କୋଭିଡ୧୯ କଟକଣାରେ ବୁଢୀ ଠାକୁରାଣୀଙ୍କ ଯାତ୍ରା ସମାପନ
Advertisement

କୋଭିଡ୧୯ କଟକଣାରେ ବୁଢୀ ଠାକୁରାଣୀଙ୍କ ଯାତ୍ରା ସମାପନ

କୋଭିଡ୍ କଟକଣା ସତ୍ତ୍ୱେ ମା ଠାକୁରାଣୀଙ୍କ ଦର୍ଶନ ଲାଗି ଗତକାଲି ଅପରାହ୍ନରୁ ଅପେକ୍ଷା କରିଥିଲେ ଭକ୍ତ।

କୋଭିଡ୧୯ କଟକଣାରେ ବୁଢୀ ଠାକୁରାଣୀଙ୍କ ଯାତ୍ରା ସମାପନ

ବ୍ରହ୍ମପୁର: ସୁରୁଖୁରୁରେ ସରିଲା ମା ବୁଢୀ ଠାକୁରାଣୀଙ୍କ ଯାତ୍ରା। କୋରୋନା କଟକଣା ମଧ୍ୟରେ ବାପଘରୁ ମେଲାଣି ନେଇ ଶାଶୁଘର କୁହାଯାଉଥିବା ମୁଖ୍ଯ ମନ୍ଦିରକୁ ଫେରିଛନ୍ତି ମା। ବାପ ଘରେ ୧୧ ଦିନର ରହଣୀ ପରେ ପରମ୍ପରା ସହ ରୀତିନୀତି ମୁତାବକ ଗତକାଲି ବିଳମ୍ବିତ ରାତିରେ ଅସ୍ଥାୟୀ ମଣ୍ଡପରୁ ବାଜା ବାଜଣା ସାଙ୍ଗକୁ ବିରାଟ ପଟୁଆରରେ ରାଜ ଭଟିରେ ପହଞ୍ଚି ରାଜାଙ୍କ ଠାରୁ ପୁଜା ପାଇବା ପରେ ମାଉସୀ ମା'ଙ୍କ ଘରୁ ମିଠା ଭୋଗ ଖାଇ ପାହାନ୍ତିଆ ସମୟରେ ମୁଖ୍ୟ ମନ୍ଦିରକୁ ଫେରିଛନ୍ତି।

ମା'ଙ୍କ ଯାତ୍ରା ଅବସରରେ ଭକ୍ତଙ୍କ ଭିଡକୁ ନିୟନ୍ତ୍ରଣ କରିବା ଲାଗି ପୋଲିସ, ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ବାପ ଘରେ ଲୀଳା ଖେଳା ସାରିବା ପରେ ଶାଶୁ ଘର ଚାଲିଗଲେ ମା ବୁଢୀ ଠାକୁରାଣୀ। କୋଭିଡ୍ କଟକଣା ସତ୍ତ୍ୱେ ମା ଠାକୁରାଣୀଙ୍କ ଦର୍ଶନ ଲାଗି ଗତକାଲି ଅପରାହ୍ନରୁ ଅପେକ୍ଷା କରିଥିଲେ ଭକ୍ତ। ସନ୍ଧ୍ୟା ଆଳତୀ ସାରିବା ପରେ ଅସ୍ଥାୟୀ ମଣ୍ଡପରେ ଶାଶୁ ଘର ଲୋକେ ପହଞ୍ଚିଥିଲେ ବୁଢୀ ଠାକୁରାଣୀଙ୍କୁ ନିମନ୍ତ୍ରଣ କରିବା ଲାଗି। 

Also Read: କୋରୋନା କଟକଣାରେ ପାଳିତ ହେବ ମାଁ ବୁଢୀ ଠାକୁରାଣୀଙ୍କ ଯାତ୍ରା

 

ଠିକ ମଧ୍ୟ ରାତ୍ରୀରେ ଅସ୍ଥାୟୀ ମଣ୍ଡପରୁ ଉଠିଥିଲା ମା'ଙ୍କ ମୁଖ୍ୟ ଘଟ। ଯାନି ଯୌତୁକ ନେଇ ମା ବାହାରିଥିଲେ ଶାଶୁଘର ଅଭିମୁଖେ। ମା'ଙ୍କ ବିଦାୟ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଆଗେ ଆଗେ ବାହାରିଥିଲା ସହସ୍ର ଆଖି ଘଟ। ଏହାପରେ ମା'ଙ୍କ ମୁଖ୍ୟଘଟ ଦେଶ ବେହେରାଙ୍କ ପତ୍ନୀ ମୁଣ୍ଡନ କରି ପଛେ ପଛେ ଚାଲିଥିବା ବେଳେ  ଅନ୍ୟ ପାର୍ଶ୍ୱ ଘଟ ସେନାପତିଙ୍କ ପତ୍ନୀ ଧରିଧିଲେ। 

ବାଜା, ବାଜଣା, ଘଣ୍ଟଘଣ୍ଟା ସହ ମା'ଙ୍କ ପ୍ରିୟ ଚାଙ୍ଗୁ ସହ ବିରାଟ ପଟୁଆରରେ ମା' ପ୍ରଥମେ ରାଜ ଭାଟିରେ ପହଞ୍ଚି ପୂଜା ପାଇବା ପରେ ରାଜାଙ୍କ ଠାରୁ ବିଦାୟ ନେଇଥିଲେ। ଏହି ଅବସରରେ ମା'ଙ୍କ ଦର୍ଶନ ଲାଗି ଅପେକ୍ଷା କରିଥିବା ଭକ୍ତ ଭାବ ବିହ୍ଵଳ ହୋଇପଡିଥିଲେ।

Also Read: ଗ୍ରାମ ଦେବତୀରୁ ଆରାଧ୍ଯ ଦେବୀ; ଜାଣନ୍ତୁ ମାଁ ବୁଢୀ ଠାକୁରାଣୀ ଯାତ୍ରାର ଇତିହାସ

 

ବୁଢୀ ଠାକୁରାଣୀଙ୍କ ବିଦାୟ ଯାତ୍ରାର ମୁଖ୍ୟ ଆକର୍ଷଣ ଘଟ ଯାତ୍ରା ରହିଥିବା ବେଳେ ଚଳିତ ବର୍ଷ କିନ୍ତୁ ମାନସିକ ଘଟ ଉପରେ ସମ୍ପୁର୍ଣ୍ଣ କଟକଣା ଲଗାଇଥିଲା ଜିଲ୍ଲା ପ୍ରଶାସନ। ଯାହା ଫଳରେ ମା ନିଜ ୮ ଭଉଣୀଙ୍କ ସହ ମିଶି ବିଭିନ୍ନ ସାହି ବୁଲି ଭକ୍ତଙ୍କ ଗହଣରେ ପହଞ୍ଚି ଶେଷ ଦର୍ଶନ ଦେବା ପରେ ବାଚୁୱାରି ସାହିରେ ଥିବା ମାଉସୀ ମା ଘରେ ପହଞ୍ଚି ପୋଡ ପିଠା ଖାଇଥିଲେ। ଏହାପରେ ମା'ଙ୍କ ଘଟ ଶାଶୁ ଘର ଅଭିମୁଖେ ବାହାରି ଥିବା ବେଳେ ପାହାନ୍ତିଆ ସମୟରେ ମା ପହଞ୍ଚିଥିଲେ ମୁଖ୍ୟ ମନ୍ଦିରରେ। 

Also Read: ଗଞ୍ଜାମରେ ନୂଆ କୋରୋନା କଟକଣା: ୭ ଦିନ ଧର୍ମାନୁଷ୍ଠାନ-ପର୍ଯ୍ୟଟନସ୍ଥଳୀ ବନ୍ଦ, ହେବନି ମେରୁ ଯାତ୍ରା

 

କୋଭିଡ୍ କଟକଣା ସହ କଡା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ନଗର ପରିକ୍ରମା ବେଳେ ମାଙ୍କ ଦର୍ଶନ ଲାଗି ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ମାନବୀୟ ଲୀଳାଖେଳା ଭିତରେ ମା ବୁଢୀ ଠାକୁରାଣୀଙ୍କ ଯାତ୍ରା ଶେଷ ହୋଇଥିବା ବେଳେ ପୁଣି ଅପେକ୍ଷା ଦୁଇ ବର୍ଷର।