ଯେଉଁ ଜିଲ୍ଲା ସର୍ବାଧିକ ପ୍ରଭାବିତ, ସେଠି ସୁସ୍ଥ ହେଲେଣି ଅର୍ଦ୍ଧାଧିକ ଆକ୍ରାନ୍ତ

ରାଜ୍ୟରେ ସୁସ୍ଥ ହେଲେଣି ୩୬ ପ୍ରତିଶତ ଆକ୍ରାନ୍ତ

ଯେଉଁ ଜିଲ୍ଲା ସର୍ବାଧିକ ପ୍ରଭାବିତ, ସେଠି ସୁସ୍ଥ ହେଲେଣି ଅର୍ଦ୍ଧାଧିକ ଆକ୍ରାନ୍ତ
ପ୍ରତୀକାତ୍ମକ ଫଟୋ

ବ୍ରହ୍ମପୁର: କୋରୋନା ଯୋଗୁ ରାଜ୍ୟରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଗଞ୍ଜାମ । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨୨ ରହିଛି । ଅନ୍ୟପଟେ ରାଜ୍ୟରେ ଏପର୍ଯ୍ୟନ୍ତ ୧୧୮୯ ଟି ମାମଲା ଚିହ୍ନଟ ହେଲାଣି । ଅର୍ଥାତ ରାଜ୍ୟର ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୨୭ ପ୍ରତିଶତ କେବଳ ଗଞ୍ଜାମ ଜିଲ୍ଲାରେ । ତେବେ ଗଞ୍ଜାମ ପାଇଁ ଆଶ୍ୱସ୍ତିକର ଖବର ଏହା ଯେ, ଜିଲ୍ଲାରେ ୧୬୨ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି । 

ଆଜି ରାଜ୍ୟରେ ସମୁଦାୟ ୪୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କେବଳ ଅନୁଗୋଳରୁ ୧୫ ଜଣ ରହିଛନ୍ତି । ସେହିପରି ଗଞ୍ଜାମ, ସୁନ୍ଦରଗଡ଼ ଏବଂ ଯାଜପୁରରୁ ୮ ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ପୁରୀ, କେନ୍ଦ୍ରାପଡ଼ା, କଟକ ଓ ବୌଦ୍ଧରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । 

ରାଜ୍ୟରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯ । ଏମାନଙ୍କ ମଧ୍ୟରୁ ୪୩୬ ଜଣ ସୁସ୍ଥ ହେଲେଣି । ଏହା ସମୁଦାୟ ଆକ୍ରାନ୍ତଙ୍କର ୩୬ ପ୍ରତିଶତ । ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କୋରୋନା ଯେଗୁ ଯେଉଁ ଜିଲ୍ଲା ସର୍ବାଧିକ ପ୍ରଭାବିତ(ଗଞ୍ଜାମ), ସେଠି ରିକୋଭରୀ ରେଟ ୫୦ ପ୍ରତିଶତ ରହିଛି । କୋରୋନା ମୁକାବିଲା ଦିଗରେ ଗଞ୍ଜାମ ପ୍ରଶାସନର ମନୋବଳ ବଢ଼ାଇବା ଦିଗରେ ଏହା ସହାୟକ ହେବ । 

ସେହିପରି ରାଜ୍ୟରେ ଏମିତି କିଛି ଜିଲ୍ଲା ରହିଛି, ଯେଉଁ ଜିଲ୍ଲାଗୁଡ଼ିକରେ ସମସ୍ତ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି । ଅର୍ଥାତ ଏହି ଜିଲ୍ଲାଗୁଡ଼ିକରେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ସତ, ହେଲେ ଏବେ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ହେଲେଣି । କୋରାପୁଟ(୧) ଓ ଝାରସୁଗୁଡ଼ା(୨) ଏହି ତାଲିକାରେ ରହିଛି । 

ଅନ୍ୟପଟେ ରାଜ୍ୟରେ ଏବେ ବି ଏମିତି ୬ ଜିଲ୍ଲା ରହିଛି, ଯେଉଁ ଜିଲ୍ଲାର ପାଖ ମାଡ଼ିପାରିନି କୋରୋନା । ନବରଙ୍ଗପୁର, ରାୟଗଡ଼ା, ଗଜପତି, ନୂଆପଡ଼ା, ବରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାରେ ଏପର୍ଯ୍ୟନ୍ତ ଜଣେ ମଧ୍ୟ ଆକ୍ରାନ୍ତ ଚିହ୍ନଟ ହୋଇନାହାଁନ୍ତି ।