)
ସୌମ୍ୟ ରଞ୍ଜନ ନାୟକ, ବ୍ରହ୍ମପୁର: ଯୁଦ୍ଧ ଏକ, ଯୋଦ୍ଧା ଅନେକ । ଯୁଦ୍ଧର ନାଁ କୋରୋନା । ଯୋଦ୍ଧା ସମଗ୍ର ଦେଶବାସୀ । କୋରୋନା ଚେନକୁ ରୋକିବା ପାଇଁ କିଏ କେଉଁ ପ୍ରକାର କାମ କରୁଛି । ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀ, ପୋଲିସ ଇତ୍ୟାଦି ତ ଯୁଦ୍ଧ ମୈଦାନର ଆଗରେ ରହିଛନ୍ତି । ହେଲେ ଏଭଳି କିଛି ଯୋଦ୍ଧା ଅଛନ୍ତି, ଯେଉଁମାନଙ୍କ ଉଦ୍ୟମ ମଧ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ । ଲକଡାଉନ୍ ଯୋଗୁ ଯେପରି ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ କୌଣସି ପ୍ରକାର ବାଧା ନଉପୁଜିବ, ସେନେଇ କାମ କରୁଛନ୍ତି ହଜାର ହଜାର ଶିକ୍ଷକ ଶିକ୍ଷୟତ୍ରୀ । ଆଉ ଏମିତି ଜଣେ ଶିକ୍ଷୟତ୍ରୀ ହେଉଛନ୍ତି ଗଞ୍ଜାମ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ବାଳକୃଷ୍ଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରେଣୁଝରା ପୁଷ୍ପଶ୍ରୀ । ଆଣ୍ଠୁ ଜନିତ ସମସ୍ୟାରେ ଦୀର୍ଘ ବର୍ଷ ହେଲା ପୀଡ଼ିତ ଥିବା ସତ୍ତ୍ୱେ ଘର ଘର ଯାଇ ଛାତ୍ରଛାତ୍ରୀଙ୍କ ପାଖରେ ପାଠ୍ୟପୁସ୍ତକ ପହଞ୍ଚାଉଛନ୍ତି ରେଣୁଝରା ।
କୋରୋନା ଯୋଗୁ ଆବୁଆଡ଼େ ଲକଡାଉନ୍ । ଆଉ ଏଭଳି ସମୟରେ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ଯେପରି କୌଣସି ପ୍ରକାର ସମସ୍ୟା ନହେବ, ସେଥିପାଇଁ ଘରେ ପାଠ୍ୟ ପୁସ୍ତକ ପହଞ୍ଚାଇଦେବାକୁ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଆଉ ଏ କ୍ଷେତ୍ରରେ ଲାଗି ପଡ଼ିଛନ୍ତି ରାଜ୍ୟର ଶିକ୍ଷକ ଶିକ୍ଷୟତ୍ରୀ । ଆଉ ଏମାନଙ୍କ ମଧ୍ୟରୁ ଜଣେ ଯୋଦ୍ଧା ହେଉଛନ୍ତି ରେଣୁଝରା । ଦୀର୍ଘ ୫ ବର୍ଷ ହେଲା ସେ ଆଣ୍ଠୁଜନିତ ରୋଗରେ ପୀଡ଼ିତ । ହେଲେ କର୍ତ୍ତବ୍ୟ ଆଗରେ ହାର ମାନିଛି ଶାରୀରିକ ସମସ୍ୟା । ହାତରେ ବହି ଧରି ପାଦରେ ଚାଲି ଚାଲି ଛାତ୍ରଛାତ୍ରୀଙ୍କ ଘରକୁ ଯାଉଛନ୍ତି । ପାଠ୍ୟପୁସ୍ତକ ଦେଉଛନ୍ତି । ଘରେ ରହି କିପରି ପାଠ ପଢ଼ିବେ, ସେନେଇ ଛାତ୍ରଛାତ୍ରୀଙ୍କୁ ଟିପ୍ସ ମଧ୍ୟ ଦେଉଛନ୍ତି ।
ଆଣ୍ଠୁ ଯନ୍ତ୍ରଣା ହେଉଛି ସତ, ହେଲେ ନିଜ କର୍ତ୍ତବ୍ୟ ପାଳନ କ୍ଷେତ୍ରରେ ଏହାର କୌଣସି ପ୍ରଭାବ ପଡ଼ୁନି । ଆଉ ରେଣୁଝରାଙ୍କ ଏଭଳି ମନୋଭାବ ପାଇଁ ସ୍ଥାନୀୟ ଅଞ୍ଚଳରେ ତାଙ୍କର ଭୂରୀ ଭୂରୀ ପ୍ରଶଂସା ମଧ୍ୟ । ଅନ୍ୟମାନଙ୍କ ପାଇଁ ରେଣୁଝରା କେବଳ ଉଦାହରଣ ନୁହେଁ, ନିଜ କର୍ତ୍ତବ୍ୟ ପଥରେ ବିଭିନ୍ନ ବାହାନା ଦେଖାଇ ଅବହେଳା କରୁଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଇଁ ଏକ ଆହ୍ୱାନ ମଧ୍ୟ ।