପାରି ନ ଥାଏ । ଅଟିଜମ୍ ଶିଶୁମାନଙ୍କ ପାଇଁ ଓଟ କ୍ଷୀର ସବୁଠୁ ସହାୟକ ହୋଇଥାଏ । ହେଲେ କରୋନା ପାଇଁ ସବୁ ଆଡ଼େ ଲକଡାଉନ୍ ଥିବା ବେଳେ ଭାରତୀୟ ରେଳ ଏଭଳି ଶିଶୁକୁ ଖାଦ୍ୟ ଯୋଗାଇ ଦେବା ପାଇଁ ସହଯୋଗର ହାତ ବଢାଇଛି । ସ୍ୱତନ୍ତ୍ର ରେଳ ଯୋଗେ ରାଜସ୍ଥାନରୁ ଓଟ କ୍ଷୀର କଲିକତା ଦେଇ ଭୁବନେଶ୍ୱରରେ ପହଞ୍ଚିଛି । ଏଥିପାଇଁ ୨ ଦିନ ଧରି କ୍ଷୀରକୁ ସ୍ୱତନ୍ତ୍ର ପ୍ୟାକେଜିଂ କରି ଭୁବନେଶ୍ୱରରେ ପହଞ୍ଚାଇଛି ଭାରତୀୟ ରେଳବାଇ । ବ୍ରହ୍ମପୁରରେ ରହୁଥିବା ଏହି ୩ ବର୍ଷର ଶିଶୁ ପାଇଁ ଏହି କ୍ଷୀର ଅମୃତ ସଦୃସ୍ୟ ହୋଇଛି ।
ଅଟିଜମ୍ ଶିଶୁ ପାଇଁ ଓଟ କ୍ଷୀର ସହାୟକ ବୋଲି ଆମେରିକାର ଡାକ୍ତର କହିବା ପରେ ପରିବାର ଲୋକେ ରାଜସ୍ଥାନର ଓଟ କ୍ଷୀର ସପ୍ଲାଏ କରୁଥିବା ସଂସ୍ଥା ସହ ଯୋଗାଯୋଗ କରିଥିଲେ । ହେଲେ ଲକଡାଉନ୍ ବେଳେ ଏହାକୁ ଓଡିଶା ଆଣିବା କାଠିକର ପାଠ ହୋଇଥିଲା । ଏଥିପାଇଁ ପରିବାର ଲୋକେ ବ୍ରହ୍ମପୁର ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରିଥିଲେ । ଶିଶୁର ଆବଶ୍ୟକତାକୁ ନଜରରେ ରଖି ବ୍ରହ୍ମପୁର ଜିଲ୍ଲା ପ୍ରାଶାସନ ରେଳ ବିଭାଗ ସହ ଆଲୋଚନା କରି କ୍ଷୀରକୁ ଓଡିଶା ଆଣିବାକୁ ବ୍ୟବସ୍ଥା କରିଛନ୍ତି । ମହାରାଷ୍ଟ୍ର ପରେ ଦେଶରେ ଏଭଳି ସ୍ୱତନ୍ତ୍ର ବ୍ୟବସ୍ଥା କରି ଓଟ କ୍ଷୀର ଆଣିବା ଏହା ହେଉଛି ଦ୍ୱିତୀୟ ଘଟଣା । ୨ ଦିନ ମଧ୍ୟରେ ରାଜସ୍ଥାନରୁ ସ୍ୱତନ୍ତ୍ର ଟ୍ରେନରେ କ୍ଷୀର ଆସିଥିବାରୁ ପରିବାର ଲୋକେ ସହଜରେ ଏହାକୁ ବିଶ୍ୱାସ କରିପାରୁନାହାନ୍ତି । ଚାରିଆଡେ ଲକଡାଉନ୍ ଥିବା ବେଳେ ଶିଶୁ ପାଇଁ ସ୍ୱତନ୍ତ୍ର ଟ୍ରେନରେ ରାଜସ୍ଥାନରେ ଓଡିଶାକୁ କ୍ଷୀର ଆସିବା ଚମତ୍କାର ବୋଲି କହିଛନ୍ତି ଶିଶୁଙ୍କ ମାମୁଁ ଚନ୍ଦନ ଆଚାର୍ଯ୍ୟ ।
୧୦ ଲିଟର କ୍ଷୀର ଆଣିବା ପାଇଁ ରେଳବାଇ କର୍ତୃପକ୍ଷ ମଧ୍ୟ ତତ୍ପରତା ପ୍ରକାଶ କରିଥିଲେ । ଲକଡାଉନ୍ ଚାଲିଥିବା ବେଳେ ସ୍ୱତନ୍ତ୍ର ଏକ ବଗି କରି ଏହି କ୍ଷୀରକୁ ରାଜସ୍ଥାନରୁ ଦିଲ୍ଲୀ, ଦିଲ୍ଲୀରୁ କଲିକତା ଓ ପରେ ଭୁବନେଶ୍ୱରରେ ପହଞ୍ଚାଇଥିଲେ । କ୍ଷୀର ଖରାପ ନ ହେଉ ସେଥିପାଇଁ କଲିକତାରେ ଏହାକୁ ପୁଣି ଥରେ ପ୍ୟାକେଜିଂ କରାଯାଇଥିଲା । ଏଭଳିକି ରେଳବାଇର ଜଣେ ବରିଷ୍ଠ ଅଧିକାରୀଙ୍କୁ ଏଥିପାଇଁ ନିୟୋଜିତ କରାଯାଇଥିଲା ବୋଲି କହିଛନ୍ତି ଇଷ୍ଟକୋଷ୍ଟ ରେଳବାଇର ପାର୍ସଲ ମ୍ୟାନେଜର ଆରସି ବେହେରା ।