)
ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଲକଡାଉନ ଯୋଗୁଁ ବିଭିନ୍ନ ରାଜ୍ୟରେ ହଜାର ହଜାର ଦାଦନ ଫସି ରହିଛନ୍ତି । ଏବେ ସେମାନଙ୍କୁ ସୁରକ୍ଷିତ ଭାବେ କିଭଳି ଫେରାଇ ଅଣାଯିବ, ସେନେଇ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଗଞ୍ଜାମ ଜିଲାରୁ ସର୍ବାଧିକ ଶ୍ରମିକ ବାହାର ରାଜ୍ୟରେ ଫସି ରହିଥିବା ଜଣାପଡ଼ିଛି । ଆଉ ଏହି ଶ୍ରମିକଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ଫର୍ମ ଓ ହେଲ୍ପ ଲାଇନ ନଂ ଜାରି କରାଯ଼ାଇଛି । ପ୍ରଥମେ ଶ୍ରମିକମାନେ ନିଜ ନାମ ଓ ଠିକଣାକୁ ପଞ୍ଜିକୃତ କରିବା ପରେ ସେମାନଙ୍କୁ ଫେରାଇ ଆଣିବାର ବନ୍ଦୋବସ୍ତ କରାଯିବ । ତେବେ ଜିଲ୍ଲାକୁ ହଜାର ହଜାର ଶ୍ରମିକ ଫେରିବାକୁ ଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯିବ । ଏହାସହ ସରପଞ୍ଚମାନେ ଏହି ଦିଗରେ କିଭଳି ସତର୍କତା ଅବଲମ୍ଭନ କରିବେ, ସେନେଇ ମଧ୍ୟ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ।
ଲଗଡାଉନ୍ ଯୋଗୁଁ ଆପଣ ବାହାର ରାଜ୍ୟରେ ଫସି ରହିଛନ୍ତି କି ? ତାହେଲେ ଜମା ଭୟଭୀତ ହୁଅନ୍ତୁ ନାହିଁ । ଲଗଡାଉନ ଅବଧି ସରିବା ମାତ୍ରେ ଆପଣଙ୍କୁ ଫେରାଇ ଆଣିବା ଲାଗି ଯୋଜନା ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର । ଯଦି ଆପଣ ଗଞ୍ଜାମ ଜିଲ୍ଲାର ଅଟନ୍ତି ଏବଂ ବାହାର ରାଜ୍ୟରେ ଫସି ରହିଛନ୍ତି, ତେବେ ଗୁଗଲ ୱେବରେ ଉପଲବ୍ଧ ରହିଛି ପଞ୍ଜିକରଣ କରିବା ଲାଗି ସ୍ୱତନ୍ତ୍ର ଫର୍ମ । ନିଜ ନିଜ ଅଞ୍ଚଳକୁ ଫେରିବାକୁ ଚାହୁଁଥିବା ଲୋକେ ନିଜ ନାମ, ଠିକଣା, ପଞ୍ଚାୟତ ଓ ବ୍ଲକ ସମ୍ପର୍କିତ ତଥ୍ୟ ପ୍ରଦାନ କରିପାରିବେ । ତେବେ ଏଥିରେ ନିଜର ସ୍ୱାସ୍ଥ୍ୟଗତ ତଥ୍ୟ ମଧ୍ୟ ପଞ୍ଜିକୃତ କରିବାକୁ ପଡ଼ିବ । ଯଦି ଆପଣଙ୍କର ପଞ୍ଜିକରଣରେ କୌଣସି ସମସ୍ୟା ଉପୁଜୁଛି, ତାହେଲେ 8118066370 ଓ 9437563800 ନମ୍ବରରେ ଯୋଗାଯୋଗ କରିପାରିବେ ।
ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ, ଆସିକା, ଭଞ୍ଜାନଗର, ଖଲିକୋଟ, କୋଦଳା, ବେଗୁନିଆପଡା, କବିସୂର୍ଯ୍ୟନଗର ଭଳି ଅଞ୍ଚଳରୁ ଅଧିକାଂଶ ଶ୍ରମିକ ବମ୍ବେ, ସୁରଟ, ତାମିଲନାଡୁ, କେରଳ, ତେଲେଙ୍ଗାନା ଭଳି ବାହାର ରାଜ୍ୟରେ କାମ କାମ କରୁଛନ୍ତି । ତେବେ ଲକଡାଉନ୍ ଯୋଗୁଁ ସମସ୍ତେ ଫସି ରହିଛନ୍ତି । ଫସିଥିବା ଶ୍ରମିକ ନିଜ ନିଜ ଅଞ୍ଚଳକୁ ଫେରିବା ପରେ ୧୪ ଦିନିଆ ସରକାରୀ କ୍ୱାରେଣ୍ଟାଇନରେ ରହିବେ । ଶ୍ରମିକଙ୍କ ଉପରେ ନଜର ରଖିବା ସହ ନିଜ ନିଜ ପଞ୍ଚାୟତକୁ ସୁରକ୍ଷା ଦେବା ଲାଗି ସରପଞ୍ଚମାନଙ୍କୁ ଦାୟିତ୍ୱ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା କୋରୋନା ମୁକ୍ତ ଭାବେ ଗଞ୍ଜାମ ଜିଲ୍ଲା ସାର ଦେଶରେ ଗ୍ରୀନ ଜୋନର ମାନ୍ୟତା ପାଇଥିବା ବେଳେ କିଭଳି ବିପଦକୁ ମୁକାବିଲା କରାଯିବ, ସେନେଇ ଜିଲ୍ଲାପାଳ ସରପଞ୍ଚମାନଙ୍କୁ ପରାମର୍ଶ ଦେଇଛନ୍ତି । ତେବେ ନିଜ ନିଜ ଅଞ୍ଚଳ ଉପରେ କଡ଼ା ନଜର ରଖାଯାଇଥିବା କହିଛନ୍ତି କିଛି ସରପଞ୍ଚ ଓ ସମିତି ସଭ୍ୟ ।
ଗୋଟିଏ ପଟେ ଦାଦନଙ୍କ ଘର ବାହୁଡ଼ା ଆଉ ଅନ୍ୟପଟେ ମହାମାରୀ ଭୟ । ଅର୍ଥାତ ଲକଡାଉନ୍ ସରିବା ପରେ ଶ୍ରମିକ ଫେରିବେ । ଏବଂ ପରବର୍ତ୍ତୀ ସମୟରେ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବେ । ଯେଉଁ ସମୟ ଏକ ଘଡ଼ିସନ୍ଧି ମୁହୂର୍ତ୍ତ । ଯଦି ବାହାର ରାଜ୍ୟରୁ ଫେରୁଥିବା ଓଡ଼ିଆ ନିୟମ ନମାନିବେ, ତେବେ କୋରୋନା ବ୍ୟାପିବାର ସମ୍ଭାବନା ବଢ଼ିଯିବ । ତେଣୁ ଏ କ୍ଷେତ୍ରରେ ସ୍ଥାନୀୟ ସରପଞ୍ଚମାନଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଆଉ ଯଦି ଏଥିରେ ସେମାନେ ସଫଳ ହେଉଛନ୍ତି, ତେବେ କୋରୋନା ଲଢ଼େଇରେ ଜିତିବ ଓଡ଼ିଶା ।