ଗଞ୍ଜାମ ଗଣଦୁଷ୍କର୍ମ ଘଟଣା, ୨ ଅଭିଯୁକ୍ତ ଗିରଫ

ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । 

ଗଞ୍ଜାମ ଗଣଦୁଷ୍କର୍ମ ଘଟଣା, ୨ ଅଭିଯୁକ୍ତ ଗିରଫ
ପ୍ରତୀକାତ୍ମକ ଫଟୋ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଗଞ୍ଜାମ ସୋନପୁର ଥାନା ଅଞ୍ଚଳରେ ନାବାଳିକାଙ୍କୁ ଅପହରଣ ଏବଂ ଗଣଦୁଷ୍କର୍ମ ମାମଲା ।  ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ସେହି ଗାଁର ଜନାର୍ଦ୍ଦନ ବେହେରା ଓ ମିଥୁନ ଦାଶ । ଅଭିଯୁକ୍ତଙ୍କୁ ଆଜି ପୋଲିସ କୋର୍ଟ ଚାଲାଣ କରିଥିବାବେଳେ ଗଣଦୁଷ୍କର୍ମ ଘଟଣାରେ ଅନ୍ୟମାନଙ୍କ ସମ୍ପୃକ୍ତି ଥିବା ସନ୍ଦେହରେ ଛାନଭିନ ଚାଲିଛି । 

ସୂଚନା ମୁତାବକ ଗତ ୧୦ ତାରିଖ ଦିନ ପୀଡିତ ନାବାଳିକା ଜଣକ ଘରୁ ବାହାରି ଶୌଚ ହେବାକୁ ଯାଇଥିବା ବେଳେ, ରାସ୍ତାରୁ କିଛି ଦୁର୍ବୃତ୍ତ ତାଙ୍କୁ ଅପହରଣ କରିନେଇଥିଲେ । ଏପରିକି ୧୨ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟଧରି ଏକ ନିର୍ଦ୍ଧିଷ୍ଟ କୋଠରୀରେ ରଖି ଗଣଦୁଷ୍କର୍ମ କରିଥିଲେ । ପରେ ମୁର୍ମୂଷୁ ଅବସ୍ଥାରେ ରାସ୍ତା କଡ଼ରେ ଫୋପାଡ଼ି ଦେଇଥିଲେ । ଯୁବତୀ ଜଣକ ଚେତା ଫେରିବା ପରେ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଅବଗତ କରାଇଥିଲେ । ଏହାପରେ ଗୁରୁତର ଅବସ୍ଥାରେ ନାବାଳିକା ଜଣକୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା ।

ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୟାନ ରେକର୍ଡ କରାଯାଇଥିଲା । ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତି କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ପିନାକ ମିଶ୍ର । ଘଟଣାର ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ବେଳେ, ଆଗାମୀ ଦିନରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି । 

ଆହୁରି ପଢ଼ନ୍ତୁ; ଗଞ୍ଜାମ ଗଣଦୁଷ୍କର୍ମ ଘଟଣା: ପୋଲିସର ଭୂମିକା ନେଇ ପ୍ରଶ୍ନ ଉଠାଇଲା ବିଜେପି