)
ବ୍ରହ୍ମପୁର: ଗ୍ରାମାଞ୍ଚଳରେ ରହିଥିବା ପାନୀୟ ଜଳ ସମସ୍ୟା ଉପରେ ପୂର୍ଣ୍ଣଛେଦ ପକାଇବା ଲାଗି ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ଏନେଇ ବସୁଧା ଯୋଜନା ମାଧ୍ୟମରେ ପ୍ରତ୍ୟେକ ଘରକୁ ପିଇବା ପାଣି ଯୋଗାଇ ଦେବା ଲାଗି ସରକାର ଘୋଷଣା କରିବା ସହ ଆବଶ୍ୟକୀୟ ଅନୁଦାନ ମଧ୍ୟ ପ୍ରଦାନ କରିଥିଲେ। ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମନମାନି କାରଣରୁ ଲୋକେ ପିଇବା ପାଣି ପାଇବା ପାଇଁ ଡହଳ ବିକଳ ହେଉଛନ୍ତି।
ଖରାଦିନ ଆରମ୍ଭରୁ ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ଦେଖିବାକୁ ମିଳିଲାଣି ଜଳକଷ୍ଟ। କେଉଁଠି ଲୋକେ ଟାୟାର ଜାଳି ରାସ୍ତା ରୋକ କରୁଛନ୍ତି, ଆଉ କେଉଁଠି ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି। ଏଭଳି ପରିସ୍ଥିତିରେ ବିଭାଗ କିନ୍ତୁ ନିଘୋଡ ନିଦ୍ରାରେ ଶୋଇଛି।
ପାନୀୟ ଜଳ ଯୋଗାଇବାକୁ ପାଣି ଟାଙ୍କି ରହିଛି ହେଲେ ପାଣି ନାହିଁ। ଘର ଦ୍ବାରରେ ପାଣି ପାଇପ୍ ସଂଯୋଗ ରହିଛି କିନ୍ତୁ ପାଣି ବଦଳରେ ଆସୁଛି ପବନ। ସରକାରୀ ରାଜକୋଷରୁ ବେଶ ମୋଟାସ ଅଙ୍କର ଟଙ୍କା ଖର୍ଚ୍ଚ କରାଯାଉଛି ହେଲେ ସବୁ ବର୍ବାଦ ହେଉଛି। ପାନୀୟ ଜଳ ସମସ୍ୟାର ସମାଧାନ କରିବା ଲାଗି ବାରମ୍ବାର ପ୍ରତିଶୃତି ମିଳୁଛି ହେଲେ ସବୁ ଫମ୍ପା। ଏଭଳି ଦୃଶ୍ୟ ଦେଖିବାକୁ ବ୍ରହ୍ମପୁର ସହର ଉପକଣ୍ଠସ୍ଥ ଲୋଚାପଡା ପଞ୍ଚାୟତରେ।
ଯଦିଓ ଏଠାକାର ଲୋକେ ସହରୀ ହେଲେ ଦୁର୍ଦ୍ଦଶା କିନ୍ତୁ ଗାଁ ଠାରୁ କଠିନ। ଗଞ୍ଜାମ ଜିଲ୍ଲା କୁକୁଡା ଖଣ୍ଡି ବ୍ଲକ ଅଧିନରେ ଥିବା ଲୋଚାପଡା ପଞ୍ଚାୟତର ବିଭିନ୍ନ ଅଞ୍ଚଳର ଲୋକଙ୍କ ଘର ଘରକୁ ପିଇବା ପାଣି ଯୋଗାଇ ଦେବା ଲାଗି ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ଏହାକୁ କାର୍ଯ୍ୟକାରୀ କରିବାକୁ ଯାଇ ସରକାରୀ ରାଜକୋଷରୁ ଲକ୍ଷାଧିକ ଟଙ୍କା ଅନୁଦାନ ଆସିବା ସହ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଜରିଆରେ ୬ଟି ଓଭର ବେଡ ଟ୍ୟାଙ୍କ ନିର୍ମାଣ ସହ ଘର ଘରକୁ ପାଇପ ସଂଯୋଗ କରାଯାଇଥିଲା।
ହେଲେ ପାଣି ମିଳିବା ଯେମିତି ସମସ୍ତଙ୍କ ଲାଗି ସାତ ସପନ ପାଲଟିଛି। ଏହି ସମସ୍ୟାର ସମାଧାନ ପାଇଁ ଅଞ୍ଚଳବାସୀ ବାରମ୍ବାର ସ୍ବର ଉଠାଇ ଆସୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଅବହେଳା କାରଣରୁ ଲୋକେ ପ୍ରତିବର୍ଷ ଏଭଳି ଅସୁବିଧା ଭୋଗୁଛନ୍ତି।
ଗଞ୍ଜାମ ଜିଲ୍ଲାରେ ଜଳ କଷ୍ଟ ଦୂର କରିବା ଲାଗି ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଜିଲ୍ଲାରେ ପାଣି ସମସ୍ୟା ଲାଗି ରହିଥି୍ବା ଗ୍ରାମକୁ ଚିହ୍ନଟ କରି ଭୂତଳ ଜଳ ଯୋଗାଣ ନିମନ୍ତେ ପଦକ୍ଷେପ ନେବା ଲାଗି ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ଦାୟିତ୍ୱ ମିଳିଛି। ବିଗତ ୨ ବର୍ଷ ମଧ୍ୟରେ ଚାଲଥିବା ଜିଲ୍ଲାର ୪୧ଟି ପ୍ରକଳ୍ପ ବର୍ତ୍ତମାନ ସୁଦ୍ଧା ଅଧପନ୍ତରିଆ ଅବସ୍ଥାରେ ପଡିରହିଛି। ବ୍ରହ୍ମପୁର ବିଭାଗ ଅଧିନରେ ଥିବା ୨୨ ପ୍ରକଳ୍ପର କାମ ସରିନଥିବା ବେଳେ ଭଞ୍ଜନଗର ଡିଭିଜନର ୧୯ଟି ପ୍ରକଳ୍ପ କାମ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସରିନାହିଁ।
ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ରହିଥିବା ମଧୁଚନ୍ଦ୍ରିକା କାରଣରୁ ଜିଲ୍ଲାର ଦିଗପହଣ୍ଡି, ଶେରଗଡ, ପାତ୍ରପୁର, ସାନଖେମୁଣ୍ଡି, ଖଲ୍ଲିକୋଟ, ପୁରୁଷୋତ୍ତମପୁର ଭଳି ବ୍ଲକରେ ପାଣି ସମସ୍ୟା ମୁଣ୍ଡ ଟେକିଲାଣି। ଏହାର ସମାଧାନ ଲାଗି ପଦକ୍ଷେପ ନିଆଯାଉଥିବା କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ।