ବ୍ରହ୍ମପୁର: ଗଞ୍ଜାମ ଖଲ୍ଲିକୋଟ ଥାନା ଇଣ୍ଡିଆନ ପେଟ୍ରୋଲ ପମ୍ପ ନିକଟରେ ଘଟିଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାଶ । ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ଖଲ୍ଲିକୋଟ ପୋଲିସ । ଦୁଇ ହତ୍ୟାକାରୀ ହେଲେ ରାମଚନ୍ଦ୍ରପୁର ଗାଁର ବବୁଲୁ ସାହୁ ଏବଂ ସମୀର ସାହୁ । ସେମାନଙ୍କ ଠାରୁ ଗୋଟେ ମଟରସାଇକେଲ ଜବତ କରାଯାଇଛି ।
ଦୁଇ ଅଭିଯୁକ୍ତ ମଧ୍ୟରୁ ଜଣକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟଜଣେ ନାବାଳକ ହେତୁ ବ୍ରହ୍ମପୁର ବାଳ ସୁଧାର ଗୃହକୁ ପଠାଯାଇଛି । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଏଭଳି ଜଘନ୍ୟ ହତ୍ୟାକାଣ୍ଡ ହୋଇଥିବା ପୋଲିସ ପ୍ରେସ ଇସ୍ତାହାରରେ ସ୍ପଷ୍ଟ କରିଛି ।
ସୂଚନା ମୁତାବକ, ନଭେମ୍ୱର ୨୧ରେ ରାତି ସାଢ଼େ ୯ଟାରେ କେଶପୁର ପେଟ୍ରୋଲ ପମ୍ପ ନିକଟରେ ସେହି ଅଞ୍ଚଳର ଶଙ୍କର ପାହାନ ନାମକ ଯୁବକ ନିଜ ବାଇକରେ ପେଟ୍ରୋଲ ପକାଇ ଫେରୁଥିଲେ । ସେହି ସମୟରେ କିଛି ଯୁବକ ଶଙ୍କରଙ୍କୁ ଅତି ନିର୍ମମ ଭାବେ କାଠ ଫାଳିଆ ଏବଂ ଇଟା ଖଣ୍ଡରେ ପିଟିପିଟି ହତ୍ୟା କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।
ହତ୍ୟାକାଣ୍ଡର ସମ୍ପୂର୍ଣ୍ଣ ଦୃଶ୍ୟ ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଥିଲା । ଯାହାକୁ ଆଧାର କରି ପୋଲିସ ଅପରାଧୀକୁ ଚିହ୍ନଟ କରି ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା । ସେମାନଙ୍କୁ ସହଜରେ କାବୁ କରିବା ଲାଗି ଦୁଇଟି ଟିମ ମଧ୍ୟ ଗଠନ କରାଯାଥିଲା । ପରେ ସେମାନଙ୍କ ମୋବାଇଲ ଟ୍ରାକିଂ ଦ୍ଵାରା ଜଣକୁ ସାନଘାଟି ଏବଂ ଅନ୍ୟଜଣକୁ ବାଲୁଗାଁ ଅଞ୍ଚଳରୁ ଗିରଫ କରିବାରେ ସଫଳ ହୋଇଥିବା ଥାନା ଅଧିକାରୀ ସତ୍ୟରଂଜନ ପ୍ରଧାନ ସୂଚନା ଦେଇଛନ୍ତି ।