close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ବର୍ଷକୁ ପରୀକ୍ଷା ଦେବେ ୮ ଥର, ଜାଣନ୍ତୁ କାହିଁକି ଓ କେଉଁଠି ?

ହଁ... ଆପଣ ଠିକ୍ ଶୁଣିଛନ୍ତି..... ସ୍କୁଲପିଲା ବର୍ଷକୁ ପରୀକ୍ଷା ଦେବେ ଥରେ କି ଦୁଇଥର ନୁହଁ, ଆଠ ଥର ।

ବର୍ଷକୁ ପରୀକ୍ଷା ଦେବେ ୮ ଥର, ଜାଣନ୍ତୁ କାହିଁକି ଓ କେଉଁଠି ?
ବର୍ଷକୁ ୮ ଥର ପରୀକ୍ଷା

ଜିନୁ ଜେନା,ବ୍ରହ୍ମପୁର: ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ଵାସକୁ ଦୃଢୀଭୂତ କରିବା ସହ ପରୀକ୍ଷା ପ୍ରତି ପିଲାଙ୍କ ମନରେ ଥିବା ଭୟକୁ ଦୂର କରିବା ଲାଗି ଏବେ ଅଣ୍ଟା ଭିଡିଛି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଅର୍ଥାତ ଗଞ୍ଜାମ ପ୍ରଶାସନ। ମାଟ୍ରିକ ପରୀକ୍ଷା ଫଳହାରକୁ ବୃଦ୍ଧି କରିବା ସହ ଫେଲ ହାରକୁ ମୁଳୋତ୍ପାଟନ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଡ୍ରିମ (ଡ୍ରାଇଭ ଫର ରେଜଲ୍ଟ ଏନହାନ୍ସମେଣ୍ଟ) କାର୍ଯ୍ୟକ୍ରମ। ପ୍ରତିବର୍ଷ ଅଧବାର୍ଷିକୀ ପରୀକ୍ଷା ପୂର୍ବରୁ ସ୍କୁଲ ଗୁଡ଼ିକରେ ଗୁରୁବାର ଓ ସୋମବାର ଦିନ ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଛି । 

ଗତ ସୋମବାର ଠାରୁ ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଓଡିଶାରେ ପ୍ରଥମ ଥର ପାଇଁ ଗଞ୍ଜାମ ଆପଣେଇଛି ଏହି କାର୍ଯ୍ୟକ୍ରମ । ଏହା ଜରିଆରେ ଦୂର ହେବ ପିଲାଙ୍କ ମନରୁ ପରୀକ୍ଷା ଭୟ। ବାରମ୍ବାର ପରୀକ୍ଷା ଦେବା ପରେ ବଢିବ ଆତ୍ମବିଶ୍ଵାସ। ଏଣିକି ବୃଦ୍ଧି ପାଇବ ରେଜଲ୍ଟ ହାର । ଗାଁ ଠାରୁ ସହର ପ୍ରତ୍ୟେକ ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାସ୍ ହାର ବଢାଇବା ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ହାତକୁ ନିଆଯାଇଛି ନିଆରା ପଦକ୍ଷେପ। ଦଶମ ଶ୍ରେଣୀର ପିଲାଙ୍କ ନିମନ୍ତେ ପ୍ରତିବର୍ଷ ଅଧବାର୍ଷିକ ଓ ବାର୍ଷିକ ପରୀକ୍ଷା ମଧ୍ୟରେ ସପ୍ତାହର ସୋମବାର ଓ ଗୁରୁବାର ଦିନ ସ୍କୁଲରେ ପ୍ରତିଟି ବିଷୟ ଉପରେ ହେବ ନଲେଜ ଟେଷ୍ଟ । ବର୍ଷକ ମଧ୍ୟରେ ଛାତ୍ରଛାତ୍ରୀ ୮ ଥର ପରୀକ୍ଷା ଦେବେ। ଯାହାଦ୍ୱାରା ପରୀକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ମନରୁ ଭୟ ଦୂର ହେବ ବୋଲି ମତ ରଖିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

ପ୍ରତି ସ୍କୁଲରେ ଏହାକୁ କିଭଳି ସଠିକ ରୂପେ କାର୍ଯ୍ୟକାରୀ କରାଯିବ, ସେନେଇ ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସମେତ ବ୍ଲକ ଶିକ୍ଷାଧିକାରୀଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସେପଟେ ମୋ ସ୍କୁଲ୍ ଯୋଜନା ଅଧ୍ୟକ୍ଷା ସୁଶ୍ମିତା ବାଗଚି ଆଜି ଗଞ୍ଜାମ ଗସ୍ତରେ ଆସି ବିଭିନ୍ନ ସ୍କୁଲ ବୁଲି ଦେଖିବା ସହ ଜିଲ୍ଲା ପ୍ରଶାସନର ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଅନ୍ୟପଟେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏଭଳି କାର୍ଯ୍ୟକ୍ରମକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି। ଏଭଳି ପରୀକ୍ଷା କରାଯିବା ଦ୍ୱାରା ପିଲାଙ୍କ ରେଜଲ୍ଟ ଭଲ ହେବ ବୋଲି ମତ ପ୍ରକାଶ ପାଇଛି ।

କହିରଖୁଛୁ, ଅନ୍ୟ ଜିଲ୍ଲା ତୁଳନାରେ ଗଞ୍ଜାମରେ ବାଲ୍ୟ ବିବାହ ସ୍ଥିତି ଉଦବେଗଜନକ ଥିବାରୁ ପୂର୍ବରୁ ଆଉ ଏକ ଭଲ ଯୋଜନା ପ୍ରଣୟନ କରିଥିଲା ଗଞ୍ଜାମ ପ୍ରଶାସନ । ସଚେତନ ଅଭାବରୁ କିଶୋରୀ ବୟସରୁ ହିଁ ନିଜ କନ୍ୟା ସନ୍ତାନକୁ ବୋଝ ଭାବି ସାଂସାରିକ ଜୀବନକୁ ଠେଲି ଦେଉଛନ୍ତି ବାପା ମା । ଏହାକୁ ବନ୍ଦ କରିବା ପାଇଁ ଓଡ଼ିଶାରେ ପ୍ରଥମ ଥର ଲାଗି ନିଆରା ପଦକ୍ଷେପ ହାତକୁ ନେଇଥିଲା ଗଞ୍ଜାମ । ଜିଲ୍ଲା ପ୍ରଶାସନ ନିର୍ଭୟ କଢି ପ୍ରଣୟନ କରି ଅନ୍ୟ ଜିଲ୍ଲାମାନଙ୍କ ପାଇଁ ପ୍ରେରଣା ସାଜିଛି ।

ଖାଲି କଣ ସେତିକି, ଗଞ୍ଜାମକୁ ପିଛା ଛାଡୁନି ପ୍ରାକୃତିକ ବିପର୍ଯ୍ୟୟ। ପ୍ରତିବର୍ଷ ଗୋଟିଏ ପରେ ଗୋଟିଏ ମହାବାତ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି ଜିଲ୍ଲାବାସୀ। ପ୍ରାକୃତିକ ବିପର୍ଯ୍ୟୟକୁ ରୋକିବା ସମ୍ଭବ ନଥିବା ବେଳେ ଏହାକୁ ମୁକାବିଲା କରିବା ଲାଗି ଆଉ ପାଦେ ଆଗେଇଛି ଜିଲ୍ଲା ପ୍ରଶାସନ । ଉପକୂଳବର୍ତ୍ତୀ ଗାଁ ଗୁଡିକରେ ମହାବାତ୍ୟା କିମ୍ବା ଅନ୍ୟ କିଛି ବିପର୍ଯ୍ୟୟ ବେଳେ ଜରୁରିକାଳୀନ ସେବା ଯୋଗାଇବା କ୍ଷେତ୍ରରେ ପ୍ରଶାସନ ପ୍ରସ୍ତୁତ କରିଛି ଏକ ସୁନ୍ଦର କାର୍ଯ୍ୟକ୍ରମ । ଏସଏଚଜି ମହିଳାଙ୍କୁ ନେଇ ପ୍ରଥମ ଥର ଲାଗି ପ୍ରସାଶନ ପକ୍ଷରୁ ଆରମ୍ଭ ହୋଇଛି ସ୍ୱୟଂସିଦ୍ଧା ।  ଏବେ ଅପେକ୍ଷା,ଏସବୁର ସଫଳ ରୂପାୟନ ଉପରେ ।