୫ଶହ କରୋନା ଆକ୍ରାନ୍ତଙ୍କ ସହ ୨୦ ଦିନ....

ଶିବାଶିଷ ବଖାଣିଲେ କରୋନା କାହାଣୀ...

୫ଶହ କରୋନା ଆକ୍ରାନ୍ତଙ୍କ ସହ ୨୦ ଦିନ....
ଫଟୋ ସୌଜନ୍ୟ: ଜୀ ମିଡିଆ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଥରେ ଭାବନ୍ତୁ ତ  ! ଆପଣ ଯେଉଁଠି ଅଛନ୍ତି ଯଦି ସେଠି ଶହ ଶହ କରୋନା ଆକ୍ରାନ୍ତ ଥିବେ, ତେବେ ଆପଣ ବଞ୍ଚିବେ କିପରି ? ଗୋଟିଏ ଜାହାଜରେ ପାଖାପାଖି ୩୭ଶହ ଯାତ୍ରୀ । ପ୍ରତ୍ୟେତ ଦିନ ଅନେକ ଯାତ୍ରୀଙ୍କ ରିପୋର୍ଟ କରୋନା ପଜେଟିଭ ବୋଲି ଜଣାପଡ଼ୁଥିବ । ପାଖ ସିଟରେ ବସିଥିବା ବ୍ୟକ୍ତିକୁ କରୋନା ହୋଇଯାଉଥିବ । ଏହା କୌଣସି ଜୀବନ-ମୃତ୍ୟୁ ଘଟଣାଠୁ କିଛି କମ୍ ନୁହେଁ । ଦୀର୍ଘ ୨୦ ଦିନ ପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସହ ଜୀବନ ବିତାଇ ଫେରିବା ପରେ ନିଜ ସହ ହୋଇଥିବା ଏଭଳି ଘଟଣା ସବୁ ବଖାଣିଛନ୍ତି ବ୍ରହ୍ମପୁରର ଶିବାଶିଷ । 

ହଁ, ଏଇ ସେ ଶିବାଶିଷ, ଜାପାନ ୟୋକୋହାମା ଜଳପଥରେ ଡାଇମଣ୍ଡ ପ୍ରିନ୍ସ ଜାହାଜରେ ଫସି ରହିଥିବା ଓଡ଼ିଆ ପୁଅ । ଉଦ୍ଧାର ପାଇଁ ସରକାରଙ୍କ ପାଖରେ ନିବେଦନ କରିଥିବା ଓଡ଼ିଆ ଇଞ୍ଜିନିୟର । ଗତକାଲି ରାତିରେ ସେ ଘରକୁ ଫେରିଛନ୍ତି ଆଉ କହିଛନ୍ତି ସେହି ୨୦ ଦିନର ଛାତିଥରା କାହାଣୀ । 

ଶିବାଶିଷ ଯେଉଁ ଜାହାଜରେ ଥିଲେ, ସେହି ଜାହାଜରେ ୩୭ଶହ ଯାତ୍ରୀ । ଭାରତୀୟ ଯାତ୍ରୀଙ୍କ  ସଂଖ୍ୟା ୧୪୨ । କରୋନା ଆକ୍ରାନ୍ତ ସନ୍ଦେହରେ ଡାଇମଣ୍ଡ ପ୍ରିନ୍ସେସ କର୍ମଚାରୀ ଓ ଯାତ୍ରୀମାନଙ୍କୁ ଜାପାନରେ ଅଟକ ରଖାଯାଇଥିଲା । ପ୍ରତିଦିନ ୧୦ରୁ ୧୫ ଜଣ ଯାତ୍ରୀଙ୍କ କରୋନା ପଜେଟିଭ ରିପୋର୍ଟ ଆସୁଥିଲା । ରିପୋର୍ଟ ନେଗେଟିଭ୍ ଆସିଲେ ସ୍ୱଦେଶ ଫେରିବା ପାଇଁ ଅନୁମତି, ପଜିଟିଭ ଆସିଲେ ଚିକିତ୍ସା ନିମନ୍ତେ ଭର୍ତ୍ତି । 

ଏମିତି ବି ହେଉଥିଲା, ସୁସ୍ଥ ପରି ମନେ ହେଉଥିବା ଲୋକଙ୍କ ରିପୋର୍ଟ ପଜିଟିଭ ଆସିଯାଉଥିଲା । କାହାକୁ ଛୁଇଁବାକୁ ମଧ୍ୟ ଭୟ । ଖାଦ୍ୟ କହିଲେ, ଆମିଷ । ତେଣୁ ଫଳ, ନୁଡଲ୍ସ ଖାଇ ଜାହାଜ ଭିତରେ ଦିନ କାଟିବାକୁ ପଡ଼ୁଥିଲା । ଶିବାଶିଷ କେବଳ ଏତିକି ଭାବୁଥିଲେ, ତାଙ୍କ ରିପୋର୍ଟ କେମିତି ନେଗେଟିଭ ଆସୁ, ଆଉ ସେ ଘରକୁ ଫେରନ୍ତୁ । 

ଭାରତ ସରକାରଙ୍କ ପକ୍ଷରୁ ଏୟାରଲିପ୍ଟ କରାଯାଇ ଜାହାଜରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରାଯାଇଥିଲା । ୧୪ ଦିନ ଧରି ମାନେସାରର କ୍ୱାରାଣ୍ଟାଇନ ସେଣ୍ଟରରେ ରହିବା ପରେ ତାଙ୍କୁ କ୍ଲିନଚିଟ ମିଳିଥିଲା । ଶେଷରେ ଶିବାଶିଷ ଘରକୁ ଫେରିଛନ୍ତି । ଆଉ ଶିବାଶିଷଙ୍କ ଏହି କରୋନା କାହାଣୀ ଯିଏ ଶୁଣିଛି, ଲୋମ ଟାଙ୍କୁରି ଉଠୁଛି । 

ଆହୁରି ପଢ଼ନ୍ତୁ; ଏମକେସିଜି ମେଡିକାଲରେ କରୋନା ସନ୍ଦିଗ୍ଧ ଭର୍ତ୍ତି