)
ସୌମ୍ୟ ରଞ୍ଜନ ନାୟକ, ନୂଆଦିଲ୍ଲୀ: କୋରୋନା ମହାମାରୀକୁ ନେଇ ସାରା ଦେଶରେ ଲକଡାଉନ୍ । ଗଞ୍ଜାମରେ ପ୍ରତିଦିନ ୧୯ ଘଣ୍ଟା ସଟ୍ ଡାଉନ୍ ଘୋଷଣା ପରେ ସବୁକିଛି ଠପ୍ । ଛତ୍ରପୁର ସହରରେ ସକାଳ ୬ଟା ରୁ ଦିନ ୧୨ଟା ଖାଦ୍ୟ ସଂଗ୍ରହ ପାଇଁ ଲୋକଙ୍କ ଆବେଗ ଦେଖିବାକୁ ମିଳେ । ହେଲେ କିଏ ପଚାରେ ଏ ପଶୁପକ୍ଷୀମାନଙ୍କୁ । ଦିନ ୧୨ଟା ପରେ ସହର ଯେମିତି ମରୁଭୂମି ପାଲୋଟି ଯାଏ । ଦୋକାନ, ବଜାର, ହୋଟେଲ, ଫାଷ୍ଟଫୁଡ୍ ସେଣ୍ଟର ବି ବନ୍ଦ ।

ସହରରେ ଖାଦ୍ୟ ପାଇଁ ପଶୁପକ୍ଷୀ ଡହଳ ବିକଳ । ବୁଲା କୁକୁରଙ୍କ ପାଇଁ ଖାଦ୍ୟ ସଂଗ୍ରହ ଭାରି କାଠିକର ପାଠ । ହେଲେ ଏଭଳି ପରିସ୍ଥିତିରେ ବୁଲା କୁକୁର ଓ ମାଙ୍କଡ଼ଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପଣ କରିଛନ୍ତି ଜଣେ ପଶୁପ୍ରେମୀ ମଣିଷ । ନାଁ- ତାରକେଶ୍ୱର ପଣ୍ଡା । ଲକଡାଉନ୍ ପର ଠାରୁ ଜିଲ୍ଲା ପ୍ରଶାସନର ଅନୁମତି ଆଣି ବୁଲା କୁକୁରଙ୍କୁ ଯୋଗାଉଛନ୍ତି ଖାଦ୍ୟ । ସକାଳ ୮ଟା ରୁ ଦିନ ୧୨ଟା ଯାଏ ନିଜ ସ୍କୁଟିରେ ବିସ୍କୁଟ ନେଇ ସହରର ଗଳିକନ୍ଦି ବୁଲି ବୁଲି ବିସ୍କୁଟ ଦିଅନ୍ତି । ପୁଣି ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କୁକୁରଙ୍କୁ ଖାଦ୍ୟ ଦିଅନ୍ତି । ଏଥିପାଇଁ ପ୍ରତ୍ୟେକ ଦିନ ୨ ହଜାର ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଥାଏ ।

ତାରକେଶ୍ୱର ଜଣେ ସରକାରୀ କର୍ମଚାରୀ ଥିଲେ । ପରେ ଇଚ୍ଛାକୃତ ଅବସର ନେଇ ସମାଜ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ଅନେକ ସମୟରେ ସେ ନିଜ ଜୀବନକୁ ଗରିବ ମଣିଷଙ୍କ ସେବାରେ ନିୟୋଜିତ ରଖିଥାନ୍ତି । ତେବେ ଲକ୍ ଡାଉନ୍ ବେଳେ ଭୋକିଲା ପଶୁଙ୍କୁ ଆହାର ଯୋଗାଉଥିବାରୁ ଛତ୍ରପୁରବାସୀ ତାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି । ତାରକେଶ୍ୱର କୁହନ୍ତି, ସେବା ବ୍ୟତୀତ ମଣିଷ ଜୀବନର କୌଣସି ଅସ୍ତିତ୍ୱ ନାହିଁ । ଯେଉଁଥିପାଇଁ ସେ ନିଜ ଜୀବନକୁ ସମାଜ ସେବାରେ ନିୟୋଜିତ କରିଛନ୍ତି ।