)
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲିକୋଟ ବ୍ଲକ ଅଞ୍ଚଳରେ ମାତିଛନ୍ତି ଚିଙ୍ଗୁଡି ମାଫିଆ। ବେଆଇନ ଚିଙ୍ଗୁଡିଘେରିର କଳୁଷିତ କେମିକାଲ ଓ ଲୁଣା ପାଣି ଚାଷ ବିଲରେ ପଶୁଥିବା ହେତୁ ଉଜୁଡି ଯାଉଛି ଧାନଚାଷୀର ହଜାର ହଜାର ଏକର ଫସଲ। ହେଲେ ଏଥିପ୍ରତି ଯେମିତି କାହାରି ମଧ୍ୟ ନିଘା ନାହିଁ। କିଛି ପ୍ରଶାସନିକ ଅଧିକାରୀ ଓ ମାଫିଆଙ୍କ ମଧୁଚନ୍ଦ୍ରିକାରେ ବେଆଇନ ଘେରି ଦିନ କୁ ଦିନ ବଢି ଚାଲିଥିବା ବେଳେ ହଟହଟା ହେଉଛି ଚଷାପୁଅ। ବାରମ୍ଭାର ଚାଷୀକୁଳ ପକ୍ଷରୁ ବେଆଇନ ଘେରି ଉଛେଦ କରିବା ଲାଗି ଦାବି ହୋଇ ଆସୁଥିବା ବେଲେ ଆଖିରେ ଯେମିତି ଅନ୍ଧପୁଟଳି ବାନ୍ଧି ବସିଛନ୍ତି ପ୍ରଶାସନିକ ଅଧିକାରୀ। ଯାହା ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଲାଣି। ଏଭଳି ପରିସ୍ଥିତିରେ ଯଦି ସମସ୍ୟାର ଅତିଶିଘ୍ର ସମାଧାନ ନହୁଏ ତେବେ ଆଗାମୀ ଦିନରେ ଆଇନ କୁ ହାତକୁ ନେବେ ବୋଲି ପଣ କରିଛନ୍ତି ଗ୍ରାମବାସୀ।
ଧାନ ଚାଷୀ ବନାମ ଚିଙ୍ଗୁଡି ଚାଷୀ। ଚିଙ୍ଗୁଡି ଚାଷ ଉଜାଡି ଦେଉଛି ଧାନ ଫସଲ। ଅଭିଯୋଗ କଲେ ମାଫିଆ ଦେଖାଉଛନ୍ତି ନାଲିଆଖି। ସବୁ ଜାଣିସୁଣି ଆଖିରେ ଅନ୍ଧ ପୁଟଳି ବାନ୍ଧି ବସିଛନ୍ତି ପ୍ରଶାସନିକ ଅଧିକାରୀ। ଗଞ୍ଜାମ ଜିଲ୍ଲା କଲିକୋଟ ବ୍ଲକ ପଥରା ପଞ୍ଚାୟରେ ଚାଷୀଙ୍କ ଏଭଳି ବିକଳ ଅବସ୍ଥା। ଗତ କିଛି ମାସ ଧରି ବେଆଇନ ଓ ବେଧଡ଼କ ଭାବେ ଚାଲିଛି ପୁଳାପୁଳା ଚିଙ୍ଗୁଡି ଘେରି। ଚିଙ୍ଗୁଡି ଚାଷୀଙ୍କ କେମିକାଲ ଲୁଣା ପାଣି ଉଜାଡି ଦେଉଛି ଧାନଚାଷୀଙ୍କ ହେକ୍ଟର ହେକ୍ଟର ଫସଲ। ପଥରା ସମେତ, ଓଡିଆ ଆଲପୁର, ପାଲନ୍ତରା, ଓଡିଆସାହି, ଭେଜିପୁଟ ଭଳି ଗ୍ରାମର ପାଖାପାଖି ୮୦ ପ୍ରତିଶତ ଲୋକ ଧାନ ଚାଷ ଉପରେ ନିର୍ଭର କରୁଥିବା ବେଳେ ଚିଙ୍ଗୁଡି ଚାଷ ଉଜାଡି ଦେଉଛି ଚାଷୀର ଜୀବନ ଜୀବିକା। ଚିଙ୍ଗୁଡି ଘେରିରେ ବ୍ୟବାହାର ହେଉଥିବା କେମିକାଲ ପାଣି ଚାଷ ବିଲରେ ଜମି ରହୁଥିବା ହେତୁ ଧାନ ପ୍ରଭାବିତ ପ୍ରଭାବିତ ହେଉଛି। ଉପର ମୁଣ୍ଡରେ କେମିକାଲ ପାଣି ଜମି ରହୁଥିବା ହେତୁ ଦୁବ ଭି କଅଁଳୁନି। ଏପରିକି ରୋଗ ବ୍ୟାପିବା ଭଳି ଧୀରେଧୀରେ ତଳ ମୁଣ୍ଡର ଧାନ ତଳି ମଧ୍ୟ ପୋଡିଯ଼ାଉଛି। ଫଳରେ ଗ୍ରାମବାସୀଙ୍କ ଏକ ମାତ୍ର ଜୀବନଜୀବିକା ଚାଷ ହୋଇଥିବା ବେଳେ ଉଜୁଡା ଫସଲ ଦେଖି ଆତ୍ମହତ୍ୟାର ବାଟ ଆପଣାଇବା ଲାଗି ପଣ କରୁଛି ଚଷାପୁଅ।

ଧାନ ଚାଷ ଲାଗି ଜଳଶେଚନ ବିଭାଗ ପକ୍ଷରୁ ଉପର ମୁଣ୍ଡରେ ନାଳିଆ ଖାର ଓ ତଳ ମୁଣ୍ଡରେ ଚଣ୍ଡିକ ନାଳରେ କେନାଲ ବ୍ୟବସ୍ଥା ହୋଇଥିଲା। ଆଉ ବର୍ଷ ବର୍ଷ ଧରି ଏହି ଅଞ୍ଚଳର ଚାଷୀ ଏହି ଦୁଇ କେନାଳର ପାଣି ଉପରେ ନିର୍ଭର କରିଥାନ୍ତି। ହେଲେ ଗତ କିଛି ଦିନ ଧରି ଚିଙ୍ଗୁଡି ଘେରି ନିର୍ମାଣ ହେବାପରେ ଚିଙ୍ଗୁଡି ମାଫିଆମାନେ ଉପର ମୁଣ୍ଡରେ କେନାଳ ପାଣିରେ କେମିକାଲ ମିଶା ପାଣି ଓ ଲୁଣା ପାଣି ନିସ୍କାସନ କରୁଥିବା ହେତୁ ତଳ ମୁଣ୍ଡର ଫସଲ ବେଶ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି। ଚାଷୀମାନେ ବାରମ୍ବାର ସ୍ଥାନୀୟ ଜନ ପ୍ରତିନିଧି, ବିଡିଓ, ତହସିଲଦାରଙ୍କୁ ଗୁହାରି କରି ଥକି ଗଲେଣି ହେଲେ ସମସ୍ୟାର ସମାଧାନ ପ୍ରତି ଯେମିତି କାହାରି ନିଘାନାହିଁ।
ଗତକିଛି ବର୍ଷ ଧରି ଫାଇଲିନ, ହୁଡହୁଡ, ତିତିଲି ଭଳି ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ସମୁଖିନ ହୋଇ ଆସୁଥିବା ଚାଷୀର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଥିବା ବେଳେ ଏବେ କୋରୋନା କାଟକଣା ପରିବାରର ଅନ୍ୟ ସଦସ୍ୟଙ୍କ ଜୀବିକା ଛଡାଇ ନେଇଛି ଏଭଳି ପରିସ୍ଥିତିରେ ଯଦି ଫସଲ ଉଜୁଡି ଯାଏ ତାହା ହେଲେ ମହାଜନ ଠାରୁ ଆଣିଥିବା କରଜ କିଭଳି ସୁଜିବେ ବୋଲି ପ୍ରଶ୍ନ ଉଠାଇଛନ୍ତି ଅନେକ ଚାଷୀ। ସେପଟେ ଜିଲ୍ଲାପାଳ ଚାଷୀଙ୍କ ଅଭିଯୋଗ ନେଇ ଅବଗତ ହେବାପରେ ତୁରନ୍ତ ସମସ୍ୟାର ସମାଧାନ ଦିଗରେ ପ୍ରୟାସ ଆରମ୍ଭ କରିବା ସହ ତହସିଲଦାରଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି।