ଗୁଣି ଗାରେଡି ସନ୍ଦେହରେ ହତ୍ୟା! ୪୦ ଦିନ ପରେ ଜଙ୍ଗଲରୁ ବାହାରିଲା ମୃତଦେହ
Advertisement

ଗୁଣି ଗାରେଡି ସନ୍ଦେହରେ ହତ୍ୟା! ୪୦ ଦିନ ପରେ ଜଙ୍ଗଲରୁ ବାହାରିଲା ମୃତଦେହ

ଗୁଣିଆ ସନ୍ଦେହରେ ଜଣେ ୭୦ ବର୍ଷୀୟ ଭିନ୍ନକ୍ଷମ ବୃଦ୍ଧା ମହିଳାଙ୍କୁ ଘରୁ ଅପହରଣ କରିନେଇ ହତ୍ୟା କରାଯାଇଛି। ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ଅଭିଯୁକ୍ତମାନେ ଜଙ୍ଗଲରେ ପୋତି ଦେଇଥିଲେ।

ଗୁଣି ଗାରେଡି ସନ୍ଦେହରେ ହତ୍ୟା!

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ଆଧୁନିକ ମଣିଷ। କେଉଁଠି ସଙ୍ଗବଦ୍ଧ ଭାବେ ଅକ୍ରମଣ କରି ଅଖାଦ୍ୟ ଖୁଆ ଯାଉଛି ତ, ଆଉ କେଉଁଠି ହତ୍ୟା କରାଯାଉଛି। ସ୍ବାଧିନତାର ସାତ ଦଶନ୍ଧି ପରେ ବି ଅନ୍ଧାରୀ ମୁଲକରୁ ମୁକୁଲି ପାରିନାହାନ୍ତି ଅନେକ ଲୋକ। ଯାହାର ପ୍ରତିଫଳନ ମୁତାବକ ପାଦାକୁ ଆସିଛି ଗଞ୍ଜାମ ଜିଲ୍ଲୀର ଆଉ ଏକ ଅଭାବନିୟ ଦୃଶ୍ୟ।

ଦିଗପହଣ୍ଡି ଅଞ୍ଚଳରେ ଗୁଣିଆ ସନ୍ଦେହରେ ଜଣେ ୭୦ ବର୍ଷୀୟ ଭିନ୍ନକ୍ଷମ ବୃଦ୍ଧା ମହିଳାଙ୍କୁ ଘରୁ ଅପହରଣ କରିନେଇ ହତ୍ୟା କରାଯାଇଛି। ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ଅଭିଯୁକ୍ତମାନେ ଜଙ୍ଗଲରେ ପୋତି ଦେଇଥିଲେ। ତେବେ ଘଟଣାର ଦୀର୍ଘ ଦେଢ ମାସ ପରେ ଦିଗପହଣ୍ଡି ପୋଲିସ ପର୍ଦ୍ଧାଫାସ କରିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଜଣେ ଅଭିଯ଼ୁକ୍ତକୁ ଗିରଫ କରାଯାଇଥିବା ବେଳେ ତଦନ୍ତ ବେଳେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବା ପୋଲିସ ସୁରାକ ପାଇଛି।       

ସୁଚନା ମୁତାବକ ଘରେ ଏକାକି ଥିବା ସମୟରେ ଗତମାସ ୧୦ ତାରିଖରେ ୭୦ ବର୍ଷୀୟ ସାଇବାଣି ହଠାତ ନିଖୋଜ ହୋଇ ଯାଇଥିଲେ। ଅନେକ ଖୋଜାଖୋଜି କରିବା ପରେ ପରିବାର ଲୋକ ତାଙ୍କର ସନ୍ଧାନ ପାଇନଥିଲେ। ପରେ ଗୁଣିଗାରେଡି ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଧେହରେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।

fallback

ତେବେ ପୋଲିସ ଅନେକ ଛାନଭିନ ପରେ ବି ଘଟଣାର କୌଣସି ସୁରାକ ପାଇନଥିଲା। ପରେ ଶାଇବାଣିଙ୍କ ସମ୍ପର୍କିୟ ଝିଆରୀ ହେମଲତା ବ୍ରହ୍ମପୁର ଏସପିଙ୍କ ନିକଟରେ ଫେରାଦ ହୋଇଥିଲେ। ଅଭିଯୋଗକୁ ଭିତିକରି ଏସପିଙ୍କ ନେତୃତ୍ତ୍ୱରେ ପୋଲିସ ଏ ସ୍ବତନ୍ତ୍ର ଟିମ ଗଠନ କରି ତନାଘନା ଆରମ୍ଭ କରିଥିଲା। ତଦନ୍ତ ବେଳେ ପୋଲିସ ଅନେକ କିଛି ସୁରାକ ପାଇବା ସହ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସନ୍ଦେହରେ ଗ୍ରାମର ଧୋବା ମଲିକକୁ ଅଟକ ରଖି ପଚରା ଉଚରା କରିବା ପରେ ହତ୍ୟାକାଣ୍ଡର ରହସ୍ୟ ଉନ୍ମଚନ ହୋଇଥିଲା।

ଧୋବାର ବୟାନକୁ ଭିତିକରି ପୋଲିସ ମୃତଦେହକୁ ନିକଟସ୍ଥ ଜଙ୍ଗଲରୁ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ପଠାଇଥିବା ବେଳେ ଦୋବା ମଲିକକୁ ଗିରଫ କରିଛି। ଗତ କିଛି ବର୍ଷ ତଳେ ଧୋବା ମଲିକର ଦୁଇଜଣ ସମ୍ପର୍କୀୟଙ୍କ ହଠାତ ମୃତ୍ୟୁ ଘଟିବା ପରେ ଗ୍ରାମବାସିଙ୍କ ମନରେ ଗୁଣି ଗାରେଡି ଉଙ୍କି ମାରିଥିଲା। ଏପରିକି ଶାଇବାଣିକୁ ଗୁଣିଆ ସନ୍ଦେହ କରି ଗ୍ରାମବାସି ୨୦୧୬ ମସିହାରେ ଆକ୍ରମଣ କରିଥିବା ମଧ୍ୟ ତଦନ୍ତ ବେଳେ ଜାଣିବାକୁ ପାଇଛି ପୋଲିସ।

ସେପଟେ ଏହି ହତ୍ୟାକାଣ୍ଡରେ ଆଉ କେଉଁ କେଉଁମାନଙ୍କ ସମ୍ପୃକ୍ତି ରହିଛି ତାର ଖୋଳତାଡ ଚାଲିଛି। ଅନ୍ୟପଟେ ଜିଲ୍ଲାରେ ଏଭଲି ଅନ୍ଧ ବିଶ୍ବାସ ଘଟଣା ବାରମ୍ବାର ଘଟୁଥିବା ନଜର ରହିଥିବା ବେଳେ ସଚେତନତାର ଅଭାବକୁ ଦାଇ କରିଛନ୍ତି ବୁଦ୍ଧିଜିବି। ଗୁଣି ଗାରେଡିକୁ ନେଇ ଘଟୁଥିବା ଅପରାଧର ସେଭଳି କୌଣସି ସ୍ବତନ୍ତ୍ର ଆଇନ ବା କଡା ଦଣ୍ଡ ବିଧାନ ନଥିବା ହେତୁ ଅପରାଧି ଏଭଲି କାଣ୍ଡ ବିହାଇବାର ନଜିର ରହୁଛି। ଏଣୁ ଜିଲ୍ଲା ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରିବା ସହ ପ୍ରଶାସନ ଓ ପୋଲିସ ଜନ ସଚେତନତା ଦିଗରେ ଦୃଢ ପଦକ୍ଷେପ ଗ୍ରହଣ କରିବା ଲାଗି ଦାବି ହୋଇଛି।