close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ତିତିଲିକୁ ପୂରିଲା ବର୍ଷେ ; ସେଦିନର କାଳରାତ୍ରୀ, ଅନେକ ସିଂହରଣ ସୃଷ୍ଟିକରେ....

ମନେପଡେ ସେହି କାଳ ରାତ୍ରୀ, ଯାହାକୁ ପୁରିଛି ଗୋଟିଏ ବର୍ଷ ଽ ଅକ୍ଟୋବର ୧୦ ତାରିଖ ବିଳମ୍ବିତ ରାତ୍ରୀରେ ତାଣ୍ଡବ ରଚିଥିଲା ମହାବାତ୍ୟା ତିତିଲି, ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା ଗଜପତି ଜିଲ୍ଲା । ତିତିଲିର ଗୋଟିଏ ବର୍ଷ ପରେ ପ୍ରଭାବିତ ଅଞ୍ଚଳରେ ସ୍ଥିତି ଏବେ ବି ସୁଧିରିନାହିଁ...

ତିତିଲିକୁ ପୂରିଲା ବର୍ଷେ ; ସେଦିନର କାଳରାତ୍ରୀ, ଅନେକ ସିଂହରଣ ସୃଷ୍ଟିକରେ....

ଗଜପତି: ଦେଖୁ ଦେଖୁ ତିତିଲି ମହାବାତ୍ୟାକୁ ପୂରିଛି ଗୋଟିଏ ବର୍ଷ । ହେଲେ ଆଜିବି ପ୍ରକୃତିର ସେ ତାଣ୍ଡବ କଥା ମନେ ପଡ଼ିଲେ ଆଖି ଛଳ ଛଳ ହୋଇପଡୁଛି ଓ ଲୋମ ଟାଙ୍କୁରି ଉଠୁଛି । ସେଦିନ ହଠାତ୍ ମାଡି ଆସିଲା ଶହ ଶହ ବେଗରେ ପବନ ତା ସାଙ୍ଗକୁ ବାଦଲ ଫଟା ବର୍ଷା । ସତେ ଯେମିତି ଇନ୍ଦ୍ରଦେବ ପ୍ରତିଶୋଧ ନେଉଛନ୍ତି ।  ଚାହୁଁ ଚାହୁଁ ଘର ଦ୍ୱାର ସବୁ ଛାରଖାର ହୋଇଗଲା । ଜୀବନ ବଞ୍ଚାଇବା ପାଇଁ ପାହାଡ ଗୁମ୍ଫାର କୋରଡ ଭିତରେ ଆଶ୍ରୟ ନେଇଥିଲେ ଲୋକେ । ହେଲେ ପାହାଡ ଧସି, ପଥର ତଳେ ଚାପି ହୋଇ ଓ ପାଣିରେ ଭାସିଯାଇ ଅନେକ ଲୋକଙ୍କ ଜୀବନ ଚାଲିଯାଇଥିଲା । ଏଥିରେ ଅନେକ ଲୋକଙ୍କର ଘରଦ୍ୱାର ଉଜୁଡି ଯିବା ସହ ସର୍ବହରା ହୋଇଗଲେ ଲୋକେ । 

ତିତିଲି ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା ଗଜପତି ଜିଲ୍ଲା ରାୟଗଡ଼ ବ୍ଳକର ଗଙ୍ଗାବାଡ ଓ କଇଁପୁର ପଞ୍ଚାୟତ । ଯାହାକି ମହେନ୍ଦ୍ରଗିରି ପାହାଡ଼ ଅଞ୍ଚଳରେ ଅବସ୍ଥିତ । କହିବାକୁ ଗଲେ ମହେନ୍ଦ୍ରଗିରି ପାହାଡ଼ର ଭୌଗୋଳିକ ସ୍ଥିତିକୁ ବଦଳାଇ ଦେଇଥିଲା ତିତିଲି । ପରବର୍ତ୍ତୀ ସମୟରେ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଇ ସ୍ଥିତିରେ ସୁଧାର ଆଣିବାକୁ ପ୍ରଚେଷ୍ଟା କରିଛନ୍ତି। ପ୍ରତିଶୃତି ଅନୁସାରେ ସରକାର ସମସ୍ତ ୪୮ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବା ସହ ସମସ୍ତ ୧୧ ଅନାଥ ପିଲାଙ୍କୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରି ଲାଳନ ପାଳନ କରୁଛନ୍ତି । ବାସହରା ହୋଇଥିବା ସମସ୍ତ ପରିବାରକୁ ଗୃହ ଯୋଗାଇଦେବା ସହ ଉଜୁଡିଥିବା ଚାଷବାସ ଓ ଜୀବନ ଜୀବୀକାର ସମସ୍ତ ବ୍ୟବସ୍ଥା ସରକାର କରିଛନ୍ତି । 

ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରି ଅଞ୍ଚଳର ବିକାଶ ଲାଗି ପ୍ରଚେଷ୍ଟା ଜାରି ରହିଛି । ଉଭୟ ସରକାରଙ୍କର ବରିଷ୍ଠ ଅଧିକାରୀ ଅଞ୍ଚଳ ଗସ୍ତ ପରେ ପାହାଡ ଶିଖରରୁ ସୁରକ୍ଷିତ ସ୍ଥାନରେ ନୂତନ ଗ୍ରାମ ଗଢି ଉଠିଥିବା ଦେଖିବାକୁ ମିଳିଛି । ସମସ୍ତ ଗ୍ରାମବାସୀଙ୍କୁ ସ୍ଥାନାନ୍ତର କରାଯାଇଛି। ପ୍ରଭାବିତ ଅଞ୍ଚଳରେ ସ୍ଥିତିରେ ସୁଧାର ଆସିଛି ସତ, ତଥାପି ବିକଶିତ ହେବା ପାଇଁ ଏବେବି ଅନେକ କାର୍ଯ୍ୟ ବାକି ରହିଛି।

ଅଧିକାଂଶ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ପରେ ସରକାର ହେଉ କିମ୍ବା ପ୍ରଶାସନ ପ୍ରତିଶ୍ରୁତି ଦେଇ ଭୁଲି ଯାଆନ୍ତି, ହେଲେ ଏହି ଘଟଣାର ମୁକାବିଲା କରି ସରକାର ପ୍ରଶଂସା ସାଉଁଟୁଛନ୍ତି ନିଶ୍ଚୟ। ସମସ୍ତଙ୍କୁ ପ୍ରତିଶ୍ରୁତି ଦେବା ସହ ସେମାନଙ୍କ ପାଇଁ ଅନେକ ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି । ଯାହାପାଇଁ ସେମାନେ ବହୁ ଖୁସି ଅଛନ୍ତି ସତ, କିନ୍ତୁ ନିଜର ହରାଇଥିବା ପରିବାର ସଦସ୍ୟକୁ ଫେରିପାଇବା ସମ୍ଭବ ନୁହେଁ । ତେଣୁ ମନରେ ଦୁଃଖ ମଧ୍ୟ ରହିଛି, ଯାହା ସବୁଦିନ ପାଇଁ ଅପୂରଣୀୟ ।