କ୍ୱାରେଣ୍ଟାଇନ୍ ସେଣ୍ଟରରେ ସେମାନଙ୍କ ପାଇଁ ଖାଇବା ବ୍ୟବସ୍ଥା ହୋଇନଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କ ଆଗରେ କିଛି ପ୍ରବାସୀ ଓଡ଼ିଆ ଅଭିଯୋଗ କରିଛନ୍ତି ।
Trending Photos
)
ସୌମ୍ୟ ରଞ୍ଜନ ନାୟକ, ନୂଆଦିଲ୍ଲୀ: ସୁରତରୁ ବସ୍ ଯୋଗେ ଆସିଥିବା ପ୍ରବାସୀ ଓଡ଼ିଆ ଗଞ୍ଜାମ ଜିଲ୍ଲାରେ ପହିଞ୍ଚିବା ପରେ ବିଭିନ୍ନ କ୍ୱାରେଣ୍ଟାଇନ୍ ସେଣ୍ଟରରେ ସେମାନଙ୍କୁ ରଖାଯାଇଛି । ହେଲେ ବେଗୁନିଆପଡ଼ା ଜନତା ହାଇସ୍କୁଲ ଓ ରାଗପୁର ଆଦର୍ଶ ବିଦ୍ୟାଳୟରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଖାଦ୍ୟ ଓ ପାନୀୟ ନମିଳିବାରୁ ସୁରତରୁ ଆସିଥିବା ପ୍ରବାସୀ ଓଡ଼ିଆ ଚମ୍ପଟ ମାରିଛନ୍ତି । ସମ୍ଭାଳି ହେଲାନି ପେଟର ଭୋକ ପ୍ରଶାସନ ଦେଇ ପରିଲାନି ଦୁଇମୁଠା ଖାଦ୍ୟ । ସେମାନେ ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରର ଫାଟକ ଭାଙ୍ଗି ନିଜ ନିଜ ଗାଁକୁ ପଳାଉଥିବା ଦେଖିବାକୁ ମିଳିଛି ।
କ୍ୱାରେଣ୍ଟାଇନ୍ ସେଣ୍ଟରରେ ସେମାନଙ୍କ ପାଇଁ ଖାଇବା ବ୍ୟବସ୍ଥା ହୋଇନଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କ ଆଗରେ କିଛି ପ୍ରବାସୀ ଓଡ଼ିଆ ଅଭିଯୋଗ କରିଛନ୍ତି । କ୍ୱାରେଣ୍ଟାଇନ୍ ସେଣ୍ଟରରେ ଖାଇବାକୁ ଦେଲେ ନାହିଁ ଓ ପିଇବାକୁ ପାଣି ବି ନାହିଁ । କି ରହିବା ପାଇଁ ଉପଯୁକ୍ତ ଭିତ୍ତିଭୂମି ନାହିଁ । ତେଣୁ ସେଠାରେ ରହିବା ଅର୍ଥ ଭୋକ ଉପାସରେ ମରିବା । ତେଣୁ ଘରକୁ ଗଲେ ଖାଇବା ଓ ରହିବାର ଅସୁବିଧା ହେବନାହିଁ । ତେଣୁ କ୍ବାରେଣ୍ଟାଇନ୍ ସେଣ୍ଟର ଛାଡ଼ି ଏବେ ଘର ମୁହାଁ ପ୍ରବାସୀ ଓଡ଼ିଆ । ଏନେଇ ଖବର ପାଇ ତହସିଲଦାର ଓ ପୋଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରୁଛନ୍ତି । ତେବେ ଏସଂପର୍କରେ କୌଣସି ପ୍ରଶାସନିକ ଅଧିକାରୀ ପ୍ରତିକ୍ରିୟା ଦେଇ ନାହାନ୍ତି । ଏହି ଦୁଇଟି କ୍ୱାରେଣ୍ଟାଇନ୍ ସେଣ୍ଟରରେ ୧୨୮ ଜଣ ପ୍ରବାସୀ ଶ୍ରମିକଙ୍କୁ ରଖାଯାଇଥିଲା ।
ଏବେ ଜିଲ୍ଲା ପ୍ରଶାସନର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗଞ୍ଜାମ ଜିଲ୍ଲାରେ ଏବେ ୫୭୦ ଜଣ ପ୍ରବାସୀ ଓଡ଼ିଆଙ୍କୁ ଖାଦ୍ୟ ଯୋଗାଇବାରେ ବିଫଳ ହୋଇଛି କି ପ୍ରଶାସନ ? ଧିରେଧିରେ ବାହାର ରାଜ୍ୟରୁ ଓଡ଼ିଶାକୁ ଅନେକ ପ୍ରବାସୀ ଓଡ଼ିଆ ଫେରିବେ । ତେଣୁ ସେମାନଙ୍କୁ କିଭଳି କ୍ବାରେଣ୍ଟାଇନରେ ରଖାଯିବ ଏହା ଜିଲ୍ଲା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଗଞ୍ଜାମକୁ ଫେରିବ ପ୍ରାୟ ୨ ଲକ୍ଷରୁ ଅଧିକ ଶ୍ରମିକ ବା ପ୍ରବାସୀ ଓଡ଼ିଆ । ସେମାନଙ୍କ ସାମାଜିକ ସୁରକ୍ଷା ଓ ସାମାଜିକ ନିରାପତ୍ତାକୁ ନେଇ ଏବେ ଗଞ୍ଜାମ ଜିଲ୍ଲାପ୍ରଶାସନର ମୁଣ୍ଡ ବ୍ୟଥା ଆରମ୍ଭ ହୋଇଛି ।