ଡରାଉଛି କୋରୋନା, ଗଞ୍ଜାମରେ ଥଣ୍ଡା ଜ୍ୱରର ଆତଙ୍କ
Advertisement

ଡରାଉଛି କୋରୋନା, ଗଞ୍ଜାମରେ ଥଣ୍ଡା ଜ୍ୱରର ଆତଙ୍କ

ଗଞ୍ଜାମ ଜିଲ୍ଲାର କବିସୁର୍ଯ଼୍ୟନଗର, ବୁଗୁଡା, ସାନଖେମୁଣ୍ଡି, ଶେରଗଡ, ଦିଗପହଣ୍ଡି, ପାତ୍ରପୁର, ରଙ୍ଗେଇଲୁଣ୍ଡା ଓ ବ୍ରହ୍ମପୁର ସହରରେ ଏବେ କୋରୋନା ଜନିତ ଲକ୍ଷଣ ଥାଇ ମଧ୍ୟ ମେଡିକାଲରେ ପହଞ୍ଚିବା ପୂର୍ବରୁ ଅନେକଙ୍କ ମୃତ୍ୟୁ ଘଟିଲାଣି । 

ପ୍ରତୀକାତ୍ମକ ଫଟୋ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଗଞ୍ଜାମରେ ଏବେ ଥଣ୍ଡା ଜ୍ୱରର ଆତଙ୍କ । ଗାଁ ଗାଁରେ ଲୋକେ ଜ୍ୱରରେ ପୀଡିତ ଥିବା ଅଭିଯ଼ୋଗ ଆସୁଛି । ସେହିପରି ଅନେକ ସନ୍ଧିଗ୍ଧଙ୍କ ମୃତ୍ୟୁ ମଧ୍ୟ ଘଟିଲାଣି । ଯାହାକୁ ନେଇ  ସବୁଠି ଦେଖାଦେଲାଣି କୋକୁଆ ଭୟ । ଜିଲ୍ଲାରେ କୋରୋନା ଜନିତ ମୃତ୍ୟୁର ତାଲିକାଠାରୁ ଢେର ଅଧିକ ଲୋକ ଏବେ ଗାଁ ଗାଁରେ ମୃତ୍ୟୁବରଣ କରୁଥିବା କୁହାଯାଉଛି । ତେବେ ବାସ୍ତବରେ ପାଗ ପରିବର୍ତ୍ତନ ଯ଼ୋଗୁ ଲୋକଙ୍କ ମଧ୍ୟରେ ଏଭଳି ଥଣ୍ଡା ଜ୍ୱରର ଲକ୍ଷଣ ଦେଖାଦେଉଛି ନା କୋରୋନା ସଂକ୍ରମଣ ତାହା ସ୍ପଷ୍ଟ ହୋଇ ପାରିନାହିଁ । 

କୋରୋନାର ବୁଢ଼ିଆଣି ଜାଲ ଭିତରେ ଯେମିତି ଧିରେ ଧିରେ ଛନ୍ଧି ହୋଇ ସାରିଲାଣି ଗଞ୍ଜାମ । ଗାଁ ଗାଁରେ ଦେଖା ଦେଲାଣି ଥଣ୍ଡା, କାସ ଓ ଜ୍ୱର ଭଳି ଲକ୍ଷଣ । ଅନେକ ସ୍ଥାନରେ ସଂକ୍ରମଣ ମହାମାରୀର ରୂପ ନେବାକୁ ବସିଥିବା ବେଳେ ଜିଲ୍ଲାର ବିଭିନ୍ନ ଗ୍ରାମରେ ଗତ ୨୦ ଦିନ ମଧ୍ୟରେ ପାଖା ପାଖି ୩୦ ଜଣଙ୍କ କୋରୋନା ଲକ୍ଷଣ ଥାଇ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଯାହାକୁ ସରକାରୀ ଭାବେ କୋରୋନା ଜନିତ ମୃତ୍ୟୁ ବୋଲି ଗ୍ରହଣ କରାଯାଉନାହିଁ । ତେଣୁ ବେଳ ଥାଉ ବନ୍ଧ ବାନ୍ଧିବାକୁ ହେବ ବୋଲି ଲୋକେ କହିଲେଣି । 

ଗଞ୍ଜାମ ଜିଲ୍ଲାର କବିସୁର୍ଯ଼୍ୟନଗର, ବୁଗୁଡା, ସାନଖେମୁଣ୍ଡି, ଶେରଗଡ, ଦିଗପହଣ୍ଡି, ପାତ୍ରପୁର, ରଙ୍ଗେଇଲୁଣ୍ଡା ଓ ବ୍ରହ୍ମପୁର ସହରରେ ଏବେ କୋରୋନା ଜନିତ ଲକ୍ଷଣ ଥାଇ ମଧ୍ୟ ମେଡିକାଲରେ ପହଞ୍ଚିବା ପୂର୍ବରୁ ଅନେକଙ୍କ ମୃତ୍ୟୁ ଘଟିଲାଣି । ସେପଟେ ଗ୍ରାମାଞ୍ଚଳ ଠାରୁ ଅଧିକ ଉଦବେଗଜନକ ପରିସ୍ଥିତି ମଧ୍ୟରେ ଗତି କରୁଛି ସହର । ଗତ ଦୁଇ ଦିନ ମଧ୍ୟରେ ସହରରେ ଶହ ଶହ କୋରୋନା ରୋଗୀ ଚିହ୍ନଟ ହେବା ସମସ୍ତଙ୍କୁ ଚକିତ କରିଛି । ଜିଲ୍ଲା ପ୍ରଶାସନର ସୂଚନା ମୁତାବକ ଅନେକ ସ୍ଥାନରେ ଲୋକେ ନିଜର ଲକ୍ଷଣକୁ ଲୁଚାଇବାକୁ ଉଦ୍ୟମ କରୁଥିବା ବେଳେ ଶରୀରର ଅସୁସ୍ଥତା ହେବା ବେଳକୁ ଜୀବନ ଯାଉଛି । ଏଭଳି ପରିସ୍ଥିତିରେ ଲୋକେ ଭୟଭୀତ ନହୋଇ ତୁରନ୍ତ ଲକ୍ଷଣ ସମ୍ପର୍କିତ ସୂଚନା ପ୍ରଦାନ କରିବା ଲାଗି ଜିଲ୍ଲାପାଳ ନିବେଦନ କରିଛନ୍ତି ।