ହଜିଯାଉଛି ଲୋକନୃତ୍ୟ ପ୍ରହଲ୍ଲାଦ ନାଟକ
Advertisement

ହଜିଯାଉଛି ଲୋକନୃତ୍ୟ ପ୍ରହଲ୍ଲାଦ ନାଟକ

ମୁକ୍ତାକାଶ ରଙ୍ଗମଞ୍ଚରେରେ ଶୈବ ଭକ୍ତ ରାଜା ହିରଣ୍ୟ କଶ୍ୟପ ଓ ପ୍ରହଲ୍ଲାଦଙ୍କ ଲିଳା ଦର୍ଶକଙ୍କୁ ମଞ୍ଚ ସମ୍ମୁଖରେ ଘଣ୍ଟା ଘଣ୍ଟା ଧରି ବାନ୍ଧି ରଖିଥାଏ । ଆଧୁନିକ ଯୁଗରେ ଏହି କଳା ପ୍ରତି କଳାକାରଙ୍କ ସଂଖ୍ୟା ଧିରେ ଧିରେ କମିଯାଉଥିବା ଦେଖିବାକୁ ମିଳିଛି   ତଥାପି କିଛି କଳାକାର ଏହି କଳାକୁ ପିଢି ପିଢି ଧରି ଜାବୁଡ଼ି ଧରିଛନ୍ତି ।  

 

ଫାଇଲ ଫଟୋ

ବ୍ରହ୍ମପୁର: ଗଞ୍ଜାମର ବିଭିନ୍ନ ଲୋକକଳା ଓ ଲୋକ ସଂସ୍କୃତି ମଧ୍ୟରେ ଅନ୍ୟତମ ହେଉଛି ପ୍ରହଲ୍ଲାଦ ନାଟକ । ଯାହାକୁ ରଜା ନାଟକ ବୋଲି ମଧ୍ୟ କୁହାଯାଏ । ପୌରାଣିକ କଥାବସ୍ତୁକୁ ନେଇ ଆଦୃତ ଏହି  ନାଟକଟି ଜାତୀୟ ତଥା ଆନ୍ତର୍ଜାତୀୟ  ସ୍ତରରେ ସୃଷ୍ଟି କରିଛି ବେଶ ସୁନାମ । ଏଥିପାଇଁ ହଜିଯାଉଥିବା କଳା ସଂସ୍କୃତି ଭିତରେ ଅନେକ ସମୟରେ ଖୋଜା ପଡିଥାଏ ପ୍ରହଲ୍ଲାଦ ନାଟକକୁ । 

ମୁକ୍ତାକାଶ ରଙ୍ଗମଞ୍ଚରେରେ ଶୈବ ଭକ୍ତ ରାଜା ହିରଣ୍ୟ କଶ୍ୟପ ଓ ପ୍ରହଲ୍ଲାଦଙ୍କ ଲିଳା ଦର୍ଶକଙ୍କୁ ମଞ୍ଚ ସମ୍ମୁଖରେ ଘଣ୍ଟା ଘଣ୍ଟା ଧରି ବାନ୍ଧି ରଖିଥାଏ । ଆଧୁନିକ ଯୁଗରେ ଏହି କଳା ପ୍ରତି କଳାକାରଙ୍କ ସଂଖ୍ୟା ଧିରେ ଧିରେ କମିଯାଉଥିବା ଦେଖିବାକୁ ମିଳିଛି   ତଥାପି କିଛି କଳାକାର ଏହି କଳାକୁ ପିଢି ପିଢି ଧରି ଜାବୁଡ଼ି ଧରିଛନ୍ତି ।  

ପ୍ରହଲ୍ଲାଦ ନାଟକର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାନ୍ତି ନାଟକର ମୁଖ୍ୟ ଭୁମିକା ଗ୍ରହଣ କରିଥିବା ରାଜା ହିରଣ୍ୟ କଶ୍ୟପ । ବିଷ୍ଣୁ କେଶରୀ ପୁରାଣରୁ ଆଦୃତ ଏହି ନାଟକରେ  ପ୍ରହଲ୍ଲାଦଙ୍କ ଭୂମିକା ଅନନ୍ୟ । ମୁକ୍ତାକାସଶ ରଙ୍ଗ ମଞ୍ଚରେ ବେଶ ଜମେ ଦୈତ୍ୟ ରାଜା ହିରଣ୍ୟ କଶ୍ୟପଙ୍କ ଦରବାର । ୭ଟି ପାହାଚ ବିଶିଷ୍ଟ ମଞ୍ଚର ଶିଖରେ ରାଜା ସିଂହାସନନ । ସେହି ସିଂହାସନରେ ବସି ରାଜାଙ୍କ ଲିଳା ଖେଳା ବେଶ ଆକର୍ଷଣୀୟ । ରାଜାଙ୍କ ଠାଣି ,ଭଙ୍ଗି ସହ ଡାଇଲଗ ଓ ସଙ୍ଗୀତକୁ ଯେମିତି ଉପଭୋଗ କରିବା ଲାଗି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥାନ୍ତି ଦର୍ଶକ । 

ସେପଟେ ହରିଭକ୍ତ ପ୍ରହଲ୍ଲାଦଙ୍କ ନିଷ୍ଠା ଓ ରାଣୀ ଲିଳାବତୀଙ୍କ ମାଆର ମମତା ଯେମିତି ଏହି ନାଟକର ମୁଖ୍ୟ ଆକର୍ଷଣ ସାଜିଥାଏ । ଶେଷରେ ନୃସିଂହ ଅବତାରକୁ ଦେଖିବା ଲାଗି ନାଟକ ପ୍ରେମୀ ଘଣ୍ଟାଘଣ୍ଟା ଧରି ମଞ୍ଚ ସମ୍ମୁଖରେ ଶୈବ ଭକ୍ତ ରାଜା ହିରଣ୍ୟ କଶ୍ୟପ ନିଜର ପୁତ୍ର ପ୍ରହଲ୍ଲାଦକୁ ହରିନାମ ଛାଡି ଶିବ ଉପାସନା କରିବାକୁ ବାଧ୍ୟ କରିବା ତଥା ଅମାନ୍ୟ ପୁତ୍ରକୁ ମୃତ୍ୟଦଣ୍ଡ ଦେବାଲାଗି ଭିନ୍ନ ଭିନ୍ନ ପନ୍ଥା ଆପଣାଇବା ଦୃଶ୍ୟ ବେଶ ହୃଦୟସ୍ପର୍ଶୀ ।

ଆଧୁନିକ ଯୁଗର ମଧ୍ୟ ନିଜ ସ୍ଥିତିକୁ ବଜାୟ ରଖିବାରେ ସକ୍ଷମ ହେବା ସହ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇ ଆସିଛି ଏହି ଲୋକ ନୃତ୍ୟ । ଉନବିଂଶ ଶତାବ୍ଦୀର ଶେଷ ଭାଗରେ ଏହି ନାଟକଟି ଜଳନ୍ଧର ଗଡରୁ ରାଜା ରାମକୃଷ୍ଣ ଛୋଟରାଏଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଇତିହାସ କହେ । ଗଞ୍ଜାମର ଆସିକା,ଚିକିଟି,ଦିଗପହଣ୍ଡି, ଭଞ୍ଜନଗର,ଶେରଗଡ ଭଲି ଗାଁରେ ଏହି ପ୍ରହଲ୍ଲାଦ ନାଟକ ଦେଖିବାକୁ ମିଳିଥାଏ ।
 
ଏଥିସହ ପଡୋଶୀ ରାଜ୍ୟ ଆନ୍ଧ୍ରରେ ମଧ୍ୟ ଏହି ନାଟକ ପ୍ରତି ଲୋକଙ୍କ ଆକୃଷ୍ଟ ଦେଖିବାକୁ ମିଳିଥାଏ । ସଂସ୍କୃତି ଓ ଓଡିଆ ସଙ୍ଗୀତ ସହ ତେଲୁଗୁ ଶ୍ଳୋକ ମଧ୍ୟ ଏହି ଲୋକ ନୃତ୍ୟରେ ସ୍ଥାନ ପାଇଛି । ୧୨୬ ଟି ସଙ୍ଗୀତ, ୩୫ଟି  ରାଗ ଓ ୬ଟି ତାଳକୁ ନେଉ ଏହି ନାଟକ ପରିବେଷଣ ହୋଇଥାଏ । ଏହି ନାଟକରେ କଳାକାରଙ୍କ ଯେତିକି ଭୂମିକା ରହିଥାଏ, ଗୀତିକାର, ମୁଖତୁରି ଓ ବାଦ୍ୟକାରଙ୍କ ଭୂମିକା ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ । ଅନେକ ସମୟରେ ଯାନି ଯାତ୍ରାରେ ଦୁଇଟି ଗ୍ରୁପର ନାଟକ ପ୍ରତିଯୋଗିତା ସ୍ୱରୁପ ମୁକ୍ତ ମଞ୍ଚରେ ନାଟକ ପରିବେଷଣ କରିଥାନ୍ତି । ଯାହାକି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥାଏ  ।  

ଏହି କଷ୍ଟସାଧ୍ୟ ନାଟକ ଜିଲ୍ଲାରେ ଯଦିଓ ବଞ୍ଚି ରହିଛି ହେଲେ ପ୍ରମ୍ମୁଖ ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କ ସଂଖ୍ୟା କମ ରହିଛି । ଯାହାଫଳରେ କଳାକାରଙ୍କୁ ପ୍ରୋତ୍ସାହନ ଦେବା ସହ ଏହି ନାଟକକୁ ଜୀବିତ ରଖିବା ଦିଗରେ ସମସ୍ତଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି ଗବେଷକ କହିଛନ୍ତି । କଳା ସଂସ୍କୃତି ଓ ପରମ୍ପରାରେ ଭରପୁର ଗଞ୍ଜାମ ଜିଲ୍ଲାରେ ଧୀରେ ଧୀରେ କଳାକାର ନିଜକୁ ଅବହେଳିତ ମନେ କରୁଛନ୍ତି । ଏଥି ପ୍ରତି ଯଦି ଦୃଷ୍ଟି ନ ଦିଆଯାଏ ତେବେ ଲୋକନୃତ୍ୟ  ଦିନେ ସ୍ମୃତି ପାଲଟି ଯିବ ।