)
ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: କୋରୋନାକୁ ନେଇ ସମଗ୍ର ଦେଶରେ ଜାରି ହୋଇଥିବା ଲକଡାଉନ୍ ସରିନି । ମାତ୍ର ଘରବାହୁଡ଼ା ଆରମ୍ଭ କରିଦେଇଛନ୍ତି ବହୁ ଦାଦନ ଶ୍ରମିକ । ଯାହାକି ଜିଲ୍ଲା ପ୍ରଶାସନର ମୁଣ୍ଡବ୍ୟଥା ପାଲଟିଛି । ପରିବହନ ମନ୍ତ୍ରୀଙ୍କ କଟକଣା ଓ କଡ଼ା ତାଗିଦ ସତ୍ତ୍ୱେ ଗତ କିଛିଦିନ ଧରି ଜଳ ପଥରେ ଶହ ଶହ ମତ୍ସଜୀବି ବିଭିନ୍ନ ଗ୍ରାମରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ଆଉ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖିବା ପାଇଁ ଠାବ କରିବାରେ ପ୍ରଶାସନ ନାକେଦମ ହେଲାଣି । ଅନ୍ୟପଟେ ପ୍ରଶାସନର ଅନୁମତିରେ ଗୁଜୁରାଟର ସୁରଟରୁ ୪ ବସରେ ଫେରୁଛନ୍ତି ଓଡ଼ିଆ । ସେମାନଙ୍କ ପାଇଁ କ୍ୱାରେଣ୍ଟାଇନର ବ୍ୟବସ୍ଥା କରାଯାଇଛି ।
ସୋମବାର ବାହାରିଥିବା ଏହି ବସ୍ ଆଜି ଗଞ୍ଜାମରେ ପହଞ୍ଚିବ ବୋଲି ଜଣାପଡ଼ିଛି । ଖାଲି ଏହି ୪ଟି ବସ୍ ନୁହେଁ, ଦିନକ ପରେ ପୁଣି ୨୦ଟି ବସରେ ଦଳ ଦଳ ହୋଇ ଶ୍ରମିକ ନିଜ ଭିଟାମାଟିକୁ ଫେରିବା ଲାଗି ପ୍ରସ୍ତୁତ ହେଉଛନ୍ତି । ତେବେ ଜିଲ୍ଲା ପ୍ରଶାସନ ପାଖରେ ଏନେଇ କୌଣସି ସୂଚନା ମଧ୍ୟ ନଥିବା ଜଣାପଡ଼ିଛି । ତେବେ ବାହାର ରାଜ୍ୟରୁ ଫେରୁଥିବା ଲୋକଙ୍କ ପାଇଁ କ୍ୱାରେଣ୍ଟାଇନ ବ୍ୟବସ୍ଥା କରିବାରେ ଲାଗିପଡ଼ିଛି ପ୍ରଶାସନ ।
ଗଞ୍ଜାମ ଜିଲ୍ଲାକୁ ଅଚାନକ ଦାଦନଙ୍କ ସୁଅ ଛୁଟିବା ସମ୍ଭାବନାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ସହରରେ ତଥା ଆଖ ପାଖରେ ଥିବା ଅନେକ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର ହଷ୍ଟେଲ ଓ କଲେଜକୁ କ୍ୱାରେଣ୍ଟାଇନ୍ ହୋମ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ସ୍ଥାନରେ ବେଡ୍ ପ୍ରସ୍ତୁତ କରି ରଖିବା ସହ ପାନୀୟ ଜଳ ଓ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଉଛି ।
ସେପଟେ ଜଳପଥ ଦେଇ ଚେନ୍ନାଇ ଓ ମାଙ୍ଗାଲୋରରୁ ରାତି ଅଧିଆ ମତ୍ସ୍ୟଜୀବିମାନେ ଆସୁଥିବା ଦେଖିବାକୁ ମିଳିଥିଲା । ଯାହା ପ୍ରଶାସନକୁ ଅଡ଼ୁଆରେ ପକାଉଛି । ସୋମବାର ରାମାୟାପାଟଣା ପହଞ୍ଚିବା ପୂର୍ବରୁ ମଝିରାସ୍ତାରେ ମତ୍ସ୍ୟଜୀବିମାନେ ଚମ୍ପଟ ମାରିଥିଲେ । ସେମାନଙ୍କୁ କାବୁ କରିବା ଲାଗି ପ୍ରଶାସନକୁ ସତେଯେମିତି ନାକେଦମ ହେବାକୁ ପଡିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଯଦିଓ ଜିଲ୍ଲାକୁ କୋରୋନା ମାଡ଼ିମାରିନି, ତେବେ ଦାଦନ ଫେରିବା ପରେ ଆଶଙ୍କା ବଢ଼ୁଛି । ତେଣୁ ଏହାର ମୁକାବିଲା ଦିଗରେ ମଧ୍ୟ ପ୍ରଶାସନ କାମ କରୁଛି ।