ଅନ୍ଧାଧୁନ ଅନ୍ଧାର କରୁଛି ସାଉଥକୋ
Advertisement

ଅନ୍ଧାଧୁନ ଅନ୍ଧାର କରୁଛି ସାଉଥକୋ

ପୁଣି ଆକ୍ସନ ମୋଡରେ ସାଉଥକୋ

ପ୍ରତୀକାତ୍ମକ ଫଟୋ

ତପନ କୁମାର କର, ନୂଆଦିଲ୍ଲୀ: ଆପଣଙ୍କ ବିଦ୍ୟୁତ ବିଲ ବକେୟା ରହିଛି କି ? ତାହେଲେ ହୋଇଯାଆନ୍ତୁ ସତର୍କ । କାରଣ ପୁରିଛି ଡେଡ୍ ଲାଇନ । ଏଣିକି ଆକ୍ସନ ମୋଡରେ ସାଉଥକୋ । ବକେୟା ବିଦ୍ୟୁତ ଟଙ୍କା ଜମା କରି ନ ଥିବା ଉପଭୋକ୍ତାଙ୍କ ବିଜୁଳି ସଂଯୋଗ ବିଛିନ୍ନ ପ୍ରକ୍ରିୟା ଦକ୍ଷିଣ ଓଡ଼ିଶାରେ ଆରମ୍ଭ ହୋଇଛି । 

ଗତ ୧୬ ତାରିଖ ସୁଧା ବକେୟା ଟଙ୍କା ପୈଠ ନକଲେ ବିଦ୍ୟୁତ ବିଛିନ୍ନ କରିବାକୁ ପୂର୍ବରୁ  ଘୋଷଣା କରାଯାଇଥିଲା । ସାଉଥକୋ ପକ୍ଷରୁ ଏ ନେଇ ସ୍ୱତନ୍ତ୍ର ଟିମ ଗଠନ ମଧ୍ୟ କରାଯାଇଛି । ଆଉ ଏ ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ମହଲରେ ଏହାକୁ ନେଇ ଦେଖାଦେଇଛି ମିଶ୍ରିତ ପ୍ରତିକ୍ରିୟା । ଲୋକଙ୍କ ମତେ କେଉଁଠି ବିଦ୍ୟୁତ ତାର ଓହଳି ରହିଛି ତ କେଉଁଠି ଗଛରେ ବନ୍ଧା ହୋଇଛି । କିନ୍ତୁ ଟଙ୍କା ଆଦାୟରେ ବ୍ୟସ୍ତ ବିଦ୍ୟୁତ ବିଭାଗ । 

ସୂଚନା ଅନୁସାରେ ଆଜି ଠାରୁ ୧ ହଜାର ଟଙ୍କାରୁ ଅଧିକ ବକେୟା ପଡ଼ିଥିବା ଉପଭୋକ୍ତାଙ୍କ ବିଦ୍ୟୁତ ସଞ୍ଜୋଗ ବିଛିନ୍ନ କରିବା ଲାଗି ନିଷ୍ପତି ନେଇଛି ସାଉଥକୋ ୟୁଟିଲିଟି । ଦକ୍ଷୀଣ ଓଡ଼ିଶାର ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡା, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଭଳି ୮ ଟି ଜିଲ୍ଲାରେ ୨୨ ଲକ୍ଷ ଉପଭୋକ୍ତା ରହିଥିବା ବେଳେ ସେଥି ମଧ୍ୟରୁ ୧୫,୭୩,୮୧୫ ଜଣ ଉପଭୋକ୍ତାଙ୍କ ଉପରେ ୧୩୫୭.୨୬  କୋଟି ଟଙ୍କା ବକେୟା ରହିଛି । ଯାହାକୁ ନଜରରେ ରଖି ବିଭିନ୍ନ ଜିଲ୍ଲା ଅନୁସାରେ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । 

ପୂର୍ବ ଯୋଜନା ମୁତାବକ ବକେୟା ରଖିଥିବା ଉପଭୋକ୍ତାଙ୍କ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ପର୍ଯ୍ୟାୟ କ୍ରମେ ବିଦ୍ୟୁତ ବିଛିନ୍ନ କରା ଯାଇଥିବା ଦେଖିବାକୁ ମିଳିଛି । ପ୍ରତିଦିନ ସାଉଥ କୋ ପକ୍ଷରୁ ୨ ହଜାର ୭ ସହ ୧୭ ଜଣ ଉପଭୋକ୍ତାଙ୍କ ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯାଉଥିବା ବେଳେ ୫ ହଜାର ୪ ସହ ଗ୍ରାହକଙ୍କ ଠାରୁ ୧ କୋଟି ୩୦ ଲକ୍ଷ ଟଙ୍କା ବକେୟା ଆଦାୟ କରାଯାଇଛି । ସୂଚନା ଅନୁସାରେ ପ୍ରତି ମାସରେ ୧୧୫ କୋଟି ଟଙ୍କା ବିଲ ପ୍ରସ୍ତୁତ ହେଉଥିବା ବେଳେ ୯୦ କୋଟି ଆଦାୟ ହେଉଛି । ଯାହା ଫଳରେ ପ୍ରତି ମାସରେ ୨୫ କୋଟି ଟଙ୍କା ଉପଭୋକ୍ତାଙ୍କ ଉପରେ ବକେୟା ପଡ଼ୁଥିବା ସାଉଥକୋ ଦାବି କରିଛି । 

ବକେୟା ରଖିଥିବା ଗ୍ରାହକଙ୍କୁ ସାଉଥକୋ ପୂର୍ବରୁ ନୋଟିସ କରିସାରିଥିବା ବେଳେ ଗତ ଫେବୃଆରୀ ୧୬ ତାରିଖ ସୁଦ୍ଧା ବକେୟା ଟଙ୍କା ପୈଠ କରିବା ଲାଗି ଡେଡ୍ ଲାଇନ ଦିଆଯାଇଥିଲା । ନଚେତ ବିଦ୍ୟୁତ ସଞ୍ଜୋଗ ବିଛିନ୍ନ କରାଯିବ ବୋଲି ରୋକଠୋକ୍ କୁହାଯାଇଥିଲା । କିନ୍ତୁ ସାଉଥକୋର ଏଭଳି ନିଷ୍ପତିକୁ ନାପସନ୍ଦ କରିଛନ୍ତି ବ୍ରହ୍ମପୁରର ବିଦ୍ୟୁତ ଉପଭୋକ୍ତା ଓ ବୁଦ୍ଧିଜୀବୀ । 

ବିଭିନ୍ନ ସମୟରେ ସାଉଥକୋ ଉଚିତ ସେବା ଯୋଗାଇ ଦେବାରେ ବିଫଳ ହୋଇଥିବା ବେଳେ, ଲୋକେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏପରିକି ବ୍ୟବସାୟିକ ଓ ସରକାରୀ ବକେୟା କୋଟି କୋଟି ଟଙ୍କା ପଡ଼ିଛି । ମାଟ୍ରିକ ପରୀକ୍ଷା ୧୯ରୁ ଆରମ୍ଭ ହେବାକୁ ଥିବାବେଳେ ସାଉଥକୋ ନିଜ ନିଷ୍ପତି ଉପରେ ବିଚାର କରିବାକୁ ଦାବି ହୋଇଛି । ଗୋଟିଏ ପଟେ ସାଉଥ କୋ ନିଜ ଜିଦ୍ ରେ ଅଟଳ ରହିଥିବା ବେଳେ ଗ୍ରାହକଙ୍କ ମଧ୍ୟରେ ଅସୋନ୍ତଷ ବଢ଼ୁଛି । ହଠାତ ସାଉଥ କୋର ଏଭଳି ନିଷ୍ପତିକୁ ଉପଭୋକ୍ତା କିପରି ଗ୍ରହଣ କରୁଛନ୍ତି ତାହା ଆଗାମି ଦିନରେ ସ୍ପଷ୍ଟ ହେବ ।

ଆହୁରି ପଢ଼ନ୍ତୁ; ଅଭିନେତ୍ରୀଙ୍କୁ ପଛରେ ପକାଇଲେ କ୍ରିକେଟର