ବ୍ରହ୍ମପୁରରେ ଆଉ ୨ଟି କୋଭିଡ ହସ୍ପିଟାଲ ଉଦ୍‌ଘାଟିତ
Advertisement

ବ୍ରହ୍ମପୁରରେ ଆଉ ୨ଟି କୋଭିଡ ହସ୍ପିଟାଲ ଉଦ୍‌ଘାଟିତ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅନଲକ-1 ପରେ ଦେଶର ହଟସ୍ପଟ ଅଞ୍ଚଳରୁ ଆମର ଭାଇଭଉଣୀମାନେ ଘରକୁ ଫେରିଛନ୍ତି । ଆମର କୋଭିଡ ଯୋଦ୍ଧାଙ୍କର ତ୍ୟାଗ, ନିଷ୍ଠା ଏବଂ ଗଞ୍ଜାମର ଜନସାଧାରଣଙ୍କର ସହଯୋଗ ଯୋଗୁଁ ଗଞ୍ଜାମ ଜିଲ୍ଲା ଏହି ମହାମାରୀ ବିରୁଦ୍ଧରେ ସଫଳତାର ସହ ଲଢେଇ ଜାରି ରଖିଛି । 

ବ୍ରହ୍ମପୁରରେ ଆଉ ୨ଟି କୋଭିଡ ହସ୍ପିଟାଲ ଉଦ୍‌ଘାଟିତ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି(ଶନିବାର) ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବ୍ରହ୍ମପୁରରେ ୨ଟି କୋଭିଡ ହସ୍ପିଟାଲ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗଞ୍ଜାମରେ ସଂକ୍ରମଣ ହାର କ୍ରମାଗତ ଭାବରେ କମୁଛି । ଗଞ୍ଜାମରେ ଆରୋଗ୍ୟ ହାର ଜାତୀୟ ହାର ଠାରୁ ଅଧିକ ରହିଛି । ଜିଲ୍ଲାର ୮୫ ପ୍ରତିଶତ ଗ୍ରାମାଞ୍ଚଳ ସବୁଜ ଅଞ୍ଚଳରେ ରହିଛି । କିନ୍ତୁ ଯେପର୍ଯ୍ୟନ୍ତ ଟୀକା ବା ନିର୍ଦ୍ଦିଷ୍ଟ ଚିକିତ୍ସା ପଦ୍ଧତ୍ତି ନ ବାହାରିଛି ଏହି ମହାମାରୀ ବିରୁଦ୍ଧରେ ଫଳପ୍ରଦ ଲଢେଇର ଏକମାତ୍ର ଉପାୟ ହେଉଛି ମାସ୍କର ବ୍ୟବହାର, ସାମାଜିକ ଦୂରତ୍ବ ଓ ସରକାରଙ୍କ କୋଭିଡ ନିୟମାବଳୀର ପାଳନ । ତେଣୁ ବର୍ତ୍ତମାନ ପରିସ୍ଥିତିରେ ଆତ୍ମସନ୍ତୋଷର କୌଣସି ସ୍ଥାନ ନାହିଁ । ଜନସାଧାରଣ କୋଭିଡ ନିୟମାବଳୀକୁ ହାଲକା ଭାବରେ ନ ନେଇ ଏହାର ଗୁରୁତ୍ୱକୁ ଭଲ ଭାବରେ ବୁଝନ୍ତୁ । ନିଜର ଏବଂ ନିଜ ପରିବାରର ସୁରକ୍ଷା ଦୃଷ୍ଟିରୁ ସବୁ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ  ଏହି ଅବସରରେ ନିବେଦନ କରିଛନ୍ତି । ଗହଳି ନ ଯିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ।
 
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅନଲକ-1 ପରେ ଦେଶର ହଟସ୍ପଟ ଅଞ୍ଚଳରୁ ଆମର ଭାଇଭଉଣୀମାନେ ଘରକୁ ଫେରିଛନ୍ତି । ଆମର କୋଭିଡ ଯୋଦ୍ଧାଙ୍କର ତ୍ୟାଗ, ନିଷ୍ଠା ଏବଂ ଗଞ୍ଜାମର ଜନସାଧାରଣଙ୍କର ସହଯୋଗ ଯୋଗୁଁ ଗଞ୍ଜାମ ଜିଲ୍ଲା ଏହି ମହାମାରୀ ବିରୁଦ୍ଧରେ ସଫଳତାର ସହ ଲଢେଇ ଜାରି ରଖିଛି । ଏଥିପାଇଁ ଜିଲ୍ଲା ପ୍ରଶାସନକୁ ଏବଂ ଗଞ୍ଜାମର ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । କୋରୋନା ମହାମାରୀ କବଳରୁ ଲୋକମାନଙ୍କ ଜୀବନ ରକ୍ଷା ନିମନ୍ତେ ସରକାର ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି ।
 
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସାମାଜିକ ଦୂରତ୍ବ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ଗୁରୁତ୍ବ ଦେଇଥିଲେ । ବ୍ରହ୍ମପୁରର ଏହି ଦୁଇଟି ହସ୍ପିଟାଲ ଜିଲ୍ଲାର ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାରେ ସହାୟକ ହେବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଶା ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁରର ସାସଂଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗ ଦେଇଥିଲେ । ଗଞ୍ଜାମ ଜିଲ୍ଲାପାଳ ସ୍ୱାଗତ ଭାଷଣ ଦେଇଥିଲେ । ବ୍ରହ୍ମପୁର ମ୍ୟୁନିସ୍‌ପାଲ କମିଶନର ଧନ୍ୟବାଦ ଅର୍ପଣ କରିଥିଲେ ।
 
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ଉନ୍ନୟନ କମିଶନର, ଅତିରିକ୍ତ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।
 
ସୂଚନାଯୋଗ୍ୟ ଯେ, ବ୍ରହ୍ମପୁରର କନିଷି ଠାରେ ଥିବା ଅମିତ୍‌ ହସ୍ପିଟାଲରେ କଟକର ଅଶ୍ୱିନୀ ହସ୍ପିଟାଲ ପକ୍ଷରୁ ଏହି ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ସ୍ଥାପନ କରାଯାଇଥିବାବେଳେ ଏଥିରେ ୨୪ଟି ICU ବେଡ୍ ରହିଛି । ସେହିପରି MKCG ହସ୍ପିଟାଲର ଶିଶୁ ୱାର୍ଡରେ ନୂଆ କୋଭିଡ ହସ୍ପିଟାଲ ଆରମ୍ଭ କରାଯାଇଛି । ଏଥିରେ ମଧ୍ୟ ୧୫୦ଟି ଶଯ୍ୟା ରହିଛି ଏବଂ ୨୪ଟି ICU ବେଡ୍ ଅଛି । ପୂର୍ବରୁ ବ୍ରହ୍ମପୁରର ଶିତଳାପଲ୍ଲୀଠାରେ ଟାଟା କୋଭିଡ ହସ୍‌ପିଟାଲରେ ଚିକିତ୍ସା ଜାରି ରହିଛି ।