ଆଦର୍ଶ ବିବାହ: ଓଡ଼ିଆ ଦୃଷ୍ଟିହୀନ ଝିଅଙ୍କ ହାତ ଧରିଲେ ଆନ୍ଧ୍ର ବର
Advertisement

ଆଦର୍ଶ ବିବାହ: ଓଡ଼ିଆ ଦୃଷ୍ଟିହୀନ ଝିଅଙ୍କ ହାତ ଧରିଲେ ଆନ୍ଧ୍ର ବର

ଅସହାୟକୁ ମିଳିଲା ସାହା, ଓଡ଼ିଆ ଦୃଷ୍ଟିହୀନ ଝିଅଙ୍କ ହାତ ଧରିଲେ ଆନ୍ଧ୍ର ବର

ଦିବ୍ୟାଙ୍ଗକୁ ସାହା ହେଲେ ଆନ୍ଧ୍ରପ୍ରଦେଶ ବର

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଘରକୁ ବହୁଟିଏ ଆଣିବାକୁ ହେଲେ ପରିବାରରେ ଅନେକ ଖୋଜା ପଡିଥାଏ । କନ୍ୟାର ସୁନ୍ଦର ଗଢ଼ଣ ସାଙ୍ଗକୁ କେତେ କଣ ଖୋଜିଥାନ୍ତି ବର ଘର ଲୋକେ । ଯାହା ଫଳରେ ସାଂସାରିକ ଜୀବନରେ ବାନ୍ଧି ହେବା ପୁର୍ବରୁ ଅନେକ ସ୍ଥାନରେ ଅଲୋଡା ହୋଇଯାନ୍ତି ଦୃଷ୍ଟିହୀନ ବାଳିକା ମାନେ । ଆଉ ପରିବାର ଲୋକଙ୍କ ପାଇଁ ଯେମିତି ସର୍ବଦା ପାଲଟି ଯାଆନ୍ତି ବୋଝ । ଏଭଳି କିଛି ଚିନ୍ତାଧାରା ଠାରୁ ସାମାନ୍ୟ ବ୍ୟତିକ୍ରମର ଉଦାହରଣ ଦେଖିବାକୁ ମିଳିଛି ବ୍ରହ୍ମପୁର ସହରରେ । ଜଣେ ଦୃଷ୍ଟିହୀନ ଯୁବତୀଙ୍କୁ ଜୀବନ ସାଥି କରିବା ଲାଗି ମନସ୍ଥ କରିବା ସହ ଭବିଷ୍ୟତରେ ଆଶାବାଡି ହେବା ଲାଗି ବାଛିଛନ୍ତି ଆନ୍ଧ୍ର ପ୍ରଦେଶ ତିରୁପତି ଅଞ୍ଚଳର ଜଣେ ଯୁବକ ଜାହା କି ସମାଜ ପାଇଁ ଏକ ବିରଳ ଉଦାହରଣ । 

ବୈଦିକ ରିତିନୀତିରେ ଚାଲିଛି ବିବାହ ଉତ୍ସବ । ବନ୍ଧୁ ବାନ୍ଧବଙ୍କ ଗହଳି ଚଳି ଭିତରେ ଦେଖିବାକୁ ମିଳିଛି ବେଶ ଖୁସିର ମାହୋଲ । ବର କନ୍ୟା ମଧ୍ୟ ଜନ୍ମ ଜନ୍ମାନ୍ତର ମନଲାଖି ସାଥିଟିଏକୁ ଆପଣାଇ ବେସ ଖୁସି । ବିବାହ ଉତ୍ସବକୁ ଯୋଗ ଦେବାକୁ ଆସିଥିବା ଅତିଥି ମଧ୍ୟ ନବ ଦମ୍ପତିଙ୍କୁ ହୃଦୟ ଆଶିର୍ବାଦ କରିବା ସହ ଘୁରି ଘୁରି ପ୍ରସଂଶା କରୁଛନ୍ତି । ହେଲେ ସାଧାରଣ ବିବାହ ଠାରୁ ଏହାଥିଲା ଟିକିଏ ନିଆରା । କାରଣ  କନ୍ୟା ବେଶରେ ସଜେଇ ହୋଇ ବସିଥିବା ଯୁବତୀ ଜଣଙ୍କ ହେଉଛନ୍ତି ଜଣେ ଦୃଷ୍ଟିହୀନ । ବ୍ରହ୍ମପୁର ସହରରେ ଦେଖିବାକୁ ମିଳିଥିଲା ଏଭଳି ଏକ ବିରଳ ବାହାଘର । ଦୃଷ୍ଟି ହୀନ ଝିଅମାନଙ୍କ ବିବାହରେ ଅନେକ ପ୍ରତିବନ୍ଧକ ଦେଖା ଦେଉଥିବା ବେଳେ ଏହାର ବ୍ୟତିକ୍ରମ ସ୍ୱରୂପ ଦୃଷ୍ଟିହୀନ ସୌମ୍ୟାଙ୍କ ହାତ ଧରିଛନ୍ତି ଆନ୍ଧ୍ରପ୍ରଦେଶର ତିରୁପତି ଅଞ୍ଚଳର ମଦନମୋହନ । ସର୍ବଦା  ଅସହାୟଙ୍କୁ ସାହାଯ୍ୟ କରିବାର ଲକ୍ଷ ହିଁ ତାଙ୍କୁ ଦେଖାଇଛି ନୂଆଁ ଦିଶା । ଜଣେ ଦୃଷ୍ଟିହୀନ ଯୁବତୀ ଜାଣି ମଧ୍ୟ ତାଙ୍କ ଭବିଷ୍ୟତର ଆଶା ବାଡି ସାଜିବା ଲକ୍ଷରେ ଜୀବନ ସାଥି ଭାବେ ଗ୍ରହଣ କରିଛନ୍ତି । ଏଭଳି ଜଣେ ଅସହାୟଙ୍କୁ ସାହାରା ସାଜିବା ସହ ବିବାହକୁ ନେଇ ବେସ ଖୁସି ଥିବା କହିଛନ୍ତି ମଦନମୋହନ ଓ ତାଙ୍କ ପରିବାର । ସେପଟେ ସ୍ୱାମୀଙ୍କ ଚିନ୍ତାଧାରା ସମାଜ ପାଇଁ ଏକ ନିଆରା ବାର୍ତ୍ତା କହିଛନ୍ତି ସୌମ୍ୟା ।

fallback

ବ୍ରହ୍ମପୁର ସହର ଗେଟ୍‌ବଜାର ରାଧାକ୍ରିଷ୍ଣ ସାହିର ଜି.ଏଲ୍‌.ଏନ୍‌ ସ୍ୱାମୀ ଶେଖରଙ୍କ ସାନ ଝିଅ ସୌମ୍ୟା । ଜନ୍ମରୁ ଜଣେ ସାଧାରଣ ମଣିଷ । ହେଲେ ୧୪ ବର୍ଷ ବୟସରେ ତାଙ୍କ ଭବିଷ୍ୟତରେ ଛାଇଗଲା କଳା ବାଦଲ । ମସ୍ତିଷ୍କ ମ୍ୟାଲେରିଆରେ ଆକ୍ରାନ୍ତ ସୌମ୍ୟା ହରାଇଥିଲେ ଦୃଷ୍ଟିଶକ୍ତି । ଝିଅ ବଡ଼ ହେବା ସଙ୍ଗେ ସଙ୍ଗେ ଚିନ୍ତା ବଢ଼ୁଥିଲା ପରିବାର ଲୋକଙ୍କର । ପରିଣତ ବୟସରେ କିଏ ସାହା ହେବ, ଏହା ଭାବି ସୌମ୍ୟା ମଧ୍ୟ ଭାଙ୍ଗି ପଡିଥିଲେ। । ଏଭଳି ସ୍ଥିତିରେ ଜଣେ ସମ୍ପର୍କିୟଙ୍କ ଜରିଆରେ ସୌମ୍ୟାଙ୍କ ବିବାହ ପ୍ରସ୍ତାବ ପହଞ୍ଚିଥିଲା ଆନ୍ଧ୍ର ପ୍ରଦେଶ ତିରୁପତି ଅଞ୍ଚଳର ମଦନମୋହନ ନିକଟରେ । ଦୃଷ୍ଟିହୀନତା ସଂପର୍କରେ ଜାଣି ମଧ୍ୟ ଏହାକୁ ଅତି ସକାରାମତ୍କ ଭାବେ ଗ୍ରହଣକରି ମଦନ ବିବାହ ପାଇଁ ରାଜି ହୋଇଯାଇଥିଲେ । ଏପରିକି ବିନା ଯୌତୁକରେ ବିବାହ ବନ୍ଧନରେ ବାନ୍ଧି ହେବା ଲାଗି ନିଷ୍ପତ୍ତି ନେଇଥିବା ମଦନମୋହନଙ୍କ ଚିନ୍ତା ଧାରାକୁ ବେଶ ପ୍ରସଂଶା କରିଛନ୍ତି ସୌମ୍ୟାଙ୍କ ପରିବାର ଓ ସହରର ବୁଦ୍ଧିଜୀବି ।

ସେମାନେ ଦୁନିଆର ଆଲୋକକୁ ଦେଖି ପାରନ୍ତି ନାହିଁ ସତ । ତଥାପି ସାଧାରଣ ଲୋକଙ୍କ ଭଳି ସମାଜରେ ବଞ୍ଚିବାର ମନରେ ରହିଥାଏ ଅନେକ ଆଶା । ସାଂସାରିକ ଜୀବନରେ ବାନ୍ଧି ହୋଇ ଆଗକୁ ବଢିବାର ରହିଥାଏ ଅନେକ ସ୍ୱପ୍ନ । ହେଲେ ଦୃଷ୍ଟିହୀନ କାରଣରୁ ଯେମିତି ସେମାନେ ହୋଇଯାନ୍ତି ଅଲୋଡା । ଏଭଳି ଜଣେ ଦୃଷ୍ଟି ହୀନ ଯୁବତୀଙ୍କୁ ବିବାହ କରି ଜୀବନ ସାଥି ଭାବେ ବାଛି ନେଇଥିବା ମଦନମୋହନଙ୍କ ନିଷ୍ପତ୍ତି ସତରେ ପ୍ରସଂଶାନୀୟ ।