ଆଦାୟ ହୋଇପାରୁନି ଅନାଦେୟ ଋଣ, ଇତିହାସ ପାଲଟିଯିବ ଏଆରଡିବି ବ୍ୟାଙ୍କ
Advertisement

ଆଦାୟ ହୋଇପାରୁନି ଅନାଦେୟ ଋଣ, ଇତିହାସ ପାଲଟିଯିବ ଏଆରଡିବି ବ୍ୟାଙ୍କ

ରୁଗ୍ଣ ସ୍ଥିତିରେ ରହିଥିବା ଏଆରଡିବି ବ୍ୟାଙ୍କକୁ ବନ୍ଦ କରିବା ଲାଗି ଏବେ ଯୋଜନା ପ୍ରସ୍ତୁତ ହୋଇଛି। 

ଆଦାୟ ହୋଇପାରୁନି ଅନାଦେୟ ଋଣ, ଇତିହାସ ପାଲଟିଯିବ ଏଆରଡିବି ବ୍ୟାଙ୍କ

ରାଧେଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଗଞ୍ଜାମ (Ganjam) ଜିଲ୍ଲାର ଚାଷୀଙ୍କୁ ଦୀର୍ଘ ମିଆଦୀ ଋଣ ପ୍ରଦାନ କ୍ଷେତ୍ରରେ ବେଶ ଗୁରୁତ୍ୟପୁର୍ଣ୍ଣ ଭୂମିକା ଗ୍ରହଣ କରି ଆସିଥିଲା ଏଗ୍ରିକଲଚର ଆଣ୍ଡ ରୁରାଲ ଡେଭଲପମେଣଅଟ ବ୍ୟାଙ୍କ-ଏଆରଡିବି (Agricultural and Rural Development Bank-ARDB)। ହେଲେ ପରିଚାଳନା ଗତ ତ୍ରୁଟି ହେଉ ଅଥବା ଅନାଦେୟ ଋଣ (Non Performing Loans) ବୋଝ ବୃଦ୍ଧି ଯୋଗୁଁ ଜିଲ୍ଲାର ୪ଟି ସ୍ଥାନରେ ଥିବା ଏହି ବ୍ୟାଙ୍କ ଏବେ ରୁଗ୍ଣ ସ୍ଥିତିକୁ ଚାଲିଯାଇଛି।

ଜରାଜୀର୍ଣ୍ଣ କୋଠା ସାଙ୍ଗକୁ କାଗଜ କଲମରେ ବ୍ୟାଙ୍କ ବହୁ ବର୍ଷ ହେଲା ଚିରାଚରିତ ଢଙ୍ଗରେ ଚାଲି ଆସିଥିବା ବେଳେ ଏହାର ସମାପନ କରିବା ଲାଗି ଏବେ ସମବାୟ ବିଭାଗ (Cooperative Department) ପକ୍ଷରୁ ଉପନିବନ୍ଧକଙ୍କ ନିକଟକୁ ଚିଠି ଆସିଛି। ଯାହାଫଳରେ ଆଗାମୀ ଦିନରେ ଏହି ବ୍ୟାଙ୍କ ଇତିହାସ ପାଲଟିଯିବା ଯେମିତି ଏକ ରକମ ସୁନିଶ୍ଚିତ। 

ଜିଲ୍ଲାରେ ନିଜର ସତ୍ତା ହରାଇଛି ଏଆରଡିବି ବ୍ୟାଙ୍କ, ଭୂତ କୋଠି ପାଲଟିଯାଇଛି ଏହାର କୋଠା । ବର୍ଷ ବର୍ଷ ଧରି କାଗଜ କଲମରେ ଚାଲିଥିଲା ବ୍ୟାଙ୍କ ପରିଚାଳନା ଏବଂ ଅନାଦେୟ ହୋଇପଡିଛି ୩ କୋଟି ୨୧ ଲକ୍ଷ ଟଙ୍କାର ଋଣ ବୋଝ। ଯାହାଫଳରେ ରୁଗ୍ଣ ସ୍ଥିତିରେ ରହିଥିବା ଏହି ବ୍ୟାଙ୍କକୁ ବନ୍ଦ କରିବା ଲାଗି ଏବେ ଯୋଜନା ପ୍ରସ୍ତୁତ ହୋଇଛି। ସୂଚନା ମୁତାବକ ୧୯୬୦ ମସିହାରେ ବ୍ରହ୍ମପୁର, ଭଞ୍ଜନଗର, ଆସିକା, ଓ ଛତ୍ରପୁର ଠାରେ ଏହି ବ୍ୟାଙ୍କର ପ୍ରତିଷ୍ଠା କରାଇଥିଲା। ଓଡିଶା ଷ୍ଟେଟ ଏଗ୍ରିକଲଚର ଏଣ୍ଡ ରୁରାଲ ଡେଭଲପମେଣ୍ଟ ବ୍ୟାଙ୍କ-ଓଏସଏଆରଡିବି (Odisha State Agriculture & Rural Development Bank-OSARDB) ବ୍ୟଙ୍କର ଶାଖା ଭାବେ ଏଆରଡିବି ପରିଚାଳିତ ହୋଇଆସୁଥିଲା। 

ପ୍ରତିବର୍ଷ ଚିରା ଚରିତ ଢଙ୍ଗରେ ନିର୍ବାଚନ କରି ଜଣେ ସଭାପତି ନିର୍ବାଚିତ ହେବା ସହ ବ୍ୟାଙ୍କ ପରିଚାଳନା କାଗଜ କଲମରେ ସୀମିତ ରହିଥିଲା। ହେଲେ ପରିଚାଳନା ଗତ ତ୍ରୁଟି ହେଉ ଅଥାବା ଅନାଦେୟ ଋଣ ବୋଝ ବୃଦ୍ଧି ଯୋଗୁଁ ଏହି ବ୍ୟାଙ୍କ ଏବେ ନିଜର ସ୍ଥିତି ହରାଇଛି। ଯାହାଫଳରେ ଏହାକୁ ବନ୍ଦ କରିବା ଲାଗି ନିର୍ଦେଶ ଆସିଥିବା ଜଣାଇଛନ୍ତି ଡିଆରସିଏସ (DRCS)। ଏକଦା ଚାଷୀ (Farmer) ଓ କ୍ଷୁଦ୍ର ବ୍ୟାବସାୟୀ (Small Businees) ଙ୍କ କ୍ଷେତ୍ରରେ ବେଶ ନିର୍ଭରଶୀଳ ହୋଇ ଆସିଥିଲା ଏଆରଡିବି ବ୍ୟାଙ୍କ। 

ନାବାର୍ଡ (NABARD) ସହାୟତାରେ ଚାଷୀ ଦୀର୍ଘ ମିଆଦୀ ଋଣ ଯୋଗାଇଦେବା ସହ ସେହି ସମୟରେ ବେଶ ଆସ୍ଥା ଭାଜନ ହୋଇପାରିଥିଲା। ବିଗତ କିଛି ବର୍ଷ ଧରି ଋଣ ପ୍ରଦାନ କରିବା ଓ ଆଦାୟ କ୍ଷେତ୍ରରେ ଏଆରଡିବି ବ୍ୟାଙ୍କ ଅଗ୍ରଣୀ ଭୂମିକା ଗ୍ରହଣ କରିବା ସହ ଶ୍ରେଷ୍ଠ ବ୍ୟାଙ୍କ ଭାବେ ପୁରସ୍କୃତ ହୋଇଥିଲା । ହେଲେ କିଛି ମୁଷ୍ଟିମେୟ କର୍ମଚାରୀଙ୍କ ଅବହେଳା ଯୋଗୁଁ ଆଜି ଏହି ବ୍ୟାଙ୍କ ନିଜର ସତ୍ତା ହରାଇବାକୁ ବସିଛି । ହେଲେ ବ୍ୟାଙ୍କର ପୁନଃରୁଦ୍ଧାର କରିବା ବଦଳରେ ଜିଲ୍ଲାର ୪ଟି ଏଆରଡିବି ବ୍ୟାଙ୍କଙ୍କୁ ବନ୍ଦ କରିବା ନିଷ୍ପତ୍ତିକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି ବୁଦ୍ଧିଜୀବି। ଚାଷୀକୂଳକୁ ସହାୟତା ଯୋଗାଇ ଦେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରି ଆସିଥିବା ଏଆରଡିବି ବ୍ୟାଙ୍କକୁ ବନ୍ଦ କରିବା ଲାଗି ପକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହା ଯେମିତି ଆଗାମୀ ଦିନରେ ଇତିହାସ ପାଲଟିଯିବ।